ରାଜୁ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କିଙ୍ଗ ଫିସର-୧୧ ଚମ୍ପିଆନ
ବାଲେଶ୍ୱର, (ସରୋଜ ପଣ୍ଡା):ପାତ୍ରପଡ଼ା ସୁବର୍ଣ୍ଣେଶ୍ୱର ମନ୍ଦିର ପଡ଼ିଆରେ ଅଷ୍ଟମ ରାଜୁ ଦାସ ମେମୋରିଆଲ ମନ୍ଦିର ବାଡ଼ି ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତିର୍ବିଦ ପଣ୍ଡିତ ମନ୍ମଥ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦଘାଟନ କରିଥିଲେ । ଖେଳରେ ହାରିବା ଜିତିବାକୁ ଅଧିକ ଗୁରୁତ୍ୱ ନ ଦେଇ ଭାଇଚାରା ବଜାୟ ରଖିବାକୁ ସେ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ । ସାରଗାଁର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ନାୟକ, ସମାଜସେବୀ ନଳିନୀ ଦାସ ଓ ରାଜେନ୍ଦ୍ର ରାଉତ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳଙ୍କ ସମେତ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଲୁକ୍କାୟିତ ଖେଳପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ଏହି ଟୁର୍ଣ୍ଣାମେଣ୍ଟ ସହାୟକ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୬ ଦଳଙ୍କ ମଧ୍ୟରୁ ‘କିଙ୍ଗ ଫିସର-୧୧ ଏବଂ ‘ମେକାନିକ ବୟେଜ’ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୬ ଓଭର ବିଶିଷ୍ଟ ମ୍ୟାଚରେ କିଙ୍ଗ ଫିସର ଇଲେଭେନ ୧୯ରନରେ ବିଜୟ ଲାଭ ସହ ଚମ୍ପିଆନ ଘୋଷିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥିମାନେ ଚାମ୍ପିଅନ ଏବଂ ରନର୍ସ-ଅପ ଟିମକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ । ଅଭିଷେକ ମାଇତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା । ବିଜୟ କୁମାର ପାଢ଼ୀ ଏବଂ ବନ ତରେଇ ଏମ୍ପାୟାର ଭାବେ ସମସ୍ତ ମ୍ୟାଚକୁ ପରିଚାଳନା କରିଥିବା ବେଳେ ନନଷ୍ଟପ କ୍ଲବର କର୍ମକର୍ତ୍ତା ତଥା ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ଅୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।


