ବିଦ୍ୟୁତ୍ ଶୁଳ୍କ ବଢିଲେ ରାଜରାସ୍ତାରେ ଲଢେଇ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗ୍ରୀଡ଼କୋର ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ବୁଧବାର ଦିନ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଏକ ଜରୁରୀ ବୈଠକ ସ୍ଥାନୀୟ ଲୋହିଆ ଭବନଠାରେ ମହାସଂଘର ରାଜ୍ୟ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ମହାସଂଘର ଆବାହକ ରବି ବେହେରା ଗ୍ରୀଡ଼କୋର ପ୍ରସ୍ଥାବିତ ଶୁଳ୍କ ବୃଦ୍ଧି ସମ୍ପୂର୍ଣ୍ଣ ଜନବିରୋଧୀ ବୋଲି ଅଭିହିତ କରିବା ସହିତ ଏହା ଉପରେ ବିଶେଷ ଆଲୋକପାତ କରିଥିଲେ । ପଡ଼ୋଶୀ ରାଜ୍ୟମାନଙ୍କରେ ବିଦ୍ୟୁତ୍ ଶୁଳ୍କ ଅପେକ୍ଷାକୃତ କମ୍ ଥିଲାବେଳେ ଓଡ଼ିଶାରେ ବିଦ୍ୟୁତ୍ କମ୍ପାନୀମାନେ ନିଜର ଅପାରଗତା, ଦୁର୍ନୀତି ଓ ସରବରାହ ଜନିତ କ୍ଷତିକୁ ଭରଣା କରିବା ପାଇଁ ଉପଭୋକ୍ତା ମାନଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝକୁ ଲଦି ଚାଲିଛନ୍ତି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ ।ଏଠାରେ ଉଲ୍ଲେଖଥାଉକି, ୧୯୯୪-୯୫ ମସିହାରେ ସମଗ୍ର ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ବିଦ୍ୟୁତ୍ ସଂସ୍କାର କ୍ଷେତ୍ରରେ ଆଗଭର ହୋଇଥିଲା । ସେତେବେଳେ ରାଜ୍ୟର ୧୦ଲକ୍ଷ ଉପଭୋକ୍ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ସଂସ୍କାର ହେଲେ ସେମାନେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଶସ୍ତା ଓ ସୁଲଭ ମୂଲ୍ୟରେ ପାଇପାରିବେ । ଆମ ରାଜ୍ୟରେ ୧୧ ଭାଗ ପାଣି ୨୬ ଭାଗ କୋଇଲା ଥିଲାବେଳେ ଏଥିରୁ ଉତ୍ପାଦିତ ହେଉଥିବା ବିଜୁଳି ପ୍ରତିବର୍ଷ ମହଙ୍ଗା ହେବାରେ ଲାଗିଛି । ଆମ ଠାରୁ କୋଇଲା କିଣି ବିଜୁଳି ଉତ୍ପାଦନ କରୁଥିବା ରାଜ୍ୟମାନେ ଶସ୍ତାରେ ଖାଉଟିଙ୍କୁ ବିଜୁଳି ସେବା ଯୋଗାଇ ଦେଉଛନ୍ତି । ଆଜିର ଡିଜିଟାଲ ଯୁଗରେ ବିନା ବିଜୁଳିରେ ସଭ୍ୟତାର ବିକାଶ କଥା ଚିନ୍ତା କରାଯାଇ ପାରେନା । ତେଣୁ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିଜୁଳି କମ୍ପାନୀମାନଙ୍କର ଶୋଷଣ ଓ ଅତ୍ୟାଚାର କବଳରୁ ରାଜ୍ୟର ୧କୋଟି ଖାଉଟିଙ୍କୁ ସୁରକ୍ଷା ଦେବାକୁ ମହାସଂଘ ଦାବି କରିଛି । ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଗ୍ରୀନ ଏନର୍ଜି ଓ ସୋଲାର ବିଦ୍ୟୁତ୍ ଶକ୍ତି ଉତ୍ପାଦନକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଏହି ବୈଠକରେ ମହାସଂଘ ମତପ୍ରକାଶ କରିଛି । ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବିଜୁଳି ସେବାକୁ ନେଇ ଆନ୍ଦୋଳନ କରୁଥିବା ସମସ୍ତ ଖାଉଟି ଓ ଖାଉଟି ସଂଘଗୁଡ଼ିକ ମହାସଂଘର ଛତା ତଳେ ଏକାଠି ହେବାକୁ ମହାସଂଘ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ବିଦ୍ୟୁତ୍ କମ୍ପାନୀ ଗୁଡ଼ିକର ଲାଭକ୍ଷତିର ହିସାବ ସିଏଜି ଦ୍ୱାରା କରିବା, ପ୍ରତିମାସର ନିର୍ଦ୍ଦିଷ୍ଟ ତାରିଖରେ ଖାଉଟିଙ୍କୁ ବିଜୁଳି ବିଲ୍ ଓଡ଼ିଆ ଭାଷାରେ ଯୋଗାଇ ଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହି ବୈଠକରେ ମହାସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ସିପିଏମ୍ ନେତା ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ୍‌ଏଲ) ପକ୍ଷରୁ ପୂର୍ବତନ ବିଧାୟକ ରଧାକାନ୍ତ ସେଠି, ଏନ୍‌ସିପି ରାଜ୍ୟ ସଭାପତି ବକ୍ରମ ସ୍ୱାଇଁ, ଫରୱାର୍ଡ଼ ବ୍ଲକ ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ସିପିଆଇ (ଏମଏଲ) ରେଡ଼ଷ୍ଟାର ପକ୍ଷରୁ ନାରୀନେତ୍ରୀ ପ୍ରମିଳା ବେହେରା, ସୌଭାଗ୍ୟ ରାଉତ, କେନ୍ଦ୍ରାପଡ଼ା ବିଦ୍ୟୁତ୍ ଖାଉଟି ମଞ୍ଚର ସଭାପତି ଆଇନଜୀବୀ ଭୀମସେନ ପରିଡ଼ାଙ୍କ ସମେତ ସର୍ବଶ୍ରୀ ଶରତ ଚନ୍ଦ୍ର ବେହେରା, ସଞ୍ଜୟ ନାୟକ, ପ୍ରଫୁଲ୍ଲ ଦାସ ଓ ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତି ମାସରେ ମହାସଂଘର ବୈଠକ ଅନୁଷ୍ଠିତ ହେବା ସହିତ ଭୁବନେଶ୍ୱରର ୬୭ଟି ୱାର୍ଡ଼ରେ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଶାଖା ଗଠନ କରାଯିବ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ସମ୍ମିଳନୀ କରାଯାଇ ଟାଟା କମ୍ପାନୀ ଭଳି ବିଦ୍ୟୁତ କମ୍ପାନୀମାନଙ୍କର ଖାଉଟି ଶୋଷଣ ବିରୁଦ୍ଧରେ ଆନ୍ଦେଳନକୁ ଜୋରଦାର କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତ୍‌ି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ