ମାନସିକ ଭିନ୍ନକ୍ଷମ ମହିଳାଙ୍କ ଠାରୁ ବେଆଇନ ଜମି କବଲା କରିନେଇଥିବା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ମାନସିକ ଭିନ୍ନକ୍ଷମ ମହିଳାଙ୍କ ନିକଟରୁ ବେଆଇନ ଭାବେ ଜମି କବଲା କରିନେଇ ତାଙ୍କୁ ଘରୁ ବାହାର କରିଦେଇଥିବା ଘଟଣା ବିରୋଧରେ ନ୍ୟାୟ ପ୍ରଦାନ ଦାବିରେ ସଂପୃକ୍ତ ପରିବାର ସହିତ ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡଜରିଆ ଗ୍ରାମର ସ୍ୱର୍ଗତ ଧରଣୀଧର ରାଉଳଙ୍କ ମାନସିକ ଭିନ୍ନକ୍ଷମ ଝିଅ ମାତା ରାଉଳ କରିଥିବା ଅଭିଯୋଗ ଅନୁଯାୟୀ ସେହି ଗ୍ରାମର କେତେକ ଖଳ ପ୍ରକୃତିର ବ୍ୟକ୍ତିମାନେ ତାଙ୍କୁ ଗତ ୨୦୧୮ମସିହାରେ ସବରେଜିଷ୍ଟରଙ୍କ କାର୍ଯ୍ୟାଳୟକୁ ନେଇ ବିନା ଜରସମନରେ ତାଙ୍କ ନାମରେ ଥିବା ଜମିକୁ ରେଜେଷ୍ଟ୍ରି କବଲା କରିନେଇ ଥିଲେ । ଏହାପରେ ଅଭିଯୋଗକାରୀ ଏବଂ ତାଙ୍କ ମା’ ଅହଲ୍ୟା ରାଉଳଙ୍କୁ ମାଡମାରି ତାଙ୍କ ଘରୁ ବିଦା କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ବିଗତ ୪ବର୍ଷ ଧରି ସେ ତାଙ୍କ ମା’ ବାହାରେ ବହୁ କଷ୍ଟରେ ବାରଦ୍ୱାରରେ ବୁଲି ଭିକ୍ଷା କରି ରହି ଆସୁଥିବା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ପୂର୍ବରୁ ଅଭିଯୋଗକାରୀ ପଟ୍ଟାମୁଣ୍ଡାଇ ଥାନା ଏବଂ ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଗଙ୍ଗାରାମପୁର ଗ୍ରାମରେ ରହୁଥିବା ଭିନ୍ନକ୍ଷମ ଝିଅ ଓ ତାଙ୍କ ମା’ଙ୍କୁ ଜୀବନରୁ ମାରିଦେବାକୁ ଏବେ ଜମି ନେଇଯାଇଥିବା ବ୍ୟକ୍ତିମାନେ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିବା ସହ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ