ପ୍ରାଣକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ବାତିଲ ପାଇଁ ଲିଖିତ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋଇସ୍ଥିତ ପ୍ରାଣକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅକ୍ଷୟ କୁମାର ରାଉତଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ଶିକ୍ଷକଙ୍କୁ ସ୍ତାନାନ୍ତର ନ କରାଯିବା ପାଇଁ ଏକ ଲିଖିତ ଅଭିଯୋଗ ବୁଧବାର ବ୍ଳକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ବିଦ୍ୟାଳୟରେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ୭ ଜଣ ଶିକ୍ଷକ ଥିବା ବେଳେ ତନ୍ମଧ୍ୟରୁ ଜଣେ ଶିକ୍ଷକ ଶତ ପ୍ରତିଶତ ଅନ୍ଧ, ଆଉ ଜଣେ ଶିକ୍ଷକ ମାନସିକ ଅନଗ୍ରସର ଓ ଆଉ ୨ଜଣ ଗଣ ଶିକ୍ଷକ ଓ ଜଣେ ପ୍ରାଥମିକ ଶିକ୍ଷକ ରହିଛନ୍ତି । ବିଇଡି ତାଲିମପ୍ରାପ୍ତ (କଳା)ଶିକ୍ଷକ ଭାବେ ହଳଧର ବିଶ୍ୱାଳ ପଦନ୍ନୋତି ହୋଇ ଆସିଥିବା ବେଳେ ଏକ ମାତ୍ର ବିଜ୍ଞାନ ଶିକ୍ଷକ ରାଉତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାଫଳରେ ବିଜ୍ଞାନ ଓ ଗଣିତ ପଢାଇବା ପାଇଁ ବିଦ୍ୟାଳୟରେ କୌଣସି ଶିକ୍ଷକ ନଥିବା ଜଣାଯାଇଛି । ବିଜ୍ଞାନ ଶିକ୍ଷକଙ୍କୁ ବଦଳି କରାଗଲେ ଗଣିତ ଓ ବିଜ୍ଞାନ ପାଠପଢାରେ ଛାତ୍ରଛାତ୍ରୀ ମାନେ ବଂଚିତ ହେବେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ତେଣୁ ଉକ୍ତ ଶିକ୍ଷକଙ୍କ ବଦଳିକୁ ବାତିଲ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବ ପ୍ରସାଦ ପରିଡା, ଗଣେଶ୍ୱର ମହାନ୍ତି, ବିଜୟ ବିଶ୍ୱାଳ, ବେଣୁଧର ମଲିକ, ମାଗୁଣି ଚରଣ ସାହୁ, ଦୀପକ ପରିଡାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅବିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ବ୍ଳକ ଶିକ୍ଷାଧିକାରୀଣୀ ମନୋରମା ରାଉତଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ବିଚାର କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ