ମାନ୍ୟବର କ୍ରୀଡା ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ: ଜିଲ୍ଲାର କ୍ରୀଡା ଭିତିଭୂମି ସମ୍ପର୍କରେ କଲେ ସମୀକ୍ଷା
ବାଲେଶ୍ୱର,(ୱାଇଏନ୍ଏସ୍): ଆଜି ମାନ୍ୟବର ମନ୍ତ୍ରୀ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଏବଂ ଯୁବସେବା ବିଭାଗ, ଓଡିଶା ସରକାର ଶ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଜିଲ୍ଲାରେ କ୍ରୀଡା ଭିତିଭୂମିର ବିକାଶ ଏବଂ ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା ସ୍ଥାନୀୟ ପରମିଟ୍ ପଡିଆ, ଚାନ୍ଦମାରି ପଡିଆ ସମେତ ରେମୁଣା ବ୍ଲକର ନରହରିପୁର ପଡିଆ ପରିଦର୍ଶନ କରିଥିବା ବେଳେ ମାନ୍ୟବର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ କୈଳାଶ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ପରେ ସ୍ଥାନୀୟ ନୋସି ବିଜନେସ ପାର୍କଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର କ୍ରୀଡା ଭିତିଭୂମିର ବିକାଶ ଓ ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ କ୍ରୀଡା ଭିତିଭୂମିର ବିକାଶ ସହ ଉକ୍ତ ଅଂଚଳରେ କ୍ରୀଡା ପ୍ରତିଭାମାନଙ୍କୁ କିଭଳି ସୁଯୋଗ ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସଦର ତହସିଲଦାର ଅନାମିକା ସିଂ, ରେମୁଣା ତହସିଲଦାର ଚାର୍ଲସ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।


