ବିରିଗଢିଆ ନୃସିଂହନାଥ ମନ୍ଦିରରୁ ଚୋରି
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଧିନ ବିରିଗଢିଆ ନୃସିଂହନାଥ ମନ୍ଦିରରୁ ଚୋରି ହୋଇଥିବା ନେଇ ପରିଚାଳନା କମିଟିର ସମ୍ପାଦକ ଅଶୋକ କୁମାର ବେହେରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ଦୁବୃର୍ତ୍ତ ମାନେ ୨ଟି ତାଲା ଭାଙ୍ଗି ମନ୍ଦିର ଭିତରୁ ଶ୍ରୀରାଧାଙ୍କ ମାର୍ବଲ ମୂର୍ତ୍ତିକୁ ଚୋରି କରିନେଇଛନ୍ତି । ଶନିବାର ସକାଳେ ପୂଜକ ମନ୍ଦିରକୁ ଯାଇ ଚୋରି ସଂପର୍କରେ ଜାଣିବା ପରେ ପରିଚାଳନା କମିଟିକୁ ଖବର ଦେଇଥିଲେ । ପରିଚାଳନା କମିଟିର କର୍ମକର୍ତ୍ତ ମାନେ ଘଟଣା ସ୍ଥଳରେ ପହଞ୍ôଚ ଚୋରି ହେବା ଦେଖିବାକୁ ପାଇଥିଲେ । ମନ୍ଦିରର ପଛ ପାଖ କେନାଲ ରାସ୍ତାରେ ଠାକୁରଙ୍କର ବିଭିନ୍ନ ଅଳଙ୍କାର ଓ ବସ୍ତ୍ର ଆଦି ପଡିଥିବା ଦେଖାଯାଇଥିଲା । ମନ୍ଦିରରେ ପୂଜା ପାଉଥିବା ୬ ଗୋଟି ମୂର୍ତ୍ତିକୁ ବନ୍ତ ଗ୍ରାମର ସଂଜୟ ମଜୁମଦାର ଲିଖିତ ଚୁକ୍ତିନାମ କ୍ରମେ ପୂଜା କରିବାକୁ ଦାନ କରିଥିଲେ । ପରେ କୁମ୍ଭାରିଆ ଗ୍ରାମର ଆଶୁତୋଷ ଆଚାର୍ଯ୍ୟ ଉକ୍ତ ମୂର୍ତ୍ତି ଗୁଡିକ ତାଙ୍କର ବୋଲି ଦାବୀ କରିଥିଲେ । ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଏନେଇ ପୋଲିସ କେସ ନଂ-୨୪/୨୦ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅପରପକ୍ଷେ ସୁରକ୍ଷା ଦୃଷ୍ଟିରୁ ମନ୍ଦିରରେ ଥିବା ଅବଶିଷ୍ଟ ମୂର୍ତ୍ତି ଗୁଡିକୁ ଥାନାକୁ ହସ୍ତାନ୍ତର କରାଯାଇଛି ।


