ବିବାହ ପୂର୍ବରୁ ଅକ୍ଷୟଙ୍କ ହୋଇଥିଲା ମେଡିକାଲ ହିଷ୍ଟ୍ରି ଯାଞ୍ଚ
ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ବଲିଉଡର ଚର୍ଚ୍ଚିତ ଦମ୍ପତ୍ତିଙ୍କ ମଧ୍ୟରେ ଅନ୍ୟତମ । ତେବେ ଅନେକ ହୁଏତ ଜାଣି ନଥିବେ ବିବାହ ପୂର୍ବରୁ ଟ୍ୱିଙ୍କଲ ଅକ୍ଷୟଙ୍କ ସମ୍ପର୍କିତ କିଛି ନିଆରା ତଥ୍ୟ ସଂଗ୍ରହ କରିଥିଲେ । ଏକ ଚାଟ ସୋ’ରେ ନିଜେ ଟ୍ୱିଙ୍କଲ ଏହା ପ୍ରକାଶ କରିଥିଲେ । କହିଥିଲେ,‘ଆମେ ବିବାହ କରିବାକୁ ସ୍ଥିର କରିବା ପରେ ଅକ୍ଷୟଙ୍କ ସମେତ ତାଙ୍କ ପରିବାର, ସମ୍ପର୍କୀୟଙ୍କର ଏକ ତାଲିକା କରି ସେମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସବୁ ତଥ୍ୟ ମୁଁ ସଂଗ୍ରହ କରିଥିଲି । ଏପରିକି ସେମାନଙ୍କର କେଶ ଝଡ଼ିବା, କେଶ ଧଳା ହେବାର ବୟସ ବିଷୟରେ ବି ଅକ୍ଷୟଙ୍କୁ ପଚାରି ବୁଝିଥିଲି ।’ ଏ ସମ୍ପର୍କରେ ଅକ୍ଷୟ କହିଥିଲେ ପ୍ରଥମେ ଟ୍ୱିଙ୍କିଲଙ୍କର ଏଭଳି ତାଲିକା ଦେଖି ମୋତେ ରାଗ ଲାଗିଥିଲା । ପରେ ଏହା କେତେ ଜରୁରୀ ବୁଝିପାରିଲି । ଲୋକେ ବିବାହ ପୂର୍ବରୁ ଜାତକ ନ ମିଳାଇ ଏହି ସବୁ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ । ପୁଅ ଝିଅଙ୍କର ମେଡିକାଲ ପରୀକ୍ଷା କରାଇବା ସହ ଉଭୟ ପରିବାରର ମେଡିକାଲ ହିଷ୍ଟ୍ରି ଯାଞ୍ଚ କରିବା ଦରକାର । ଏପରି ହେଲେ ଦମ୍ପତ୍ତିଙ୍କ ପିଲାମାନେ ବହୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇପାରିବେ । ଏହି ଛୋଟ କଥା ଉପରେ ଧ୍ୟାନ ଦେଲେ ବୈବାହିକ ଜୀବନ ଅଧିକ ସୁଖମୟ ହୋଇପାରିବ ବୋଲି ଅକ୍ଷୟ ପରାମର୍ଶ ଦେଇଥିଲେ ।


