ଫରହାନଙ୍କ ଫ୍ରଣ୍ଟ୍ ଲୁକ୍ ଭାଇରାଲ୍
ମୁମ୍ବାଇ : ଫିଲ୍ମରେ ଜଣେ ବକ୍ସରଙ୍କ ଭୂମିକା ତୁଲାଇବା କେତେ କଷ୍ଟ, ତାହା ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ଫର୍ହାନ୍ ଅଖ୍ତର ଭଲ ଭାବେ ବୁଝିପାରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ତୁଫାନ୍’ ଚଳିତ ବର୍ଷ ଅକ୍ଟୋବର ୨ରେ ରିଲିଜ୍ ହେବ । ନିର୍ଦ୍ଦେଶକ ରାକେଶ ଓମ୍ପ୍ରକାଶ ମେହେରା ଫିଲ୍ମର ପ୍ରଥମ ଝଲକ୍କୁ ରିଲିଜ୍ କରିଦେଇଛନ୍ତି । ଫିଲ୍ମ ‘ତୁଫାନ୍’ରେ ଫର୍ହାନ୍ ଜଣେ ଜାତୀୟ ସ୍ତରର ବକ୍ସର ଭୂମିକାରେ ଦେଖାଯିବେ। ଏହାର କାହାଣୀ ଦେଶର ସମସ୍ତ ଜଣାଶୁଣା ବକ୍ସରଙ୍କ ଜୀବନୀ ଉପରେ ଆଧାରିତ। ନିଜକୁ ଜଣେ ବକ୍ସର ଭାବେ ପରଦାରେ ଦେଖାଇବା ଲାଗି ଫର୍ହାନ ବହୁ ପରିଶ୍ରମ କରିଛନ୍ତି । ଏଥିଲାଗି ସେ ବକ୍ସିଂର ଟ୍ରେନିଂ ନେଇ ଗତବର୍ଷ ଚର୍ଚ୍ଚାରେ ଥିଲେ । ଫିଲ୍ମର ପୋଷ୍ଟର ପରେ ମେକର୍ସ ବର୍ତ୍ତମାନ ତାଙ୍କର ଫ୍ରଣ୍ଟ ଲୁକ୍କୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ୍ ହୋଇଛି। ଅଭିନେତ୍ରୀ ମୃଣାଲ ଠାକୁର ଫର୍ହାନଙ୍କ ଅପୋଜିଟ୍ରେ ନଜର ଆସିବେ । ଫିଲ୍ମ ‘ଭାଗ୍ ମିଲ୍ଖା ଭାଗ୍’ ପରେ ନିର୍ଦ୍ଦେଶକ ରାକେଶ ଓମ୍ପ୍ରକାଶ ମେହେରାଙ୍କ ସହିତ ଫର୍ହାନଙ୍କ ଏହା ହେଉଛି ଦ୍ୱିତୀୟ ଫିଲ୍ମ । ଫର୍ହାନଙ୍କ ବ୍ୟତୀତ ଏହି ଫିଲ୍ମରେ ପରେଶ ରାୱଲ ଏବଂ ବିଜୟ ମୋର୍ଯ୍ୟ ମଧ୍ୟ ଅଭିନୟ କରୁଛନ୍ତି । ସୂଚନା ଥାଉ ଯେ, ଫର୍ହାନଙ୍କ ଫିଲ୍ମ ‘ତୁଫାନ୍’ ବକ୍ସ ଅଫିସ୍ରେ ଟାଇଗର୍ ଶ୍ରଫ୍ଙ୍କ ‘ରାମ୍ବୋ’, ଜନ୍ ଆବ୍ରାହମ୍ଙ୍କ ‘ସତ୍ୟମେବ ଜୟତେ-୨’ ଏବଂ ଭିକି କୌଶାଲଙ୍କ ‘ସର୍ଦ୍ଦାର ଉଦ୍ଧମ୍ ସିଂ’ ଫିଲ୍ମକୁ ଟକ୍କର ଦେବ ।


