ବାଲି ସଂକଟ ନେଇ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଭାଲୁ ବସା ପଞ୍ଚାୟତ ଘେରାଉ ଓ ରାସ୍ତାରୋକ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସରକାରଙ୍କ ବାଲିଘାଟ ନିୟମ ଅଙ୍କୁଶ ନୀତି ଯୋଗୁଁ ଆଜି କୋଠାବାଡ଼ି,ରାସ୍ତାଘାଟ ନିର୍ମାଣ ବାଧାପ୍ରାପ୍ତ । ଦୀର୍ଘ ବର୍ଷେ ହେଲା ସବୁ ନିର୍ମାଣ କାର୍ଯ୍ୟ ପଛୁଆ ।ଲଘୁ ଖଣିଜ ପଦାର୍ଥ ବାଲି ରାଜସ୍ଵ ବିଭାଗରୁ ଖଣି ବିଭାଗକୁ ଚାଲି ଯାଇଛି ।ଖଣି ବିଭାଗ କାର୍ଯ୍ୟାଳୟ ମନ୍ଥର ଗତିରେ ଚାଲିଛି ।ବାଲିଘାଟ ନିଲାମ ହୋଇଛି ଅଥଚ ଖଣି ବିଭାଗ କୌଣସି ନା କୌଣସି କାରଣରୁ ଇସି ବାଲିଘାଟ ମାଲିକକୁ ଦେଉନାହିଁ ।ଯାହାଫଳରେ ବାଲିଘାଟ ମାଲିକ ମନଇଛା ରୟଲଟି କାଟି ଦେଇଦେଉଛି କିନ୍ତୁ ରାସ୍ତା ଚାଲାଣ ଦେଉନାହିଁ ।ଟ୍ରାକ୍ଟର ମାଲିକ ବାଲି ବିନା ଚାଲାଣରେ ରାସ୍ତାରେ ଆସୁଥିବାବେଳେ ଖଣି ବିଭାଗ ଓ ପୋଲିସ ବିଭାଗ ଯନ୍ତାରେ ପଡୁଛନ୍ତି ।ହଜାର ହଜାର ଟଙ୍କା ଜୋରିମାନା ଦେବାସହ କର୍ମଚାରୀ ଜେଲ ଯାଉଛନ୍ତି । ତେଣୁ ଋଣଗ୍ରସ୍ତ ଟ୍ରାକ୍ଟର ମାଲିକ ଓ କର୍ମଚାରୀ ଭୟରେ ଟ୍ରାକ୍ଟର ଘରେରଖି ମାସିକ ଋଣ କିସ୍ତି ଅଯଥାରେ ଦେଇ ଅଶାନ୍ତି ରେ ଦିନ କାଟୁଛନ୍ତି । ଅପରପକ୍ଷରେ ବାଲି ନ ପାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନେ ବର୍ଷେ ହେଲା ଅଧାପନ୍ତରିଆ ଘର କରି ହନ୍ତସନ୍ତ ହେଉଛନ୍ତି ।ନିଜ ଘର ଭାଙ୍ଗି ପରପିଣ୍ଢାରେ ମୁଣ୍ଡ ଗୁଞ୍ଜି ଦୁଃଖକଷ୍ଟ ରେ ଦିନ କାଟୁଛନ୍ତି । ଏହାକୁ ନେଇ କିଛି ଦିନ ତଳେ ଟ୍ରାକ୍ଟର ମାଲିକ, କର୍ମଚାରୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ତହସିଲଦାର ବୁଝାବୁଝି କରିଥିଲେ । କିନ୍ତୁ ପରେ ତହସିଲଦାର ଙ୍କ ଆଲୋଚନା ସଫଳ ହୋଇ ପାରି ନଥିଲା । ଅପରପକ୍ଷରେ ଆଜି ବାଧ୍ୟ ହୋଇ ଶତାଧିକ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ବାଲି ସଂକଟ ନେଇ ଭାଲୁ ବସା ପଞ୍ଚାୟତ ଘେରାଉ କରିବା ସହ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ସରପଞ୍ଚଙ୍କୁ ପଞ୍ଚାୟତ ଭିତରେ ଅଟକ ରଖିଥିଲେ ।କହିଥିଲେ ବାଲି ଯୋଗାଣ ବ୍ୟବସ୍ଥା କର ନଚେତ କାର୍ଯ୍ୟାଦେଶ ଫେରାଇ ନିଅ ।ପରେ ରାଇରଙ୍ଗପୁର ଟାଉନ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଓ ଲୋକେ ଆନ୍ଦୋଳନରୁ ଓହରି ଥିଲେ । କିନ୍ତୁ ପ୍ରଶାସନ, ସରପଞ୍ଚ ଓ ପୋଲିସ ଲୋକଙ୍କୁ ସଫଳ ବାର୍ତ୍ତା ଦେଇ ପାରି ନଥିଲେ । ଅପରପକ୍ଷରେ ଖଣି ବିଭାଗ କହିଥିଲେ ଭୁବନେଶ୍ବରରରେ ଖଣି ବିଭାଗ ତରଫରୁ ସ୍ପଷ୍ଟ ନିର୍ଦେଶ ନ ଆସିଲା ପର୍ଯ୍ୟନ୍ତ ଆମ୍ଭେ କିଛି କହି ପାରିବୁ ନାହିଁ ଆମ୍ଭେ ସଂପୂର୍ଣ୍ଣ ଅସହାୟ ।


