ମଦ ଦୋକାନକୁ କେନ୍ଦ୍ର କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଡିଆରଡିଏ ଅଫିସ୍ ସମ୍ମୁଖ ତଥା ସହରର ମୁଖ୍ୟ ପ୍ରବେଶ ପଥରେ ଖୋଲାଯାଇଥିବା ଅନ ସପ୍ ବିଦେଶୀ ମଦ ଦୋକାନ ବନ୍ଦ କରିବା ପ୍ରତିବାଦରେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦର ୧ ଓ ୨ ନଂ ୱାର୍ଡର ବହୁ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ମଦ ଦୋକାନ ଖୋଲିବା ଦ୍ୱାରା ଅଂଚଳର ଜନସାଧାରଣ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବେ ବୋଲି ସେମାନେ ଉକ୍ତ ସ୍ମାରକପତ୍ରରେ ଦର୍ଶାଇବା ସହ ଏହାକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି । ଅପରପକ୍ଷରେ ୧ ନଂ ୱାର୍ଡରେ ଥିବା ସମସ୍ତ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଦୋକାନ ଗୁଡିକ ସମ୍ପୁର୍ଣ୍ଣ ବନ୍ଦ କରାଯାଉ ଜଣଙ୍କୁ ଟାର୍ଗେଟ କରି ଏପରି ବନ୍ଦ କରିବା ଠିକ୍ ନାହିଁ । ଏଣୁ ସମସ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ ନଚେତ୍ ସମସ୍ତ ଦୋକାନକୁ ବନ୍ଦ କରାଯାଉ ବୋଲି ସେହି ଅଂଚଳର କିଛି ଯୁବକ ମାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାକୁ ଦେଖିବାକୁ ମିଳିଛି । ଏହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବାହ୍ନରେ ସେହି ଅଂଚଳର ବହୁ ଜନସାଧାରଣ ଡିଆରଡିଏ ଅଫିସ୍ ସମ୍ମୁଖରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନ ବନ୍ଦ କରିବା ନେଇ ଟାର୍ଗେଟ କରିଥିବା ବେଳେ ଅପରାହ୍ନରେ ବିନା ପକ୍ଷପପାତିତାରେ ସମସ୍ତ ଆଇଏମଏଫଏଲ ଓଏସ ସପ ମଦ ଦୋକାନ ପାଇଁ ସମାନ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେହି ଅଂଚଳର କିଛି ଜନସାଧାରଣଙ୍କ ଦସ୍ତଖତ ଥିବା ଏକ ଲିଖିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ୧ ନଂ ୱାର୍ଡ ଅଧିନରେ ୩ଟି ବିଦେଶୀ ମଦ ଦୋକାନ ସମେତ ଗୋଟିଏ ଦେଶୀ ମଦ ଦୋକାନ ରହିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯିବ ତାହା ସମୟ କହିବ ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।


