ବ୍ୟାପିବାରେ ଲାଗିଛି ସ୍ୱାଇନ୍ ଫ୍ଲୁ ଜ୍ୱର
ନୂଆଦିଲ୍ଲୀ: ତ୍ରିପୁରାର ଉତ୍ତର-ପୂର୍ବରେ ଏବେ ସ୍ୱାଇନ୍ ଫ୍ଲୁ ଜ୍ୱର ବ୍ୟାପିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ରହୁଥିବା ୮୭ଟି ଘୁଷୁରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହା ମଧ୍ୟରୁ ୩ଟି ନମୁନାରେ ନୂଆଧରଣର ଆଫ୍ରିକୀୟ ସ୍ୱାଇନ ଫ୍ଲୁ ଭାଇରସ ଠାବ ହୋଇଛି। ସ୍ଥାନୀୟ ଅଞ୍ଚଳରେ ୧ କିମି ପରିଧି ମଧ୍ୟରେ ଥିବା ଶହଶହ ଘୁଷୁରୀଙ୍କୁ ମାରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ କହିଛନ୍ତି ଯେ ଉତ୍ତର ତ୍ରିପୁରାର କାଞ୍ଚନପୁର ଉପଖଣ୍ଡ ଅଞ୍ଚଳରେ ନୂଆ ଧରଣର ସ୍ୱାଇନ ଫ୍ଲୁ ଭାଇରସ ଘୁଷୁରୀଙ୍କ ଶରୀରରୁ ମିଳିଛି। ଘୁଷୁରୀମାନଙ୍କ ନମୁନା ଗୌହାଟୀରେ ଥିବା NERDDL ଲ୍ୟାବକୁ ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ସମୟରେ କିଛି ଘୁଷୁରୀଙ୍କ ନମୁନାରୁ ଆଫ୍ରିକୀୟ ସ୍ୱାଇନ ଫ୍ଲୁ ଭାଇରସ ଠାବ ହୋଇଛି। ତ୍ରିପୁରା ପୂର୍ବରୁ ମିଜୋରାମରେ ମଧ୍ୟ ଏପରି ଭାଇରସ ଠାବ ହୋଇଥିଲା। ସଂକ୍ରମଣ ଠାବ ହେବା ପରେ ସ୍ଥାନୀୟ ପ୍ରଶାସନ ଏହାକୁ ରୋକିବାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି।


