ବିନା ସୂଚନାରେ ୭ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟୁତ କାଟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ୍ ଅଧିନ ଇଚ୍ଛାପୁର ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ ମନମାନି ଯୋଗୁଁ ୭ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ୫ଟି ଗ୍ରାମର ଲୋକେ ଅନ୍ଧାରରେ ରହି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୂଚନା ଅନୁଯାୟୀ ସେହି ବିଦ୍ୟୁତ ସେକ୍ସନ ଅନ୍ତର୍ଗତ ନାଗପୁର, ଦେପୁର, ସାରଙ୍ଗ, କଦଳୀବାଡି ସମେତ ଓସ୍ତପୁର (ଆଂଶିକ) ର ଶତାଧିକ ଲୋକ କନିଷ୍ଠ ଯନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଅନ୍ଧାରରେ ହନ୍ତସନ୍ତ ହୋଇଥିଲେ । ଗତ ୪ ତାରିଖ ଦିନ ବିଦ୍ୟୁତ ବିଭାଗ ପକ୍ଷରୁ ପୂର୍ବାହ୍ଣ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେବ ବୋଲି ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଥିଲା । ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଦ୍ୟୁତ ସରବରାହ ଯୋଗାଇ ଦିଆଯାଇଥିଲା । କିନ୍ତୁ ଇଚ୍ଛାପୁର ସେକ୍ସନ ଅନ୍ତର୍ଗତ ଉପରୋକ୍ତ ୫ ଖଣ୍ଡି ଗ୍ରାମର ବିଦ୍ୟୁତ ଉପଭୋକ୍ତାଙ୍କୁ ବିନା ସୂଚନା ଓ ବିନା କାରଣରେ ସନ୍ଧ୍ୟା ୬ ଟାରୁ ରାତ୍ର ଗୋଟାଏ ପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଇଥିଲା । ଏହାର କାରଣ ଜାଣିବାକୁ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ସେହିସବୁ ଅଞ୍ଚଳରେ ସରସ୍ୱତୀ ଭଷାଣୀ ହେଉଛି । ତେଣୁ ବିଦ୍ୟୁତ କାଟ କରାଯାଇଛି ବୋଲି ଏକ ଅଯୁକ୍ତିକର କଥା କହିବା ସହ ଭଷାଣୀ କମିଟିର ଲିଖିତ ସୁପାରିଶ ଏବଂ ଉଚ୍ଚ କତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟୁତ କାଟ କରାଯାଇଥିବା କନିଷ୍ଠ ଯନ୍ତ୍ରୀ ସଫେଇ ଦେଇଥିଲେ । କିନ୍ତୁ ଭଷାଣୀ ସହିତ ବିଦ୍ୟୁତ କାଟର କୈାଣସି ସମ୍ପର୍କ ନଥିବାବେଳେ କନିଷ୍ଠ ଯନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉପଭୋକ୍ତାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ଭଷାଣୀ ଉତ୍ସବ ଚଳିତ ବର୍ଷ ନୂଆ ନୁହେଁ । ବିଗତ କିଛି ବର୍ଷ ଧରି ଏଭଳି ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଥିଲେ ମଧ୍ୟ କୈାଣସି ବର୍ଷ ଏଭଳି ବିଦ୍ୟୁତ କାଟ କରାଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୂଜା କମିଟି ପକ୍ଷରୁ ଗଢା ଯାଇଥିବା ଶାନ୍ତି କମିଟି କର୍ମକର୍ତ୍ତାଙ୍କୁ ପଚାରିବାରୁ କମିଟି ପକ୍ଷରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଏସମ୍ପର୍କରେ କୈାଣସି ଲିଖିତ ଦରଖାସ୍ତ ଦିଆଯାଇନଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ଘଟଣାର ବାସ୍ତବତା ଜାଣିବା ପାଇଁ ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ ଆମ ପାଖରେ କୈାଣସି ସୂଚନା ନଥିବା କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ କରିବାକୁ ହେଲେ ସେହି ସବୁ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପୂର୍ବରୁ ବିଦ୍ୟୁତ କାଟ ସମ୍ପର୍କରେ ସୂଚନା ଦିଆଯିବାର ବ୍ୟବସ୍ଥା ଥିବାବେଳେ ଜଣେ କନିଷ୍ଠ ଯନ୍ତ୍ରୀ କିଭଳି ମନମୁଖୀ ଭାବେ ବିଦ୍ୟୁତ କାଟ କରି ପ୍ରାୟ ୭ ଘଣ୍ଟା ଧରି ଲୋକଙ୍କୁ ଅନ୍ଧାରରେ ରଖିପାରିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳ ଏବଂ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାମାନଙ୍କ ପକ୍ଷରୁ ଦାବୀ ହୋଇଛି ।


