ବାଲେଶ୍ୱରରେ ଅମ୍ଳଜାନ କାରଖାନା ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବନିର୍ମିତ ପିଏସଏ (ପ୍ରେସର ସ୍ୱିଙ୍ଗ ଏଡଜର୍ପସନ) ଅମ୍ଳଜାନ କାରଖାନା ବୁଧବାର ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଥିଲେ । ପିଏମ କେୟାର୍ସ ଫଣ୍ଡରୁ ମିଳିଥିବା ଅନୁଦାନରେ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ନିର୍ମିତ ଏହି ୧ହଜାର ଏଲପିଏମ କ୍ଷମତା ବିଶିଷ୍ଟ ଅମ୍ଳଜାନ କାରଖାନା ବାଲେଶ୍ୱର ସମେତ ପଡ଼ୋଶୀ ଜିଲା ଏବଂ ରାଜ୍ୟର ରୋଗୀଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସାଂସଦ ଶ୍ରୀ ଷଡଙ୍ଗୀ ଆଶାବ୍ୟକ୍ତ କରିଥିଲେ । କୋଭିଡ ମହାମାରୀ ସମୟରେ ଅମ୍ଳଜାନ ଅଭାବ ବହୁ ଜୀବନ ଚାଲିଯାଇଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ସ୍ଥାପିତ ଏହିଭଳି କାରଖାନା ଅଭାବ ପୂରଣରେ ସହାୟକ ହେବ ବୋଲି ସେ କହିଥିଲେ । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ସବୁ ଜିଲାରେ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ସରକାର ପଦକ୍ଷେପ ନେଇଥିବା କହିଥିଲେ । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଓଡ଼ିଶା ଉଦାହରଣ ସୃଷ୍ଟି କରିପାରିଥିବା ସେ ପ୍ରକାଶ କରିଥିଲେ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲାର ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯଥେଷ୍ଟ ଉନ୍ନତି ଆସିପାରିଥିବା ମତବ୍ୟକ୍ତ କରିଥିଲେ । ଏହି ଅମ୍ଳଜାନ କାରଖାନା ଜିଲାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଥିଲେ । ତେବେ ଏହାର ନିୟମିତ ରକ୍ଷାଣବେକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାରଖାନାର କୋଠା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣଙ୍କ ଦ୍ୱାରା ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଯନ୍ତ୍ରାଂଶ ଓ ଆନୁସଙ୍ଗିକ ଉପକରଣ ସ୍ଥାପନରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥାନ(ଡିଆରଡିଓ) ୭୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛି । ଏନେଇ ଉଭୟ ଏନ.ଏଚ.ଏ.ଆଇ. ଏବଂ ଡି.ଆର.ଡି.ଓ.ଙ୍କୁ ଅତିଥିମାନେ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲର ଡିନ ଏବଂ ଅଧ୍ୟକ୍ଷ ପ୍ରଫେସର ଡା. ରାମଚନ୍ଦ୍ର ଗିରି, ଅଧୀକ୍ଷକ ପ୍ରଫେସର ଡା.ସୁଜାତା ମିଶ୍ର, ଜିଲ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି, ବିଭାଗୀୟ ମୁଖ୍ୟ, ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନଧି ଉପସ୍ଥିତ ଥିଲେ । ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଡିପିଏମ ଅନୀଲ ମହାନ୍ତିଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।


