କେବେ ଦାବି ଶୁଣିବ ପ୍ରଶାସନ- ହାଟଡ଼ିହି ବ୍ଲକ ପରିସରରେ ଶୌଚାଳୟ ବ୍ୟବସ୍ଥା କରିବାକୁ ଦାବି
ହାଟଡିହି, (ବିକାଶ ବିଶ୍ୱାଳ ) : ସରକାର ବ୍ଲକ ଜରିଆରେ ସ୍ୱଚ୍ଛ ଭାରତ ଯୋଜନାରେ ଗାଁ ଠାରୁ ସହର ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଶୌଚାଳୟ ସାଙ୍ଗକୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ପରିସରରେ ଶୌଚାଳୟ ର ବ୍ୟବସ୍ଥା ନଥିବାରୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବ୍ଲକକୁ ବିଭିନ୍ନ ଅନୁଦାନ ବାବଦକୁ କୋଟି କୋଟି ଟଙ୍କା ଆସୁଥିବା ବେଳେ ବ୍ଲକ ପକ୍ଷରୁ ବିଭିନ୍ନ ଗାଁ ଅନୁଷ୍ଠାନ ମାନଙ୍କରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । କିନ୍ତୁ ବ୍ଲକକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଶୌଚାଳୟର କୌଣସି ବ୍ୟବସ୍ଥା ନାହିଁ । ଦୂର ଦୂରନ୍ତାକୁ ଆସୁଥିବା ଲୋକ ମାନେ ଯେପରି ଅସୁବିଧା ଭୋଗ କରୁଛନ୍ତି ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାଷ କରିହେବ ନାହିଁ । ବ୍ଲକକୁ ଦୈନିକ ଏସଏଚଜି ଗ୍ରୃପ ମହିଳାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମାଧାନ, ବିଜୁ କୁଡ଼ିଆ ଗୃହ, ପ୍ରଧାନମନ୍ତ୍ରୀ ଗୃହ, ପିଡ଼ିଏସ ସାମଗ୍ରୀ ପାଉନଥିବା ଓ ବିଭିନ୍ନ କାର୍ଯ୍ୟ ପାଇଁ ଶହ ଶହ ମହିଳା ବ୍ଲକକୁ ଆସିଥାନ୍ତି । କିନ୍ତୁ ବ୍ଲକ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ପରିସ୍ରାଗାର କି ଶୌଚାଳୟଟିଏ ନାହିଁ । ଯାହା ଫଳରେ ମହିଳା ଓ ଯୁବତୀ ମାନେ ଏଥିପାଇଁ ଦୂରକୁ ଯିବାକୁ ପଡ଼ୁଥିବା ବେଳେ ଅନେକ ସମୟରେ ଲଜ୍ଜାକର ପରିସ୍ଥିତିରେ ପଡ଼ିଥାନ୍ତି । ଖାଲି ଏହି ମହିଳା ମାନେ ନୁହଁନ୍ତି ନିର୍ବାଚିତ ଲୋକପ୍ରତିନିଧୀ ମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିବର୍ଷ ୪ଥର ପଞ୍ଚାୟତ ସମିତି ବୈଠକ ଓ ଅନ୍ୟାନ୍ୟ ବାବଦ ପାଇଁ ୪/୫ଟି ବୈଠକ ହେଉଥିବାବେଳେ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ମାନେ ବ୍ଲକକୁ ଆସୁଥିବାବେଳେ ଶୌଚାଳୟର ବ୍ୟବସ୍ଥା ନଥିବାରୁ ନାନା ଅସୁବିଧା ଭୋଗ କରୁଛନ୍ତି । କିନ୍ତୁ ଏହି ଲୋକପ୍ରତିନିଧି ସରପଞ୍ଚ କିମ୍ବା ସମିତିସଭ୍ୟ ସଭ୍ୟା ମାନେ ଥରେ ଦୁଇଥର ଏନେଇ ସମିତି ବୈଠକରେ ପ୍ରଶ୍ନ ଉଠାଇ ଆଲୋଚନାରେ ସିମିତ ରଖିଦେଲେ ସିନା ତା ପରେ ଆଉ କେହି ଏ ବାବଦରେ ଅଭିଯୋଗ ମଧ୍ୟ କଲେନାହିଁ । ବ୍ଲକର ବିଡିଓ ଓ ଅନ୍ୟ କିଛି କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟ ଭିତରେ ଶୌଚାଳୟ ବ୍ୟବସ୍ଥା ଥିବାରୁ ଅଧିକାରୀ ମାନେ ଅନ୍ୟ ମାନଙ୍କ ଅସୁବିଧା ସମ୍ପର୍କରେ ଜାଣି ପାରୁନାହାନ୍ତି । ସେହିପରି ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଦୈନିକ ବ୍ଲକକୁ ଆସୁଥିବା ଶହ ଶହ ଲୋକ ପାଣି ପିଇବା ପାଇଁ ଡ଼ହଳ ବିକଳ ହେଉଛନ୍ତି । ଫଳରେ ବହୁ ବାଟ ଯାଇ ହୋଟେଲ ଓ ଜଳଖିଆ ଦୋକାନରୁ ପାଣି ପିଇଥାନ୍ତି । ବ୍ଲକ କାର୍ଯ୍ୟାଳୟରେ ବାହାର ଲୋକଙ୍କ ପାଇଁ ପିଇବା ପାଣିର ସୁବିଧା ନଥିବାରୁ ଖରାଦିନେ ଲୋକଙ୍କ ପାଇଁ ବହୁ ଅସୁବିଧା ସମ୍ମୁଖିନ ହୋଇଥାନ୍ତି । ଏ ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ବହୁବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଗତବର୍ଷ ବ୍ଲକ ପକ୍ଷରୁ ପୁର୍ବତନ ବିଡିଓ କିଛି ପାଇଖାନା ନିର୍ମାଣ କରିଥିଲେବି ତାହା ବ୍ୟବହାର ଉପଯୋଗୀ ହୋଇନଥିବାରୁ ତାହାକୁ ଭାଙ୍ଗି ଦିଆଯାଇ ସେହି ସ୍ଥାନରେ ନୁଆ ବିଲ୍ଡିଂ ନିର୍ମାଣ ଚାଲିଛି । ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବ୍ଲକ ପରିସରରେ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ବ୍ୟବସ୍ଥା କରିବା ସହିତ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବାକୁ ଦାବି ହେଉଛି ।


