ବନ୍ତ-ମହାନ୍ତିପଡା ପୂର୍ତ୍ତ ବିଭାଗ ରାସ୍ତା ନିମ୍ନମାନର,କାର୍ଯ୍ୟକୁ ବିରୋଧ କଲେ ଅଞ୍ଚଳବାସୀ

ବନ୍ତ-ମହାନ୍ତିପଡା ପୂର୍ତ୍ତ ବିଭାଗ ରାସ୍ତା: ୮ କିମି ୨ ଶହ ମି. ପାଇଁ ୯ କୋଟି ୫୩ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ, ୩ ଦିନ ମଧ୍ୟରେ ଉଠି ଯାଉଛି ଫଡା ଫଡା ପିଚୁ

ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଅଞ୍ଚଳବାସୀ, ତଦନ୍ତ ପରେ ପଦକ୍ଷେପ ନିଆଯିବାକୁ ଉଚ୍ଚ ଅଧିକାରୀଙ୍କ ପ୍ରତିଶୃତି
ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ର ଓ ରାଜ୍ୟ ସରକାର ସଡକ ପଥର ବିକାଶ ସହିତ ଗ୍ରାମାଞ୍ଚଳ ରାସ୍ତାଘାଟର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଛନ୍ତି । ମାତ୍ର ତାହା ବିଭାଗୀୟ ଅଧିକାରୀଙ୍କ ଅବହେଳା ତଥା ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ । ଗତ ୧ ବର୍ଷ ପୂର୍ବେ ବିକେବିଏମ୍‌(ବନ୍ତ-ବାରିକପୁର-ମହାନ୍ତିପଡା) ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ପାଇଁ ନାବାର୍ଡ ସଂସ୍ଥା ଦ୍ୱାରା ଅର୍ଥ ମଞ୍ଜୁର ହୋଇଥିଲା । ନାବାର୍ଡ ସହାୟକ ପ୍ରକଳ୍ପ ମାଧ୍ୟମରେ ବନ୍ତ ଥାନା ଛକ ଠାରୁ ଆଡିଆ ପର୍ଯ୍ୟନ୍ତ ୮ କିମି ୨ ଶହ ମିଟର ରାସ୍ତାର ଉନ୍ନତିକରଣ ପାଇଁ ୯ କୋଟି ୫୩ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ ହୋଇଥିଲା । ଏହି ଅର୍ଥରେ ରାସ୍ତାର ପ୍ରଶସ୍ତିକରଣ ସହ ଉଚ୍ଚତା ପାଇଁ ଯୋଜନା କରାଯାଇଥିଲା । ଏଥିସହ ପ୍ରକଳ୍ପ କାର୍ଯ୍ୟ ବନ୍ତ ଥାନା ଛକ ଠାରୁ ଆରମ୍ଭ ହୋଇ ଆଡିଆ ପର୍ଯ୍ୟନ୍ତ ହେବାର ଥିଲା । ଏହି ରାସ୍ତାର ନିର୍ମାଣ ଦାୟୀତ୍ୱ ବିରଜା କନ୍‌ଷ୍ଟ୍ରକ୍ସନ କମ୍ପାନୀକୁ ଦିଆଯାଇଥିଲା । ମାତ୍ର ଏହି କମ୍ପାନୀ ଉକ୍ତ କାର୍ଯ୍ୟକୁ ନିଜେ ନକରି ସ୍ଥାନୀୟ ଅଞ୍ଚଳର ଜଣେ ଉପ ଠିକାଦାରଙ୍କୁ ନିର୍ମାଣ ଦାୟୀତ୍ୱ ପ୍ରଦାନ କରିଥିଲେ । ଗତ ୧ ବର୍ଷ ଧରି ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବନ୍ତ ଥାନା ଛକ ଠାରୁ କାର୍ଯ୍ୟ ଆରମ୍ଭ ନହୋଇ ଆଡିଆ ପାଶ୍ୱର୍ରୁ ଆରମ୍ଭ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ପୁରଣା ରାସ୍ତାର ପିଚୁକୁ ସଂପୂର୍ଣ୍ଣ ଖୋଳା ନଯାଇ ରାସ୍ତାର ଉଭୟ ପାଶ୍ୱର୍କୁ ଖୋଳି ପ୍ରଶସ୍ତିକରଣ କରାଯାଇଥିଲା । ସେହିପରି ରାସ୍ତାରେ ଥିବା ବିଭିନ୍ନ ପୁରୁଣା କଲଭର୍ଟ ଗୁଡିକୁ ବାହାର କରାଯାଇନଥିଲା । କେବଳ କଲଭର୍ଟର ଗୋଟିଏ ପାଶ୍ୱର୍କୁ ଖୋଳା ଯାଇ କାର୍ଯ୍ୟ କରାଯାଇଥିବାର ଦେଖାଯାଇଥିଲା । ପରେ ଆଡିଆ ଠାରୁ ପିଚୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗତ ୪ ଦିନ ତଳେ ଉକ୍ତ ରାସ୍ତାର ରଘୁନାଥପୁର ଛକ ଠାରେ ପିଚୁ କାର୍ଯ୍ୟ ହୋଇଥିଲା । କାମ ହେବାର ୩ ଦିନ ପରେ ରାସ୍ତାରେ ହୋଇଥିବା ପିଚୁ ଗୁଡିକ ଆପେ ଆପେ ଫଡା ଫଡା ହୋଇ ବାହାରି ଯାଇଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏଥିସହ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁନଥିବା ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଭଦ୍ରକ ପୂର୍ତ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ସହ ରାସ୍ତା କାର୍ଯ୍ୟକୁ ବିରୋଧ କରିଥିଲେ । ଅଭିଯୋଗ ପାଇବା ପରେ ଭଦ୍ରକ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମୀୟ ନାୟକ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଉପରୋକ୍ତ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ