ବାଲେଶ୍ଵରବାସୀଙ୍କୁ ନବୀନଙ୍କ ଉପହାର : ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ
ଭୁବନେଶ୍ୱର, (ୱାଇଏନ୍ଏସ୍): ବାଲେଶ୍ୱର ସହର ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ ପଟ୍ଟାନାୟକ । ବାଲେଶ୍ୱର ମୁନସିପାଲିଟି ଅଚଂଳରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ପାଇଁ ଏହି ପ୍ୟକେଜ ଘୋଷଣା କରାଯାଇଛି । ବାଲେଶ୍ୱର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ୟାୟର ଉଚ୍ଚସ୍ତରୀୟ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ୫ଟି ସଚିବଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ସକାଳେ ବାଲେଶ୍ୱର ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପୌରାଞ୍ଚଳ ପାଇଁ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି “ବାଲେଶ୍ଵର ହେଉଛି ଓଡିଶାର ଆଉ ଏକ ମୁଖ୍ୟ ସହର । ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ । ତୁମୂଳିଆ ଗେଟ ଫ୍ଲାଇଓଭର ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ ଥାକିଆ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ବାଲେଶ୍ଵରର କ୍ରୀଡାବିତଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ମଲ୍ଟି ପ୍ରପୋଜ ଇନଡୋର ହଲ୍ ଓ ସ୍ୱିମିଂ ପୁଲ୍ ଭିତ୍ତିଭୂମିର ବିକାଶ କରାଯିବ । ଏହାସହିତ କ୍ରୀଡାବିତଙ୍କ ପାଇଁ ଉଚ୍ଚମାନର ତାଲିମ ବ୍ୟବସ୍ଥା କରାଯିବ । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଜୀବନରେଖା ବୁଢାବଳଙ୍ଗ ନଦୀରେ ୫୩ କୋଟି ଟଙ୍କା ଖର୍ଚ୍ଚରେ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ବାଲେଶ୍ଵର ସହରବାସୀଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବୁଢାବଳଙ୍ଗ ନଦୀକୂଳର ଆବଶ୍ୟକ ବିକାଶ କରାଯିବ । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡିକ ଯଥା ଗଡଗଡିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦଯ୍ୟକରଣ ଓ ବିକାଶ କରାଯିବ । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନେଜ କେନାଲ ଓ ତତସଂଯୁକ୍ତ ରାସ୍ତା ଗୁଡିକର ୭ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ ।


