ବସଷ୍ଟାଣ୍ଡ ଜମିକୁ ବିକ୍ରି ପାଇଁ ପ୍ରଶାସନର ଉଦ୍ୟମକୁ ଦୃଢ଼ ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଜାତୀୟ ରାଜପଥ ସଂଲଗ୍ନ ଗଣେଶ୍ୱରପୁର ମୌଜାର ୮ଏକର ପରିମିତ ଜମିରେ ବହୁତଳ ଫ୍ଲାଟ୍ ନିର୍ମାଣ କରି ବିକ୍ରି ପାଇଁ ବ୍ରିଟ ଅଧ୍ୟକ୍ଷ ତଥା ବାଲେଶ୍ୱର ଜିଲାପାଳ ଆରମ୍ଭ କରିଥିବା ପ୍ରକ୍ରିୟାକୁ ଏବେ ବିଭିନ୍ନ ମହଲରୁ ଜୋରଦାର ବିରୋଧ ଆରମ୍ଭ ହୋଇଛି ।ଏହି ପରିପ୍ରେକ୍ଷୀରେ ସିଭିଲ ସୋସାଇଟି ପକ୍ଷରୁ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଆୟୋଜିତ ବୈଠକରେ ବାଲେଶ୍ୱରର ବିଭିନ୍ନ ସାମାଜିକ ଓ ଗଣସଂଗଠନ ପ୍ରତିନିଧିମାନେ ପ୍ରଶାସନର ଜିଦଖୋର କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ବିଭିନ୍ନ ସଂଗଠନ ପ୍ରତିନିଧିଙ୍କ ମିଳିତ ସ୍ୱାକ୍ଷରରେ ଆସନ୍ତା ୨୩ ତାରିଖ ପୂର୍ବାହ୍ନ୯ଟା ବେଳେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଜୁନ୍ ୭ ତାରିଖରେ ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଧାର୍ଯ୍ୟ ହୋଇଛି । ଏହି ବୈଠକରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଂପାଦକ ତଥା ବରିଷ୍ଠ ଆଇନଜୀବୀ ମନୋଜ ନାୟକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବସଷ୍ଟାଣ୍ଡ ପାଇଁ ଶିଳାନ୍ୟାସ ପ୍ରକଳ୍ପକୁ ପ୍ରଶାସନ ବିକ୍ରି ପାଇଁ ଉଦ୍ୟମ କରିବା ଉଦବେଗର ବିଷୟ ବୋଲି କହିଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ଗଣସଂଗଠନ ପକ୍ଷରୁ ଲକ୍ଷ୍ମୀଧର ଗିରି, ଅରୁଣ ଜେନା, ସୀତାରାମ ପ୍ରଧାନ, ମାଧବ ଚନ୍ଦ୍ର ମିଶ୍ର, ଗଗନ ବିହାରୀ ସେଠୀ, ଗଣେଶ୍ୱର ଜେନା, ଗୋପୀନାଥ ଦାସ, ନିରଞ୍ଜନ ପରିଡ଼ା, ବିଧାନ ଚନ୍ଦ୍ର ରାୟ, ଉମେଶ ଚନ୍ଦ୍ର ବାରିକ, ଦୀନବନ୍ଧୁ ଲେଙ୍କା, ଜ୍ୟୋତ୍ସ୍ନା ସେନାପତି, ଅକ୍ଷୟ କୁମାର ତ୍ରିପାଠୀ, ଯୋଗେଶ୍ୱର ପ୍ରଧାନ, ମାନସ ରଞ୍ଜନ ପାତ୍ର, ସୁଦର୍ଶନ ଜେନା, ଗିରିଜା ଶଙ୍କର ଦାସ, କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ପଲେଇ ଅଜୟ କୁମାର ସାହୁ, ସେଖ୍ ଅବଦୁଲ ରଫିକ୍, ଗଗନ ଚନ୍ଦ୍ର ସେଠୀ, ବେଣୁଧର ବାରିକ, ଷ୍ଟାଲିନ୍ ମିଶ୍ର, ସୁକାନ୍ତି ଭକ୍ତା ପ୍ରମୁଖ ଏଥିରେ ଯୋଗଦେଇ ପ୍ରଶାସନର ଅପରିଣାମଦର୍ଶୀ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିବା ସହ ଆଗାମୀ ଆନ୍ଦୋଳନରେ ସଂପୂର୍ଣ୍ଣ ସହଯୋଗ ପାଇଁ ସହମତି ପ୍ରକାଶ କରିଥିଲେ । ଏହି ବୈଠକରେ ବରିଷ୍ଠ ନାଗରିକ ମଞ୍ଚ, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଚାଷୀ ଏକତା ମଞ୍ଚ, ମୋଟର ଆସୋସିଏସନ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଫକୀରମୋହନ ସାହିତ୍ୟ ପରିଷଦ, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ସମିତି, ଡାକ କର୍ମଚାରୀ ସଂଘ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ, ଶ୍ରମିକ ସଂଗଠନ ଆଇଏନଟିୟୁସି ଓ ଏଆଇଟିୟୁସି, ରେମୁଣା ଗୋଲେଇ ଉନ୍ନୟନ ପରିଷଦ, ପରିବହନ ମହାସଂଘ, ଜିଲା ଓକିଲ ସଂଘ, ଏସଏସଜି ସଦସ୍ୟା, ବ୍ୟବସାୟୀ ସଂଗଠନ, ବସ୍ତିବାସିନ୍ଦା ସଂଘ, ଛାତ୍ର ଓ ଯୁବ ସଂଗଠନ, ସିଭିଲ୍ ସୋସାଇଟି, ଗଣମାଧ୍ୟମ ପ୍ରତିନିଧି ଓ ଆମ୍ବେଦକର ବିଚାରମଞ୍ଚ ପ୍ରଭୃତି ସଂଗଠନରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


