ଭାରତକୁ ନେଇ ମହାଭାରତ

ଗୋଲଖ ଚନ୍ଦ୍ର ଦାସ
‘ଇଣ୍ଡିଆ’ ପରିବର୍ତେ ‘ଭାରତ’ ନାମ ବ୍ୟବହାର କରିବା ପାଇଁ ଚର୍ଚ୍ଚା ଚାଲିଥିବା ବେଳେ କିଛି ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି । ଯଦି ଭାରତ ନାମ ବ୍ୟବହାର କରିବା ଭୁଲ ତେବେ ଦେଶ ସ୍ୱାଧୀନତା ପୂର୍ବରୁ ଯେଉଁମାନେ ଏହି ନାମ ବ୍ୟବହାର କରୁଥିଲେ ତାହା ହେଲେ ସେମାନେ ବଡୁ ଭୁଲ କରିଥିଲେ । ଏପରିକି ଗାନ୍ଧିଜୀ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରିବା ସମୟରେ ଇଣ୍ଡିଆ ମାତା କୀ ଜୟ କହୁନଥିଲେ , ସେ ଭାରତ ମାତା କୀ ଜୟ କହୁଥିଲେ । ଏବେ ପ୍ରଶ୍ନ ଉଠୁଛି ଗାନ୍ଧିଜୀ କଣ ଭୁଲ ସ୍ଲୋଗାନ ଦେଉଥିଲେ ? ଆମ ଦେଶର ଜାତୀୟ ସଂଗୀତରେ ଭାରତ ଶବ୍ଦ ବ୍ୟବହାର କରାଯାଇଛି, ଇଣ୍ଡିଆ ଶବ୍ଦ ନୁହେଁ । ଏବେ ପ୍ରଶ୍ନ ଉଠୁଛି ଏଥିରେ କାହିଁକି ଇଣ୍ଡିଆ ଶବ୍ଦର ବ୍ୟବହାର କରାଗଲା ନାହିଁ ? ଭାରତୀୟ ଦଣ୍ଡ ବିଧିରେ ଭାରତ ଶବ୍ଦ ବ୍ୟବହାର କାହିଁକି କରାଯାଉଛି ? ଯଦି ମହାତ୍ମା ଗାନ୍ଧିଙ୍କ ସ୍ଲୋଗାନ ଠିକ୍‌, ଜାତୀୟ ସଂଗୀତରେ ଭାରତ ଠିକ୍‌, ଭାରତୀୟ ଦଣ୍ଡ ବିଧିରେ ଭାରତ ଶବ୍ଦ ଠିକ୍ ତେବେ ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଭାରତ ଲେଖାଯିବାକୁ ନେଇ ଏତେ ଚର୍ଚ୍ଚା କଣ ପାଇଁ ? ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ‘ଇଣ୍ଡିଆ’ ପରିବର୍ତେ ‘ଭାରତ’ ନାମ ବ୍ୟବହାର କରିବାକୁ ଲୋକଙ୍କୁ ନିବେଦନ କରିବା ଭୂଲ ରହିଲା କେଉଠି ?
ଭାରତ ଆମର ପ୍ରାଚୀନ ଓ ବହୁପ୍ରଚଳିତ ନାମ । ଆମେ ଏହି ପୁରୁଣା ନାମ ବ୍ୟବହାର କରିବା ଉଚିତ । ଶତାବ୍ଦୀ ଧରି ଆମ ଦେଶର ନାମ ଭାରତ ରଖାଯାଇଛି । ଆମ ଦେଶ ହେଉଛି ଭାରତ ଏବଂ ଆମକୁ ସମସ୍ତ ବ୍ୟବହାରିକ କ୍ଷେତ୍ରରେ ଭାରତ ଶବ୍ଦର ବ୍ୟବହାର କରିବାକୁ ହେବ ଏବଂ ଭାରତ ଶବ୍ଦର ବ୍ୟବହାର ଆରମ୍ଭ କରିବାକୁ ପଡିବ, ତା’ହେଲେ ହିଁ ପରିବର୍ତନ ଆସିବ । ଆମକୁ ଆମ ଦେଶକୁ ଭାରତ ଡାକି ଅନ୍ୟମାନଙ୍କୁ ବୁଝାଇବାକୁ ପଡ଼ିବ । ଭାରତ ଏକ ‘ହିନ୍ଦୁ ରାଷ୍ଟ୍ର’ ଏବଂ ସମସ୍ତ ଭାରତୀୟ ହିନ୍ଦୁ ଏବଂ ସମସ୍ତ ଭାରତୀୟ ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରନ୍ତି । ଆଦର୍ଶଦୃଷ୍ଟିରୁ ସମସ୍ତ ଭାରତୀୟ ହିନ୍ଦୁ । ହିନ୍ଦୁ ଅର୍ଥାତ୍ ସମସ୍ତ ଭାରତୀୟ । ଆଜି ଯେଉଁମାନେ ଭାରତରେ ଅଛନ୍ତି ସେମାନେ ସମସ୍ତେ ହିନ୍ଦୁ ସଂସ୍କୃତି, ହିନ୍ଦୁ ପୂର୍ବପୁରୁଷ ଏବଂ ହିନ୍ଦୁ ଭୂମିର ଅଟନ୍ତି, ଆଉ କିଛି ନୁହେଁ ।
ଏବେ ମମତାଙ୍କ ଠାରୁ ସମତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚର୍ଚ୍ଚାରେ ଭାରତ । କ’ଣ ପାଇଁ ଏତେ ବିରୋଧ ? କଣ ପାଇଁ ବିରୋଧୀ ଦଳମାନେ ଏତେ ଚର୍ଚ୍ଚା ଆଲୋଚନା କରୁଛନ୍ତି । ସମସ୍ତେ ତ କହୁଛନ୍ତି “ହିନ୍ଦୀରେ ଆମେ ସମସ୍ତେ ‘ଭାରତ’ କହୁଛୁ, ଏଥିରେ ନୂଆ କ’ଣ? ହିନ୍ଦୀରେ ଆମେ ଭାରତର ସମ୍ବିଧାନ କହିଥାଉ । ଭାରତ ନାମ ସାରା ବିଶ୍ୱ ଜାଣେ । ତଥାପି ଭାରତର ନାମକୁ ନେଇ ବିରୋଧ । ଜି-୨୦ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଆସୁଥିବା ଅତିଥିମାନଙ୍କ ସମ୍ମାନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରୀ ଭୋଜନର ଆୟୋଜନ କରିଥିଲେ, ଏଥିପାଇଁ ପଠାଯାଇଥିବା ନିମନ୍ତ୍ରଣପତ୍ର ମାନଙ୍କରେ ଇଂରାଜୀରେ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ ସ୍ଥାନରେ ‘ରିପବ୍ଲିକ୍ ଅଫ୍ ଭାରତ’ ଲେଖାଯାଇଥିବାରୁ ଅନେକ ଗଣମାଧ୍ୟମରେ ଏହା ମୁଖ୍ୟ ବିଷୟ ବସ୍ତୁ ପାଲଟି ଯାଇଥିଲା । ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଂଟ ଭାରତ’ ଲେଖିବା ଅସାମ୍ବିଧାନିକ କି ? ଉଚ୍ଚତମ ନ୍ୟାୟାଳୟର ଜଣେ ବରିଷ୍ଠ ଆଇନଜୀବୀଙ୍କ ମତରେ ଏହା ଅସାମ୍ବିଧାନିକ ନୁହେଁ । ଏହା ଭାରତର ସମ୍ବିଧାନର ଧାରା -୧ରେ ଲେଖା ହୋଇଛି ଅର୍ଥାତ ଏହାର ଅର୍ଥ ହେଉଛି ଆମ ଦେଶର ନାମ ଉଭୟ ଭାରତ ଓ ଇଣ୍ଡିଆ । ଉଭୟ ବ୍ୟବହାର ସାମ୍ବିଧାନିକ ଅଟେ ।
ଇଂରାଜୀରେ ଭାରତ ଲେଖିବା ଏବେ ନୂଆ ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ବ୍ରିକ୍ସି ସମ୍ମିଳନୀରେ ଯୋଗ ଦେଇଥିଲେ, ସେତେବେଳୁ ଇଂରାଜୀରେ ‘ପ୍ରାଇମିନିଷ୍ଟର ଅଫ୍ ଭାରତ’ ବୋଲି ଲେଖା ହୋଇଥିଲା । ଗ୍ରୀସ୍‌, ସାଇପ୍ରସ୍ ଓ ଇସ୍ରାଏଲ୍ ସମୂହର ବୈଠକ ଯୋଗ ଦେବାବେଳେ ମଧ୍ୟ ‘ପ୍ରାଇମିନିଷ୍ଟର ଅଫ୍ ଭାରତ’ ବୋଲି ତାଙ୍କ ନାମ ଫଳକରେ ଲେଖା ଯାଇଥିଲା । ବୋଧ ହୁଏ ସେତେବେଳେ ଏହାକୁ ବିରୋଧ କରୁଥିବା ବିରୋଧୀ ଦଳ ଏବଂ ଭାରତର ଗଣମାଧମଙ୍କ ଦୃଷ୍ଟିକୁ ଆସି ନଥିଲା । ଯେଉଁ କଂଗ୍ରେସ ଦଳ ଏହି ନାମ କରଣକୁ ବିରୋଧ କରୁଛି ସେ ତାର ଭାରତ ଯୋଡ ଯାତ୍ରାର ନାମ ଇଣ୍ଡିଆ ଯୋଡ ଯାତ୍ରା କହୁନାହିଁ, ଭାରତର ନାମ କାହିଁକି ନେଉଛି ?
ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ଇଣ୍ଡିଆ ବଦଳରେ ଭାରତର ଲେଖାକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି,ସେଥିପାଇଁ କିଛି ଲୋକଙ୍କ ମନରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସେମାନେ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଭାରତର ନାମ ପରିବର୍ତନ କରି ଏହାର ସ୍ଥାନରେ ଭାରତ ରଖିବାକୁ ଚାହୁଁଛନ୍ତି । ଏହିପରି ଭାବନା ମନରେ ରଖି ବିରୋଧୀ ଦଳମାନେ ପ୍ରବଳ ବିରୋଧ କରିଥିବାବେଳେ ଏହାର କମ୍ପନ ସାରା ଦେଶରେ ସୃଷ୍ଟି ହୋଇଥିଲା ।
ଇଣ୍ଡିଆ ନାମ ପରିବର୍ତନ ହୋଇ ପାରିବ ନା ନାହିଁ ? ଏହିପରି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି । ଦାସତ୍ୱର ପ୍ରତିକ ନାମ ଇଣ୍ଡିଆକୁ ହଟାଇ ଦିଆଯାଇ ପାରିବ ନା ନାହିଁ ? ହଟାଇ ଦିଆଯାଇ ପାରିବ,ଏଥିରେ କୌଣସି ଅସୁବିଧା ନାହିଁ । ଏଥିପାଇଁ ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡିବ । ସମ୍ବିଧାନରେ ସଂଶୋଧନ ପ୍ରକ୍ରିୟା ଧାରା ୩୬୮ରେ ଏହି ବିଷୟ ଉଲ୍ଲେଖ ଅଛି । ସମ୍ବିଧାନ ସଂଶୋଧନ କରିବାରର କ୍ଷମତା ସଂସଦର ରହିଛି । ଏଥିପାଇଁ ଏକ ବିଲ୍ ଆଣିବାକୁ ପଡିବ ଏବଂ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହିତ ଏହି ବିଲକୁ ପାରିତ କରିବାକୁ ହେବ । ଯଦି ଇଣ୍ଡିଆ ନାମ ହଟାଯାଏ ତେବେ କୌଣସି ଧର୍ମଗ୍ରନ୍ଥ ଅଶୁଦ୍ଧି ହୋଇ ଯିବ ନାହିଁ ।
ଏବେ ବିଭିନ୍ନ ଗଣମାଧ୍ୟମ ଓ ରାଜନେତାମାନେ ଚର୍ଚ୍ଚା କରୁଛନ୍ତି ଯେ ଇଣ୍ଡିଆ ନାମ ଉଠାଇ ଦେବା ପାଇଁ ଯୋଜନା ଚାଲିଛି । ଆମେ ସମସ୍ତେ ଜାଣିଛେ ଇଣ୍ଡିଆ ନାମ ହଟାଇବା ପାଇଁ ପୂର୍ବରୁ ମଧ୍ୟ ଚେଷ୍ଟା ହୋଇଛି । ଭାରତ ଓ ଇଣ୍ଡିଆର ଚର୍ଚ୍ଚା ଆଜି ନୁହେଁ । ଏହା ଅନେକ ଦିନର । ସ୍ୱାଧୀନତା ପରେ ଦେଶର ନାମ ଭାରତ ନା ଇଣ୍ଡିଆ ହେବ, ଏଥିଲାଗି ସମ୍ବିଧାନ ପ୍ରଣୟନ ସଭାରେ ଚର୍ଚ୍ଚା ହୋଇଛି । ୧୮ ସେପ୍ଟେମ୍ବର ୧୯୪୯ , ରାତ୍ର ୯ ଘଟିକା ସମୟରେ ନୂଆଦିଲ୍ଲୀର କନ୍‌ଷ୍ଟ୍ୟିସନ ହଲରେ ଏ ବିଷୟରେ ଯୋରଦାର ଚଚ୍ଚା ଆଲୋଚନା ହୋଇଥିଲା । ଡ. ରାଜେନ୍ଦ୍ର ପ୍ରସାଦ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଚ୍ ବି କାମାଥ ଦେଶର ନାମ ଭାରତ ରଖିବା ଲାଗି ପ୍ରସ୍ତାବ ଆଗତ କରିଥିଲେ । ସମ୍ବିଧାନ ପ୍ରଣୟନ ସଭାରେ କାମାଥ କହିଥିଲେ, ଯେଉଁମାନେ ଭାରତବର୍ଷ ବା ଭାରତ ଭୂମି ପକ୍ଷରେ ତର୍କ କରୁଛନ୍ତି, ସେମାନେ ଏହି ଭୂମିର ସବୁଠାରୁ ପ୍ରାଚୀନ ନାମ ଭାରତ ବୋଲି ମାନୁଛନ୍ତି । କିଛି ଲୋକ ଏହାର ଶ୍ରେୟ ଦୁଷ୍ମନ୍ତ ଏବଂ ଶକ୍ତୁନ୍ତଳାଙ୍କ ପୁତ୍ରଙ୍କୁ ହିଁ ଦେଉଛନ୍ତି । ଯିଏକି ଏହି ପ୍ରାଚୀନ ଭୂମି ଉପରେ ନିଜର ଆଧିପତ୍ୟ ଏବଂ ରାଜ୍ୟ ସ୍ଥାପନା କରିଥିଲେ । ତାଙ୍କର ନାମ ଭରତ ଅନୁସାରେ ଦେଶର ନାମ ଭାରତ ହୋଇଥିଲା । ବୈଦିକ କାଳରୁ ଭାରତର ନାମ କରଣ ହୋଇଛି ବୋଲି ଅନ୍ୟ ବିଦ୍ୱାନମାନେ ମତ ଦେଉଛନ୍ତି । ମତ୍ସ୍ୟ ପୁରାଣ, ବିଷ୍ଣୁ ପୁରାଣ, ମହାଭାରତ ଓ ଜୈନ ଧର୍ମ ଗ୍ରନ୍ଥ ଆଦିରେ ଭାରତ ବର୍ଷର ବର୍ଣ୍ଣନା କରାଯାଇଛି ।
ସେଠ୍ ଗୋବିନ୍ଦ ଦାସ କହିଥିଲେ କିଛି ଲୋକ ଇଣ୍ଡିଆ ଦେଶର ସବୁଠାରୁ ପ୍ରାଚୀନ ନାମ ବୋଲି କହୁଛନ୍ତି । ସବୁଠାରୁ ପ୍ରାଚୀନ ପୁସ୍ତକ ବେଦରେ ମଧ୍ୟ ଇଣ୍ଡିଆ ବିଷୟରେ ଉଲ୍ଲେଖ ନାହିଁ । ଋଗ୍ ବେଦରେ ଇଦ୍ଦାମ ଏବଂ ଇଦନ୍ୟ ଏବଂ ଯଜୁବେଦରେ ଇଦା ଶଦ୍ଦ ଦେଖିବାକୁ ମିଳୁଛି । ଏହି ଶବ୍ଦ ଗୁଡିକ ଇଣ୍ଡିଆ ଶବ୍ଦ ସହିତ କୌଣସି ସମ୍ବନ୍ଧ ନାହିଁ । କିଛି ବ୍ୟକ୍ତି ପୁସ୍ତକ ପ୍ରକାଶ କରି ଇଣ୍ଡିଆ ପୁରୁଣା ନାମ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି । ସେମାନେ ଭୁଲ କରୁଛନ୍ତି । ଚୀନ ପରିବ୍ରାଜକ ହୁଏନ ସାଂ ତାଙ୍କ ଲେଖାରେ ମଧ୍ୟ ଦେଶର ମୂଳନାମ ଭାରତ ଥିଲା ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ସ୍ୱାଧୀନତା ପରେ ଦେଶର ମୂଳ ନାମ ଇଣ୍ଡିଆ ରଖିବାକୁ ସେଠ୍ ଗୋବିନ୍ଦ ଦାସ ବିରୋଧ କରିଥିଲେ ।
ସଂଯୁକ୍ତ ପ୍ରାନ୍ତ ର ପାହାଡି ଜିଲ୍ଲା ଗୁଡିକର ପ୍ରତିନିଧିତ୍ୱ କରୁଥିବା ହରଗୋବିନ୍ଦ ପନ୍ଥ ସ୍ପଷ୍ଟ ରୂପେ କହିଥିଲେ ଯେ, ଉତର ଭାରତର ଲୋକମାନେ ଭାରତ ବର୍ଷର ନାମ ଚାହାଁନ୍ତି ଏବଂ ଅନ୍ୟ କିଛି ନାମ ନୁହେଁ ।
୨୦୧୨ରେ କଂଗ୍ରେସ ସାଂସଦ ଶାନ୍ତିରାମ ନାୟକ ରାଜ୍ୟସଭାରେ ଏକ ବିଲ୍ ଆଗତ କରିଥିଲେ । ଏଥିରେ ସେ ଦାବି କରିଥିଲେ ଯେ, ସମ୍ବିଧାନର ପ୍ରସ୍ତାବନା ଅନୁଚ୍ଛେଦ-୧ ଏବଂ ସମ୍ବିଧାନର ଯେଉଁଠାରେ ଇଣ୍ଡିଆ ଶବ୍ଦ ବ୍ୟବହାର କରାଯାଇଛି, ତାହାକୁ ସଂଶୋଧନ କରି ଭାରତ କରାଯାଉ । ସେ ମଧ୍ୟ ଗୋଆ କଂଗ୍ରେସର ସଭାପତି ରହିଥିଲେ ।
୨୦୧୪ରେ ଯୋଗୀ ଆଦିତ୍ୟନାଥ ଲୋକସଭାରେ ଏକ ଘରୋଇ ବିଲ୍ ଆଗତ କରିଥିଲେ । ଏଥିରେ ସମ୍ବିଧାନରେ ଇଣ୍ଡିଆ ଶବ୍ଦ ବଦଳରେ ହିନ୍ଦୁସ୍ତାନ ଶବ୍ଦ ପାଇଁ ଦାବି କରିଥିଲେ, ଯେଉଁଥିରେ ଦେଶର ମୂଳନାମ ଭାବରେ ଭାରତର ପ୍ରସ୍ତାବ ଦିଆଯାଇଥିଲା ।
୨୦୧୬ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାହୋଇଥିଲା,ଦେଶର ନାମ କେବଳ ଭାରତ ରଖିବା ଲାଗି ଏବଂ ଇଣ୍ଡିଆ ଶବ୍ଦକୁ ହଟାଇବାକୁ ସର୍ବୋଚ୍ଚ କୋର୍ଟ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।
ପୁଣି ଥରେ ଜୁନ ୨୦୨୦ରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଏଥିରେ ସମ୍ବିଧାନରେ ଲିଖିତ ‘ଇଣ୍ଡିଆ ଦ୍ୟାଟ ଇଜ୍ ଭାରତ ’କୁ ପରିବର୍ତନ କରି କେବଳ ଭାରତ କରିବାକୁ ଦାବି କରାଯାଇଥିଲା । ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ଇଣ୍ଡିଆ ଗ୍ରୀକ୍ ଶବ୍ଦ ଇଣ୍ଡିକାରୁ ଆସିଛି । ତେଣୁ ଏହି ନାମକୁ ହଟାଇବା ଉଚିତ । ସମ୍ବିଧାନର ଧାରା ୧ କୁ ପରିବର୍ତନ କରିବାକୁ ଏବଂ ଦେଶକୁ କେବଳ ଭାରତ ନାମରେ ନାମିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟରେ ଆବେଦନ କରିଛନ୍ତି ।
ଗ୍ରୀକ୍ ଭାଷାରେ ସିନ୍ଦୁ ନଦୀ ଇଣ୍ଡସ ନାମରେ ପରିଚିତ । ଇଣ୍ଡସ୍ ଶବ୍ଦ ଲାଟିନ ଭାଷାରୁ ନିଆଯାଇଛି । ଗ୍ରୀକ୍ ଐତିହାସିକ ହେରୋଟୋସ୍ ଖ୍ରୀଷ୍ଟପୂର୍ବ ୪୪୦ ମସିହାରେ ଇଣ୍ଡିଆ ଶବ୍ଦ ବ୍ୟବହାର କରିଥଲେ । ସେ ଭାରତକୁ ତୁର୍କୀ ଏବଂ ଇରାନ ସହ ତୁଳନା କରିଥିଲେ । ବିଶ୍ୱ ଇତିହାସ ୱେବ ସାଇଟ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୩୦୦ ମସିହାରେ ପ୍ରଥମ ଥର ପାଇଁ ଗ୍ରୀକ୍ ରାଷ୍ଟ୍ରଦୂତ ମେଗାସ୍ଥିନ ସିନ୍ଧୁ ନଦୀ ଆରପାଶ୍ୱର୍ ଅଂଚଳ ପାଇଁ ଇଣ୍ଡିଆ ଶବ୍ଦ ବ୍ୟବହାର କରିଥିଲେ ।
ବିଦେଶୀ ଆକ୍ରମଣକାରୀ ଓ ଔପନିବେଶବାଦୀ ଶକ୍ତିମାନେ ଇଣ୍ଡିଆ ଶବ୍ଦର ବ୍ୟବହାର କରି ଆସୁଛନ୍ତି । ଅଷ୍ଟାଦଶ ଶତାବ୍ଦୀରୁ ବ୍ରିଟିଶମାନେ ଇଣ୍ଡିଆ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଥିଲେ । ଇଣ୍ଡିଆ ଶବ୍ଦର ବ୍ୟବହାର ପ୍ରକୃତରେ ଭାରତକୁ ମନୋବୈଜ୍ଞାନିକ -ସାଂସ୍କୃତିକ ରୂପରେ ପରାଧୀନ କରିବାର ପ୍ରୟାସ ଥିଲା । ତେଣୁ ବ୍ରିଟିଶ ସାମ୍ରାଜ୍ୟବାଦୀ ଶାସନ ଉପହାର ଦେଇଥିବା ଇଣ୍ଡିଆ ଶବ୍ଦ ମଧ୍ୟରେ ଦାସତ୍ୱର ଗନ୍ଧ ଲୁଚି ରହିଛି । ସମାଜବିଜ୍ଞାନ ଦୃଷ୍ଟିକୋଣରୁ ମଧ୍ୟ ଇଣ୍ଡିଆ ଶବ୍ଦ ଏହି ଦେଶର କୌଣସି ସାଂସ୍କୃତିକ, ପରମ୍ପରା, ଭାବନା କିମ୍ବା ଅର୍ଥକୁ ସୂଚିତ କରେ ନାହିଁ । ବିଗତ ୭୫ ବର୍ଷ ହେଲା ଦେଶ ସ୍ୱାଧୀନ ହେବାପରେ ପ୍ରତ୍ୟେକ ଭାରତୀୟ ଭାଷାରେ ସମସ୍ତେ ‘ଭାରତ’ ନାମ ବ୍ୟବହାର କରି ଆସୁଛନ୍ତି । କେହି ଭାରତୀୟ ଭାଷାରେ ଏ ଦେଶକୁ ଇଣ୍ଡିଆ ବୋଲି ଲେଖନ୍ତି ନାହିଁ । ସମ୍ବିଧାନର ଅଷ୍ଟମ ସୂଚୀରେ ଉଲ୍ଲେଖ କରାଯାଇଥିବା ଅଧିକାଂଶ ଭାଷାରେ ପୂର୍ବର ଅସମୀୟା ଏବଂ ମଣୀପୁରୀ ଠାରୁ ଆରମ୍ଭ କରି ପଶ୍ଚିମର ଗୁଜୁରାଟି ଏବଂ ମରାଠୀ ତଥା ଦକ୍ଷିଣର ତାମିଲ, ତେଲୁଗୁ, କନ୍ନଡ କିମ୍ବା ମଲୟାଲମରେ ଏହି ଦେଶକୁ ଭାରତ, ଭାରୋତ, ଭାରତନାଡୁ, ଭାରତା, ଭାରତଦେଶମ, ଭାରତମ ଆଦି କୁହାଯାଏ । ଯାହା ଭାରତ ଶବ୍ଦ ସହିତ ସମକକ୍ଷ । ସାମାଜିକ କିମ୍ବା ସାଂସ୍କୃତିକ, ମନୋବିଜ୍ଞାନ ହେଉ ବା ଭାଷା ବିଜ୍ଞାନ ହେଉ, ପ୍ରତ୍ୟେକ ମାନଦଣ୍ଡରେ ଭାରତର ନାମ ଏହି ଦେଶର ଆତ୍ମାରେ ବିରାଜିତ । ତାହା ହେଲେ କଣ ପାଇଁ ଏ ଦେଶର ଦୁଇଟି ନାମ ରହିବ ? ଯେଉଁ ଇଂରେଜମାନେ ଇଣ୍ଡିଆ ନାମକୁ ଆଗକୁ ବଢାଇ ଥିଲେ ସେହି ଦେଶରେ କଣ ଦେଶର ନାମ ଦୁଇଟି ଲେଖାଯାଉଛି ? ଦକ୍ଷିଣ ଏସିଆରେ ଇଂଲଣ୍ଡକୁ ବିଲାୟତ କୁହାଯାଉଛି । କିନ୍ତୁ ବିଲାୟତ ଏହାର ଅଧିକୃତ ନାମ ନୁହେଁ । କଥାବାର୍ତା ବେଳେ କେବଳ ଏହିପରି କୁହାଯାଏ । ଏବେ ଅନେକ ବୁଦ୍ଧିଜୀବୀଙ୍କ ମତ ଯେ, ଭାରତର କାହିଁକି ଦୁଇଟି ନାମ ରହିବ ? ସମ୍ବିଧାନରେ କାହିଁକି ଦୁଇଟି ନାମ ଲେଖାହେବ ? ଦୁନିଆର କୌଣସି ସ୍ୱାଭିମାନି ଦେଶ ବିଦେଶୀ ଦାସତ୍ୱର ପ୍ରତୀକ ଏବଂ ନାମ ସ୍ୱୀକାର କରନ୍ତି ନାହିଁ । ଆମର ପଡୋଶୀ ଦେଶ ବର୍ମା ମିଆଁମାରରେ ପରିଣତ ହୋଇଛି । ସିଲନ୍‌, ଗୋଲ୍ଡକୋଷ୍ଟ ଏବଂ ରୋଡେସିଆ ଭଳି ଦେଶ ବିଦେଶୀ ନାମ ଛାଡି ତାଙ୍କର ପୂରାତନ ନାମ ଶ୍ରୀଲଙ୍କା, ଘାନା ଏବଂ ଜିମ୍ବାୱେ କୁ ଗ୍ରହଣ କରିଛନ୍ତି । ତେଣୁ ମହାନ ପ୍ରାଚୀନ ସଭ୍ୟତା-ସଂସ୍କୃତି ସମ୍ପନ୍ନ ଆମର ଦେଶ କାହିଁକି ଗୋଟିଏ ନାମ ଭାରତ ନାମରେ ପରିଚିତ ନହେବ ?
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୬୯୫୫୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ