ବିପଦପୂର୍ଣ୍ଣ ମାର୍ଲବା ଘାଟିରେ ବାଇକ୍ ଦୁର୍ଘଟଣା, ୨ଭାଇ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ଜେଡ ବୁଲାଣିଆରେ ପୂର୍ଣ୍ଣ ମାର୍ଲବା ଘାଟିରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି । ଏଥିରେ ବାଇକଟି ଘାଟି ଉପରୁ ୧୫ଫୁଟରୁ ଉର୍ଦ୍ଧ ତଳକୁ ପଡି ୨ଭାଇଙ୍କ ମୃତ୍ୟୁ ଘଟିଥିବାର ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନରେ ରାୟଗଡ ଗ୍ରାମର ହର୍ଷ ରଞ୍ଜନୀ ସ୍ୱାଲସିଂଙ୍କ ଦୁଇ ପୁଅ କ୍ଲିଣ୍ଟନ ସ୍ୱାଲସିଂ (୨୨) ଓ ବିଟୁନ ସ୍ୱାଲସିଂ (୨୪) ଦୁଇ ଭାଇ ଏକ ମୋଟର ସାଇକେଲ ଯୋଗେ ଗଜପତି ଜିଲ୍ଲାର ବଡପଦା ଠାରୁ ମାତ୍ର ୧୦କିମି ଦୂରରେଥିବା ନିଜ ଗ୍ରାମ ରାୟଗଡ ଅଭିମୁଖେ ଆସୁଥିବା ବେଳେ ମାର୍ଲବା ଘାଟିର ବିପଦପୂର୍ଣ୍ଣ ବୁଲାଣି ନିଟକରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସାନଭାଇ ବାଇକ ଚଳାଉ ଥିବା ବେଳେ ପଛରେ ବଡଭାଇ ବସିଥିଲେ । ବାଇକଟି ଘାଟି ଉପରୁ ୧୫ଫୁଟ ତଳକୁ ଖସି ପଡିଥିଲା । ଦୁର୍ଘଟଣା ସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିଲା । ବଡଭାଇକୁ ରାୟଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପରିସ୍ଥିତି ଅତ୍ୟନ୍ତ ଗୁରୁତର ଥିବାରୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଗଲା । ହେଲେ ଡାକ୍ତରଖାନା ଯିବା ବାଟରେ ବଡଭାଇଙ୍କ ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏକା ବେଳେ ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ରାୟଗଡ ଥାନା ପୋଲିସ ପହଚ ତଦନ୍ତ କରୁଛନ୍ତି । ଏ ନେଇ ୭୭/୨୧ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ସୂତ୍ରରୁ ପ୍ରକାଶ ।


