ପ୍ରାଚୀ ପରିକ୍ରମା ଉଦଯାପିତ
ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ଓ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତ ୧୦ ତାରିଖ ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ପ୍ରାଚୀ ପରିକ୍ରମା ପଦଯାତ୍ରା ଆଜି ପବିତ୍ର ପଙ୍କଉଦ୍ଧାର ଏକାଦେଶୀ ତିଥି ରେ ସେହି ଅନ୍ଧ କପିଳେଶ୍ୱର ମନ୍ଦିର ଠାରେ ଉଦଯାପିତ ହୋଇଛି। ପଦଯାତ୍ରୀ ମାନେ ପ୍ରାଚୀ ଓ କାଦୁଆ ନଦୀ ର ସଙ୍ଗମ ସ୍ଥଳ କେଳୁଣୀ ମୁହାଁଣ ଠାରେ ପହଞ୍ଚିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। କପିଳେଶ୍ୱର ମନ୍ଦିର ଠାରେ ପହଞ୍ଚିବା ପରେ ସେଠାରେ ଠାକୁର ଙ୍କ ପଙ୍କଉଦ୍ଧାର ଏକାଦେଶୀ ନୀତି ଅନୁଷ୍ଠିତ ହେବା ସାଙ୍ଗକୁ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଯଜ୍ଞ ରେ ପୂର୍ଣ୍ଣାହୂତି ପ୍ରଦାନ କରିବାପରେ ଦ୍ୱାଦଶ ବାର୍ଷିକ ପ୍ରାଚୀ ପରିକ୍ରମା ଉଦଯାପିତ ହୋଇଥିଲା। ଏହି ପଦଯାତ୍ରା ରେ କ୍ରିୟାଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରିଙ୍କ ସହିତ ବହୁ ସନ୍ୟାସୀ, ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ, ଗବେଷକ, ପ୍ରାଚୀପ୍ରେମୀ, ବିଭିନ୍ନ ମଠ, ମନ୍ଦିର ର ପୂଜକ, ବାବାଜୀ , ଓ ବିଦେଶୀ ମାନେ ଯୋଗ ଦେଇଥିଲେ। ପଦଯାତ୍ରୀ ମାନଙ୍କୁ ବିଭିନ୍ନ ସ୍ଥାନ ରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।


