ବଜାର କମିଟିର ସଭାପତି ଓ ସରପଂଚଙ୍କ ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ
ନାଉଗାଁ, (ଓ୍ବାଇଏନ୍ଏସ୍) : ତହସିଲ ସମ୍ମୁଖରେ ଜାମୁଗାଁ ପଂଚାୟତର ରବିନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ମଙ୍ଗଳବାର କରିଥିବା ଅନଶନକୁ ବୁଧବାର ପ୍ରତ୍ୟାହୃତ କରିଛନ୍ତି । କଂଟୁଣିଆ ବଜାର କମିଟିର ସଭାପତି ବାବାଜୀ ଚରଣ ସ୍ୱାଇଁ ଓ ସରପଂଚ ଲଲାଟେନ୍ଦୁ ପରିଡାଙ୍କ ଠାରୁ ଲିଖିତ ପ୍ରତିଶୃତି ପାଇବା ପରେ ଏହି ଅନଶନ ପ୍ରତ୍ୟାହୃତ ହୋଇଥିବା ରବିନ୍ଦ୍ର ପ୍ରକାଶ କରିଛନ୍ତି । ସରପଂଚ ଓ ବଜାର କମିଟିର ପ୍ରତିଶୃତି ଅନୁସାରେ ଆସନ୍ତା ଗୋଟିଏ ଦିନ ମଧ୍ୟରେ ଜାଗା ମାପ କରାଯାଇ ରବିନ୍ଦ୍ରକୁ ଘରକୁ ଯିବା ପାଇଁ ବାଟ ପ୍ରଦାନ କରାଯିବ । ଅନଶନ ପ୍ରତ୍ୟାହୃତ ପରେ ରବିନ୍ଦ୍ର ଲିଖିତ ଭାବେ ତହସିଲଦାର ଜେ.କଳ୍ପନା ଓ ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଜାମୁଗାଁ ପଂଚାୟତସ୍ଥିତ କଂଟୁଣିଆ ଗ୍ରାମର ରବିନ୍ଦ୍ର ସାହୁଙ୍କୁ ଅବରୋଧ ଆଇନ ବଳରେ ୧୯୯୮ ମସିହାରେ ସରକାରଙ୍କ ପକ୍ଷରୁ ୫ ଡିସିମିଲି ଯାଗା ଯୋଗାଇ ଦିଆଯାଇଥିଲା । ଏହି ଯାଗାରେ ଘର ନିର୍ମାଣ କରିବା ସହିତ ବାହାରକୁ ଯିବା ପାଇଁ ବାଟ ରହିଥିଲା । ରବିନ୍ଦ୍ରଙ୍କ ଘର ସମ୍ମୁଖରେ ଥିବା ପ୍ଲଟଟି ସରକାରଙ୍କ ଗୋଚର ଜମି ହୋଇଥିବା ବେଳେ ଉକ୍ତ ଗୋଚର ଜମି ଉପରେ ରବିନ୍ଦ୍ର ଭାଇ ଚକ୍ରଧର ସାହୁ ଜବରଦଖଲ କରି ଘର ନିର୍ମାଣ କରିବା ସହିତ ରବିନ୍ଦ୍ରର ବ୍ୟକ୍ତିଗତ ରାସ୍ତାକୁ ଅବରୋଧ କରିଥିଲେ । ଯାହାକୁ ନେଇ ପଂଚାୟତ ଫଇସଲା ହୋଇଥିଲେ ମଧ୍ୟ ବଡ ଭାଇ ଚକ୍ରଧର ମାନି ନଥିଲେ । ରବିନ୍ଦ୍ର ନାଉଗାଁ ତହସିଲଦାରଙ୍କୁ ଏ ସଂର୍ପକରେ ଜଣାଇଥିଲେ ବି ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିଲେ । ରବିନ୍ଦ୍ର ବାଧ୍ୟ ହୋଇ ନାଉଗାଁ ଥାନାର ଆଶ୍ରୟ ନେଇଥିଲେ । ଥାନା ପକ୍ଷରୁ ଉଭୟଙ୍କୁ ଡକାଇ ସମାଧାନ କରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଚକ୍ରଧର ସମାଧାନକୁ ମାନି ନଥିଲା । ଏହାପରେ ବଳପୂର୍ବକ ଗୁଣ୍ଡା ଲଗାଇ ରାତାରାତି ଘର ନିର୍ମାଣ କରୁଥିବା ବେଳେ ମାରପିଟ ହୋଇଥିଲା । ଯାହାଫଳରେ ନାଉଗାଁ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ସେମାନଙ୍କର ଜାମିନ ନାମଂଜୁର ହେବାରୁ ଉଭୟ ଜେଲ ଯାଇଥିଲେ । ରବିନ୍ଦ୍ର ଜେଲରେ ଥିବା ସମୟରେ ତାଙ୍କ ସ୍ତ୍ରୀକୁ ଧମକ ଦେଖାଇ ଅସମ୍ପୂର୍ଣ୍ଣ ଘରକୁ ଚକ୍ରଧର ରାତାରାତି ସମ୍ପୂର୍ଣ୍ଣ କରିଥିଲେ । ରବିନ୍ଦ୍ରର ସ୍ତ୍ରୀ ଜୁନ ୭ ତାରିଖ ରାତି ୮ଟା ସମୟରେ ନାଉଗାଁ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନାଧିକାରୀ କର୍ଣ୍ଣପାତ କରିନଥିବା ରବିନ୍ଦ୍ରଙ୍କ ପତ୍ନୀ ପ୍ରକାଶ କରିଥିଲେ । ଏପରିକି ଘର ବାହାରକୁ ରାସ୍ତା ନଥିବାରୁ ଘରୁ ବାହାରି ପାରୁ ନଥିବାରୁ ବାରମ୍ବାର ପ୍ରଶସାନକୁ ଅଭିଯେଗା କଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।


