ବିହାରରେ ୩୬୨ ସରକାରୀ ଡାକ୍ତରଙ୍କ ପତ୍ତା ମିଳୁନି

ପାଟନା: ସାମ୍ପ୍ରତିକ ସମୟରେ ଭାରତରେ କୋରୋନା ଭୂତାଣୁ ବିରୋଧରେ ଚାଲିଥିବା ଯୁଦ୍ଧରେ ଡାକ୍ତରମାନେ ସବୁଠାରୁ ବଡ଼ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ସେମାନଙ୍କୁ କୋଭିଡ୍ ଯୋଦ୍ଧାର ନାମ ଦିଆଯାଇଛି। ସେମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ସରକାରଙ୍କ ପକ୍ଷରୁ ନାନାଦି ଯୋଜନା କରାଯାଇଛି। କିନ୍ତୁ ବିହାରରେ ୩୬୨ ଜଣ ସରକାରୀ ଡାକ୍ତର ଏବେ ନିଜର ସେବା କାର୍ଯ୍ୟକୁ ପଛରେ ପକାଇ ଅଜ୍ଞାତବାସରେ ରହିଛନ୍ତି। ଏହି ଡାକ୍ତରମାନେ ନିଜ ନିଜ ଡ୍ୟୁଟି କରୁ ନ ଥିବା ଗତ ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୧୨ ତାରିଖ ମଧ୍ୟରେ ସରକାରଙ୍କ ପକ୍ଷରୁ ହୋଇଥିବା ତନଖିରୁ ସ୍ପଷ୍ଟ ହେବା ପରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସରକାରୀ ଅଧିକାରୀମାନେ କଟିହାର ବ୍ୟତୀତ ଅନ୍ୟାନ୍ୟ ୩୭ଟି ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଅଚାନକ ପହଞ୍ଚି ଡାକ୍ତରମାନେ ଠିକ୍ ଭାବେ ସେମାନଙ୍କ ଦାୟିତ୍ବ ତୁଲାଉଛନ୍ତି କି ନାହିଁ, ତାହାର ଯାଞ୍ଚ୍ କରିଥିଲେ। ସେମାନେ ଯାଞ୍ଚ୍ ପରେ ୩୬୨ ଡାକ୍ତର ନିଜ ଦାୟିତ୍ବ ତୁଲାଇବାରେ ହେଳା କରୁଛନ୍ତି ବୋଲି ଜାଣିବାକୁ ପାଇଥିଲେ। ଏମାନଙ୍କ ମଧ୍ୟରୁ ରାଜଧାନୀ ପାଟନାରେ କେବଳ ୨୫ ଜଣ ଡାକ୍ତର ସେମାନଙ୍କ କର୍ତ୍ତବ୍ୟସ୍ଥଳରେ ନ ଥିବା ଜଣାପଡ଼ିଛି।
ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଡାକ୍ତରଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିଥିବାରୁ ନୀତିଶ କୁମାର ସରକାର ପକ୍ଷରୁ ଅଚାନକ ହସ୍ପିଟାଲ୍ ପରିଦର୍ଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନିଜ କର୍ତ୍ତବ୍ୟସ୍ଥଳରେ ଅନୁପସ୍ଥିତ ଥିବା ଡାକ୍ତରମାନଙ୍କୁ ସେମାନଙ୍କ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କେଉଁ କାରଣ ପାଇଁ ସେମାନେ ଡ୍ୟୁଟି ସମୟରେ ହସ୍ପିଟାଲରେ ଉପସ୍ଥିତ ନ ଥିଲେ, ତାହା ସ୍ପଷ୍ଟ କରିବାକୁ ଏହି ନୋଟିସରେ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ଏହି ଡାକ୍ତରମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଓ ମହାମାରୀ ଆଇନ, ୧୮୯୭ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ନୀତିଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ନୀତିଶ ସରକାର ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଓ ପାରାମେଡିକାଲ୍ କର୍ମଚାରୀଙ୍କ ଛୁଟି ଆସନ୍ତା ମେ’ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ୍ କରିସାରିଛନ୍ତି। ସୂଚନାଯୋଗ୍ୟ ଯେ ବିହାରରେ ଅଦ୍ୟାବଧି ୫୩୫ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ