ବିରୋଧ ପ୍ରଦର୍ଶନ କରି ଗିରଫ ହେଲେ କଂଗ୍ରେସ ଓ ବିଜେପିର

ବାଲେଶ୍ୱର, (ସରୋଜ ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ କାଳରେ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀଙ୍କ କଳାପତାକା ପ୍ରଦର୍ଶନର ଭୟ ଜିଲା ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା । ତେବେ ପୁରୀ ଜିଲାରେ ଅଣ୍ଡାମାଡ଼ ଘଟଣା ପରେ ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବା ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଉଛି । ତେବେ ବାଲେଶ୍ୱରରେ ପୁଲିସ କେଇପାଦ ଆଗକୁ ଚାଲି ଯାଇଥିବା ଲକ୍ଷ୍ୟ କରାଯାଇଥିଲା । ପୂର୍ବାଞ୍ଚଳ ଜୋନ ଆରକ୍ଷୀ ନିରୀକ୍ଷକ ହିମାଂଶୁ ଲାଲ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୧୩ଜଣ ଉପ-ଆରକ୍ଷୀ ଅଧୀକ୍ଷକ,୨୨ଜଣ ଆରକ୍ଷୀ ନିରୀକ୍ଷକ ଓ ୯୪ଜଣ ଉପ-ଆରକ୍ଷୀ ନିରୀକ୍ଷକ ଓ ସହକାରୀ ଉପ-ଆରକ୍ଷୀ ନିରୀକ୍ଷକଙ୍କ ସମେତ ୨୫ ପ୍ଲାଟୁନ ସୁରକ୍ଷା ବଳ ନିଯୁକ୍ତ ହୋଇ ମଖ୍ୟମନ୍ତ୍ରୀଙ୍କ ଗସ୍ତକାଳର ସୁରକ୍ଷା ବ୍ୟବସ୍ଥାକୁ ନିଷ୍ଠାର ସହିତ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ଏମିତିକି ବାଲେଶ୍ୱର ସହରରେ କର୍ଫ୍ୟୁ ଲାଗୁ ହେଲା ଭଳି ସାଧାରଣ ଲୋକେ ଅନୁଭବ କରିଥିଲେ । ସକାଳ ୭ଟାରୁ ସହରର ସମସ୍ତ ପ୍ରମୁଖ ରାସ୍ତାକୁ ସିଲ କରାଯାଇଥିଲା । ଆଇଟିଆଇ ଛକରୁ ଫକୀର ମୋହନ ଗୋଲେଇ, ଆଇଟିଆଇ ଛକରୁ ସେଣ୍ଟ୍ର୍ରାଲ ସ୍କୁଲ ଛକ, ସେଣ୍ଟ୍ର୍ରାଲ ସ୍କୁଲ ଛକରୁ ପଢ଼ୁଆଁପଦା ଛକ, ପଢ଼ୁଆଁପଦା ଛକରୁ ପୁଲିସ ଲାଇନ, ଖପରାପଦା ଛକରୁ ଷ୍ଟେସନ ଛକ, ପଢ଼ୁଆଁପଦା ଛକରୁ ଏଡିଏମ ଛକ ଭାୟା ରାଜାବଗିଚା, ଷ୍ଟେସନଛକରୁ ଏଡିଏମ ଛକ ରାସ୍ତା, ଟେକ୍ନିକାଲ ସ୍କୁଲ ଛକରୁ ଏଡିଏମ ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୬ଟାରୁ ଅପରାହ୍ନ ପ୍ରାୟ ୧ଟାଏ ପର୍ଯ୍ୟନ୍ତ ସାଧାରଣ ଯାତାୟାତ ବନ୍ଦ ରହିବା ଫଳରେ ଜନସାଧାରଣଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁପଡ଼ିଥିଲା । ତେବେ ରାସ୍ତା ବନ୍ଦ ନେଇ ପୂର୍ବରୁ ପୁଲିସ ପକ୍ଷରୁ ସେଭଳି ବିଧିବଦ୍ଧ ଘୋଷଣା ହୋଇ ନଥିବା ବେଳେ କେବଳ ସହରର କେତେକ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖିବା ପାଇଁ ପିସିଆର ଭ୍ୟାନ ରାତିରେ କହିଯାଇଥିଲା । ସକାଳୁ ସକାଳୁ ବିଭିନ୍ନ କାର୍ଯ୍ୟରେ ବାହାରିଥିବା ଲୋକଙ୍କ ବାଟ ଓଗାଳିଥିବା ପୋଲିସ । ନିଜ ଗନ୍ତବ୍ୟ ସ୍ଥାନକୁ ଯାଇନପାରି ଲୋକେ ଏଣେ ତେଣେ ଗଳିକନ୍ଦି ଦେଇ ଯିବାକୁ ବାଧ୍ୟ ହୋଇଥିଲେ । ଦୋକାନବଜାର ବନ୍ଦ ସାଙ୍ଗକୁ ସହରର ଏକାଧିକ ରାସ୍ତା ବନ୍ଦ ରହିବା ଫଳରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏତେ ଭୟଭ୍ରାନ୍ତି ମଧ୍ୟରେ ବାଲେଶ୍ୱର ଗସ୍ତରେ ନ ଆସି ମୁଖ୍ୟମନ୍ତ୍ରୀ ଡିଜିଟାଲରେ ସ୍ମାର୍ଟକାର୍ଡ଼ ବଣ୍ଟନ ଶୁଭାରମ୍ଭ କରିଥିଲେ ଭଲ ହୋଇଥା’ନ୍ତା ବୋଲି କେତେକ ବୁଦ୍ଧିଜୀବୀ କହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିରୋଧ ପ୍ରଦର୍ଶନର ଆଶଙ୍କା କରି କଂଗ୍ରେସ ଓ ବିଜେପିର ବହୁ ଆଗଧାଡିର ଛାମୁଆ ନେତାଙ୍କୁ ପୁଲିସ ଗୁରୁବାର ମଧ୍ୟରାତ୍ରରୁ ଉଠାଇନେଇ ବିଭିନ୍ନ ଥାନା ଓ ସରକାରୀ ଗେଷ୍ଟ ହାଉସରେ ଅଟକ ରଖିଥିଲା । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, କଂଗ୍ରେସ ଜିଲା ସଭାପତି ସଂଜୀବ ଗିରି, ବିଜେପି ନେତା ଗୌରାଙ୍ଗ ଦାସ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଗିରଫ ହୋଇଥିଲେ । ତଥାପି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଆଗମନ ସମୟରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତଙ୍କ ନେତୃତ୍ୱରେ କିଛି ସ୍ଥାନୀୟ ନେତା ଶୋଭାଯାତ୍ରାରେ ଯାଇ ଏଡିଏମ ଛକ ନିକଟରେ ବିରୋଧ ପ୍ରଦର୍ଶନ ସହ କଳାପତାକା ପ୍ରଦର୍ଶନ କରିଥିଲେ । ପରେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ଅନ୍ୟତ୍ର ନେଇ ଯାଇଥିଲା । ସେହିପରି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଦେବଦତ୍ତ ମିଶ୍ର, ରବି ନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ମନୋଜ ପୋଦାର, ଅରୂପ ଜେନା, ଅନୀଲ ମହାନ୍ତି ପ୍ରମୁଖ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଗିରଫ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ