ସାତଦଫା ଦାବିରେ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ଆନ୍ଦୋଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମହାମାରୀ କରୋନା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରମିକମାନେ । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ବିଏସ୍ଏନ୍ଏଲ୍ କର୍ମଚାରୀମାନଙ୍କୁ ଦୀର୍ଘଦିନ ଧରି ମଜୁରୀ ମିଳୁନାହିଁ । ସେମାନେ ବର୍ତ୍ତମାନ ପରିସ୍ଥିତିରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ବିଏସଏନଏଲର ଚିଫ୍ ଜେନେରାଲ ମ୍ୟାନେଜର, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଶ୍ରମକମିଶନରଙ୍କୁ ଗତ ୨୮ତାରିଖରେ ଅଭିଯୋଗକରିଥିଲେ ସୁଦ୍ଧା କୌଣସି ପ୍ରତିଶ୍ରୁତି ନ ମିଳୁବାରୁ କେନ୍ଦ୍ରାପଡା ମହିପାଳସ୍ଥିତ ଏବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଆନ୍ଦୋଳନ କରିଛନ୍ତି । କଟକ ଟେଲିକମ୍ ଜିଲ୍ଲା ଅନ୍ତର୍ଗତ କର୍ମଚାରୀମାନେ ସାତଦଫା ଦାବିନେଇ ବିଏସ୍ଏନଏଲର ବରିଷ୍ଠ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ୧୦ମାସର ବକେୟା ମଜୁରୀ, ସିପିଏଫ, ଇଏସଆଇ, ସଂପୂର୍ଣ୍ଣ ଦରମା, ଅନ୍ୟାୟଭାବେ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି, ବକେୟା ଥିବା ମହଙ୍ଗା ଭତ୍ତା ପ୍ରଦାନ କରିବା ସଙ୍ଗେସଙ୍ଗେ ନିୟମିତ ଭାବେ ମହାଙ୍ଗା ଭତ୍ତା ପ୍ରଦାନ କରିବା ସହ ସମସ୍ତ ଅସ୍ଥାୟୀ କର୍ମଚାରୀମାନଙ୍କୁ ଯଥାଶୀଘ୍ର ବର୍ଗିକରଣ କରିବା, ୧୫ରୁ ୨୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ ଶ୍ରମିକଙ୍କୁ ଟେମ୍ପରାରୀ ଷ୍ଟାଟସ ପ୍ରଦାନ କରିବା ସହିତ ସ୍ଥାୟୀ ନିଯୁକ୍ତି ଦେବା ପ୍ରଭୃତି । କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କ ପକ୍ଷରୁ କିଶୋର ଚନ୍ଦ୍ର ରାଉତ, ପ୍ରଶାନ୍ତ କୁମାର ନାୟକ, ସଂଜୀବ କୁମାର କର, ମୃତ୍ୟୁଞ୍ଜୟ ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।


