ବାଲିଗୁଡା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣା; ଉଚ୍ଚସ୍ତରୀୟ ତଦନ୍ତ ଦାବୀ  କଲେ ୪ ପଞ୍ଚାୟତ ବାସୀ

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ):ଗତ ଦିନରେ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ବାଲିଗୁଡ଼ା ଅଞ୍ଚଳର ଜଣାଶୁଣା ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ତଦନ୍ତ ପର୍ଯ୍ୟାପ୍ତ ନୁହେଁ। ବର୍ତ୍ତମାନ ସୁଦ୍ଧା ପୁଲିସ୍ ପ୍ରଶାସନ ପକ୍ଷରୁ ନିଆଯାଇ ଥିବା ପଦକ୍ଷେପ ନିରପେକ୍ଷ ନୁହେ ବୋଲି ଅଭିଯୋଗ କରି ସୋମବାର ବାଲିଗୁଡା ସମେତ ବାଟାଗୁଡା, ମିଡିଆକିଆ ,ଋତୁଙ୍ଗିଆ ଏବଂ ପରମପାଙ୍ଗା ଆଦି ପଂଚାୟତର ବହୁ ସଂଖ୍ୟାରେ ଗ୍ରମାବାସୀ ଫୁଲବାଣୀ ଗସ୍ତ କରି ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଜିଲ୍ଲ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କୁ  ଲିଖିତ ଭାବେ ପ୍ରଦାନ କରିଛନ୍ତି। ଏପରିକି ଅଞ୍ଚଳବାସୀଙ୍କ ଦାବି ପ୍ରକାରେ  ଯଦି ପୁଲିସ୍ ଓ ପ୍ରଶାସନ ପକ୍ଷରୁ ୧୫ ଦିନ ମଧ୍ୟରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାନଯାଏ ତାହାହେଲେ ବାଧ୍ୟ ହୋଇ ଏହି ସବୁ ଅଞ୍ଚଳର ଅଧିବାସୀ ମାନେ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ମଧ୍ୟ ଗଣମାଧ୍ୟମ ଆଗରେ ଆଜି ପ୍ରକାଶ କରିଛନ୍ତି।ଅଭିଯୋଗ ଅନୁଯାୟୀ, ବାଲିଗୁଡା ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଏବଂ ସେହି ଅଂଚଳର ଜଣାଶୁଣା ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ଅଂଚଳରେ ଚାଲିଥିବା ବିଭିନ୍ନ ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବାକୁ ତାଙ୍କର ଚେଷ୍ଟା ସେହି ଅଂଚଳର ଦୁର୍ନୀତି ଖୋର ମାନଙ୍କୁ ଅଡୁଆରେ ପକାଇବା ଫଳରେ ସେହି ଅଂଚଳର କିଛି ଠିକାଦାର ଏବଂ ଅନ୍ୟ କିଛି ବ୍ୟବସାୟୀ ମାନେ ଯୋଜନାବଦ୍ଧ ଭାବରେ ବାହାର ଜିଲ୍ଲାରୁ ସୁପାରି କିଲର ମାନଙ୍କୁ ଡକାଇ ବାଲିଗୁଡାରେ ସେମାନଙ୍କୁ ଦୁଇଦିନ କାଳ ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ  ପାଖରେ ରଖିବା ସହିତ ପରବର୍ତ୍ତୀ  ସମୟରେ ଅଭିମନ୍ୟୁ ପଣ୍ଡା ତାଙ୍କ ଘରେ ଥିବାବେଳେ ସକାଳୁ ସକାଳୁ ତାଙ୍କୁ ବାହାରକୁ ଡାକି ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଘଟଣାର  ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ମାନେ ବାହାରୁ ଆସିଥିବା ମୁଖ୍ୟ ସୁପାରି କିଲର ଏବଂ ତାଙ୍କର ସହେଯାଗୀ ମାନଙ୍କୁ ଏଯାବତ ଗିରଫ କରିବାରେ ଅସମର୍ଥ ଥିବା ବେଳେ ସେମାନଙ୍କୁ ବାଲିଗୁଡାରେ ନିଜ ଘରେ ଦୁଇଦିନ ଧରି ଖାଇବା ପିଇବାକୁ ଦେଇ ଆଶ୍ରୟ ଦେଇଥିବା ଗୋଟିଏ ପରିବାରର ମାଆ ପୁଅଙ୍କ  ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ନେଇ ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତକାରୀ ଅଧିକାରୀ ଏହି ହତ୍ୟାକାଣ୍ଡରେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଲିଙ୍କ ରହିଥିବା ନେଇ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ହେଲେ ସେ ଏଯାବତ ଜଗନ୍ନାଥ ମନ୍ଦିରର କୌଣସି କାଗଜ ପତ୍ର ଯାଞ୍ଚ ନକରି ଏବଂ ଟ୍ରଷ୍ଟର ମୁଖ୍ୟଙ୍କର କୌଣସି ବୟାନ ମଧ୍ୟ ନ ନେଇ ଘଟଣାର ରିପୋର୍ଟ ଦାଖଲ କରିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଦୋକାନ ଗୃହ ଗୁଡିକର ସ୍ଥିତି ଅସୁରକ୍ଷିତ ଥିବା ନେଇ ବାଲିଗୁଡା ଉପ-ଜିଲ୍ଲାପାଳ ଗତ ୦୧.୦୮.୨୦୧୯ ତାରିଖରେ ଦେଇଥିବା  ନିର୍ଦ୍ଧେଶ ପରେ ବାଲିଗୁଡା କୋଠବାଡି ବିଭାଗର ନିର୍ବାହୀ ଯନ୍ତ୍ରୀ ଏହି ସବୁ ଗୃହର ତଦାରଖ କରି ୦୫.୦୮.୨୦୧୯ ତାରିଖରେ ଉପ-ଜିଲ୍ଲାପାଳଙ୍କୁ ତାଙ୍କର ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ସୂଚନା ଅଧିକାର ଆଇନ ବଳରେ ଅଭିମନ୍ୟୁ ପଣ୍ଡା ପାଇଥିବା ବେଳେ ଏହାର ୧୦ ଦିନ ପରେ ହତ୍ୟା କରାଯାଇଛି। ଏଥିରୁ ଏହି ହତ୍ୟା କାଣ୍ଡରେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ମଧ୍ୟ ଲିଙ୍କ ଥିବା ଜଣାପଡୁଛି। ସେହି ରିପୋର୍ଟ ଅନୁସାରେ କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀଙ୍କର ସମ୍ପୃକ୍ତି ରହିଛି। ଟ୍ରଷ୍ଟି ଅଭିମନ୍ୟୁ ପଣ୍ଡାଙ୍କୁ ଜଗନ୍ନାଥ ମନ୍ଦିର ମାର୍କେଟରେ ଥିବା ବ୍ୟବସାୟୀ ଏହି ସଂକ୍ରନ୍ତରେ ତାଙ୍କୁ ଧମକ ଦେବାପରେ ସେ ଗତ ୧୧.୧୧.୨୦୧୭ ତାରିଖରେ ବାଲିଗୁଡା ଥାନାରେ ଏକ ଅଭିଯୋଗ କରିଥିଲେ। ସେହିପରି ମନ୍ଦିରର ପୁର୍ବତନ କର୍ମକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ଏକ ରାଲିରେ ତାଙ୍କୁ ଧମକ ଦେବା ପରେ ସେ ପୁଣି ବାଲିଗୁଡା ଥାନାରେ ଆଉ ଏକ ଅଭିଯୋଗ ଦେଇଥିଲେ। ତାଙ୍କ ଦ୍ୱାରା ସୂଚନା ଅଧିକାର ଆଇନରେ ଆବେଦନ କରାଯାଇଥିବା ତଥ୍ୟରେ ପ୍ରଭାବିତ ହୋଇଥିବା ଅଂଚଳର ଜଣେ ପ୍ରଭାଶାଳୀ  ଠିକାଦାର ତାଙ୍କୁ ଆର୍ଥିକ ପ୍ରଲୋଭନ ଦେବା ସହିତ ସେ ଏହାକୁ ଅଣଦେଖା କରିବାରୁ ତାଙ୍କୁ ସେ ମଧ୍ୟ ହତ୍ୟା ଧମକ ଦେଇଥିବା ମୃତ ଅଭିମନ୍ୟୁ ପଣ୍ଡାଙ୍କ ସ୍ତ୍ରୀଙ୍କଠାରୁ ଜଣାପଡିଥିବା ନେଇ ଦାବି ପତ୍ରରେ ଉଲ୍ଲେଖ ରହିଛି। ଏହି ହତ୍ୟା  ଘଟଣା ପରେ ଉକ୍ତ ଠିକାଦାରଙ୍କୁ ପୁଲିସ ଥାନାକୁ ଡାକି ଜେରା କରିଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ତେଣୁ ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କର ଅନୁସନ୍ଧାନ ସନ୍ଦେହପୁର୍ଣ୍ଣ ଥିବାରୁ ଅଭିମନ୍ୟୁ ପଣ୍ଡାଙ୍କ ପରିବାର ଏହି ଘଟଣାରେ ନ୍ୟାୟ ପାଇବାରେ ଅସଫଳ ହେବେ ବୋଲି କୁହାଯିବା ସହିତ ଏହି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୦.୧୨.୨୦୧୯ ତାରିଖଦିନ ସକାଳେ ଅଭିମନ୍ୟୁ ପଣ୍ଡା ତାଙ୍କ ବାଲିଗୁଡା ସ୍ଥିତ ଘରୁ ସକାଳୁ ସକାଳୁ ଡ଼ାକି ଦୁଇଜଣ ଯୁବକ ସେଠାରେ ଆସି ତାଙ୍କୁ ଅତର୍କିତ ଭାବରେ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ  ବାଲିଗୁଡା ଡାକ୍ତରଖାନାକୁ ନିଆଯିବାପରେ ଡାକ୍ତର ମୃତ ଘୋଷିତ କରିଥିଲେ। ତେବେ ଅଭିମନ୍ୟୁ ପଣ୍ଡା ବାଲିଗୁଡା ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ଟ୍ରଷ୍ଟି ଥିଲେ । ମନ୍ଦିରରେ ଥିବା ବିଭିନ୍ନ ଅସୁବିଧା ବାବଦରେ ସେ ତଦନ୍ତ କରିବା ସହିତ ଅଂଚଳରେ ହେଉଥିବା ଦୁର୍ନୀତିକୁ ସୂଚନା ଆଇନ ବଳରେ ଲୋକଲୋଚନକୁ ଆଣୁଥିଲେ। ଯାହା ଅଂଚଳର କିଛି ଦୁର୍ନୀତି ଖୋର ଲୋକଙ୍କର ସ୍ୱର୍ଥହାନୀ ଘଟୁଥିଲା। ଫଳରେ ତାଙ୍କୁ ଏଭଳି ହତ୍ୟା କରାଯାଇଛି ବୋଲି କହିଛନ୍ତି ତାଙ୍କ ସାନ ଭାଇ ଅଜିତ କୁମାର ପଣ୍ଡା । ସେମାନେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଇବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ