ବିଶ୍ୱଜନସଂଖ୍ୟା ଦିବସ – ୨୦୨୨ ପାଳିତ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ଵ ସ୍ତରରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତ୍ୟେକ ବର୍ଷ ବିଶ୍ଵ ଜନସଂଖ୍ୟା ଦିବସ ପାଳନ କରାଯାଏ । ଏହି ଅବସରରେ ଆଜି ସ୍ଥାନୀୟ ଡି ଏଚ ଏଚ ସମ୍ମିଳନୀ ଗୃହରେ ସକାଳ ୧୦.୦୦ଘଣ୍ଟା ସମୟରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ବିବେକାନନ୍ଦ ସାମଲଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ସି ଡି ଏମ ଓ ଡ କସ୍ତୁରୀ ମିଶ୍ର ଯୋଗ ଦେଇଥିଲେ । ସଭା ପୂର୍ବରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ବାରା ଏକ ସଚେତନତା ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ସି ଡ଼ି ଏମ ଓ ଡ ମିଶ୍ର ଏକ ସଚେତନତା ରଥର ଶୁଭ ଉଦଘାଟନ କରିଥିଲେ । ସଭାରେ ମୁଖ୍ୟବକ୍ତା ରୂପେ ଡ ରଞ୍ଜନ ମିତ୍ର ଯୋଗଦେଇ ପରିବାର ନିୟୋଜନ ଆମ ସମସ୍ତଙ୍କର ଦାୟିତ୍ୱ ଓ ପରିବାର ନିୟୋଜନ କୁ ଆପଣାଇ ଜନସଂଖ୍ୟା ବୃଦ୍ଧି କୁ ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ଅତିଥି ଡ ମିଶ୍ର ଜନସଂଖ୍ୟା ବୃଦ୍ଧି କୁ ରୋକା ନଗଲେ ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଏହା ଆମର ପରିବେଶ, ସାମାଜିକ ବ୍ୟବସ୍ଥା , ଅର୍ଥନୀତି ଉପରେ ପ୍ରବଳ ଚାପ ଓ ପ୍ରଭାବ ପକାଇବ ବୋଲି କହିଥିଲେ । ସଭାରେ ଜନସଂଖ୍ୟା ବୃଦ୍ଧିରେ ଅନେକ କାରଣ ମଧ୍ୟରୁ ଅଜ୍ଞତା, ଦାରିଦ୍ର୍ୟ ଓ ଅନ୍ନୁନତ ମାନସିକତା ଦାୟୀ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ୨୦୨୧-୨୨ବର୍ଷ ପାଇଁ ପରିବାର କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବୋତ୍ତମ ସି ଏଚ ସି ରୂପେ ବୋର୍ଡା ସି ଏଚ ସି,ଉତ୍ତମ ସର୍ଜନ ରୂପେ ୨୦୨୧-୨୨ ବର୍ଷ ରେ ୩୦୦୦ ଟି ମହିଳା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିବା ଧର୍ମଗଡ ଡାକ୍ତରଖାନା ର ଡ ସଦାନନ୍ଦ ପାଣିଗ୍ରାହୀ, ଉତ୍ତମ ସର୍ଜନ ରୂପେ ୧୨ ଟି ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ଜୁନାଗଡ ଡାକ୍ତରଖାନା ର ଡ ଭଗବାନ ପଣ୍ଡା,ଉତ୍ତମ ଏ ଏନ୍ ଏମ ରୂପେ ବୋର୍ଡା ସି ଏଚ ସିର ଶ୍ରୀମତୀ ଲିନା ସାହୁ, ଉତ୍ତମ ଆଶା କର୍ମୀ ରୂପେ ନର୍ଲା ର ଶ୍ରୀମତୀ ସାବିତ୍ରୀ ଗୌଡଙ୍କୁ ପୁରସ୍କୃତ କରାଯାଇଥିଲା । “ଜନସଂଖ୍ୟାରେ ସ୍ଥିରତା ଉପରେ ନିଜର ଭୂମିକା ଓ ଦାୟିତ୍ଵ “ଶୀର୍ଷକ ବକ୍ତୃତା ଉପରେ ପ୍ରତିଯୋଗିତାରେ ଆଶାକର୍ମୀ ସାଜଦା ବେଗମ୍, ପଦ୍ମାବତୀ ଘଡେ଼ଇ, ସୁଭାଷିନୀ ସୁନାନୀ ଓ ଏ ଏନ୍ ଏମ ବୈଶାଖୀ ସାହୁ,ରୋଜାଲିନ ପାଢ଼ୀ,ରାଜଲକ୍ଷ୍ମୀ ଜେନା ପ୍ରଥମ, ଦ୍ଵିତୀୟ, ତୃତୀୟ ପୁରସ୍କାର ପାଇଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ରିତା ନାଏକ, ମିନାକ୍ଷୀ ମହାନ୍ତି, ସୁଧାଂଶୁ ଦିଗାଲ, ବିବେକାନନ୍ଦ ସାମଲ , ସରକାରୀ ନର୍ସିଂ ସ୍କୁଲର ଛାତ୍ରୀ,ଆଶାକର୍ମୀ, ଏ ଏନ୍ ଏମତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।


