ମା କରେଇଶୁଣୀ ପୀଠର ସ୍ୱତନ୍ତ୍ର ମହାଷ୍ଟମୀ ପୂଜା
ଅର୍ଜୁନ ଗଛ ସାଜିଛି ମୂକସାକ୍ଷୀ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଖରିଡା ପଞ୍ଚାୟତରେ ଅବସ୍ଥାପିତ ମା କରେଇଶୁଣୀ ମନ୍ଦିର ଅବସ୍ଥାପିତ । ହିଞ୍ଜିଳିକାଟୁ ସହର ଠାରୁ ଦୂରତା ମାତ୍ର ୫ କିଲୋମିଟର । ଏହି ମନ୍ଦିରର ରହିଛି ଅନେକ ସ୍ୱତନ୍ତ୍ରତା । ଆଶ୍ୱିନ ମାସ ନବରାତ୍ର ପୂଜା ସମେତ ମହାଷ୍ଟମୀ ପୂଜାତ୍ସୋବ ସ୍ଥାନୀୟ ଗ୍ରାମ ସମେତ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କ ପାଇଁ ସତେ ଯେମିତି ଏକ ବିରାଟ ପର୍ବ । ସତେ ଯେପରିକି ମା କରେଇଶୁଣୀଙ୍କ ବାର୍ଷିକ ପର୍ବ ପାଳନ କରାଯାଉଛି । ଆଶ୍ୱିନ ମାସ ନବରାତ୍ର ପୂଜା ସମେତ ମହାଷ୍ଟମୀ ପୂଜାତ୍ସୋବରେ ବହୁ ଦୁରଦୂରାନ୍ତରରୁ ଭକ୍ତଙ୍କ ସୂଅ ଛୁଟିଥାଏ ମାଙ୍କ ପାଖକୁ । ଗତ କିଛି ବର୍ଷ ଧରି ଏହି ପୀଠକୁ ପର୍ଯ୍ୟଟକ ମାନଙ୍କ ସୂଅ ଛୁଟୁଥିବା ଦେଖିବାକୁ ମିଳିଛି । ବର୍ଷତମାମ ବିଭିନ୍ନ ଅଞ୍ଚଳରୁ ଯୁବଗୋଷ୍ଠୀ ଏଠାକୁ ପିକନିକର ମଜା ନେଉଥିବା ବେଳେ ନଭେମ୍ବର ମାସ ଶେଷ ସପ୍ତାହରୁ ଆରମ୍ଭ କରି ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ପିକନିକ ପାଇଁ ବହୁ ଦୁରଦୂରାନ୍ତରରୁ ଲୋକମାନେ ଏଠାକୁ ଆସି ବେଶ ମଜା ଉଠାଇଥାନ୍ତି । ଘୋଡାହାଡ ଏବଂ ଋଷିକୂଲ୍ୟା ନଦୀର ମିଳନସ୍ଥଳରେ ମା କରେଇଶୁଣୀଙ୍କ ମନ୍ଦିର ଅବସ୍ଥାପିତ ହୋଇଥିବା ବେଳେ ମନ୍ଦିର ନିକଟସ୍ଥ ଅଞ୍ଚଳରେ ରହିଥିବା ବାଉଁଶବଣ ସହ ସବୁଜିମା ପରିବେଶ ସାଙ୍ଗକୁ ରହିଥିବା ହରିଣ ମାନଙ୍କ ଆତଯାତ ସମସ୍ତଙ୍କୁ ମନମୁଗ୍ଧ କରିଥାଏ । କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୨୫୦ ବର୍ଷ ପୂର୍ବେ ଏହି ସ୍ଥାନରେ ଆଦୀବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ । ସେବେଠାରୁ ଏହି ସ୍ଥାନରେ ମାଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି । କାଳକ୍ରମେ ଏହି ସ୍ଥାନରେ ଜନବସତି ଗଢି ଉଠିଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅନ୍ୟସ୍ଥାନକୁ ଚାଲି ଯାଇଥିଲେ । ଯିବା ସମୟରେ ମା କରେଇଶୁଣୀଙ୍କୁ ସାଙ୍ଗରେ ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ସ୍ଥାନୀୟ ଗ୍ରାମବାସୀଙ୍କ ଅନୁରୋଧକୁ ପ୍ରତ୍ୟାଖାନା କରିନପାରି ମା କରେଇଶୁଣୀଙ୍କୁ ସାଙ୍ଗରେ ନ ନେଇ ସେମାନେ ସେହି ସ୍ଥାନ ପରିତ୍ୟାଗ କରି ଅନ୍ୟତ୍ର ପଳାୟନ କରିଥିଲେ । ସେତେବେଳେ ମା କରେଇଶୁଣୀଙ୍କ କୌଣସି ମନ୍ଦିର ନଥିଲା । ଅର୍ଜୁନ ଗଛମୂଳେ ମା ପୂଜା ପାଇ ଆସୁଥିଲେ । ୧୯୭୨ ମସିହାରେ ଘୋଡାହାଡ ଓ ଋଷିକୂଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଅର୍ଜୁନ ଗଛ ଭାସିଯାଇ ପ୍ରାୟ ୨କିଲୋମିଟର ଦୁରରେ ଅଟକି ରହିଥିଲା । ବନ୍ୟା ପରେ କିଛି ଦିନ ଧରି ମା କରେଇଶୁଣୀ ଖୋଲା ଆକାଶ ତଳେ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିଲା । ଖୋଲା ଆକାଶ ତଳେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡିଥିଲା । ପରେ ମାଙ୍କ ଶୂନ୍ୟବାଣୀ ପ୍ରକାରେ ପ୍ରାୟ ୨ କିଲୋମିଟର ଦୁରରେ ଅଟକି ଥିବର ଅର୍ଜୁନ ଗଛ ପୁଣି ଥରେ ଆସି ମାଙ୍କ ପାଖରେ ଠିଆ ହୋଇପଡିଥିବା ନେଇ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି । ଭକ୍ତିର ସହକାରରେ ମାଙ୍କୁ ଡାକ ପକାଇଲେ ମା ଭକ୍ତଙ୍କ ମନବାଞ୍ଝା ପୂରଣ କରନ୍ତି ବୋଲି ଆଜି ବି ଲୋକଙ୍କ ବିଶ୍ୱାସ ରହି ଆସିଛି ।ପରବର୍ତ୍ତୀ ଅବସ୍ଥାରେ ମାଙ୍କ ପୂଜାର୍ଚ୍ଚନା ସକାଶେ ଖରିଡା ଗ୍ରାମର ୧୫ଟି ରାଉଳ ପରିବାର ପାଳି କରି ମାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଚୈତ୍ର ମଙ୍ଗଳବାର ଯାତ୍ରାପର୍ବ ମାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ବହୁ ଦୁରଦୂରାନ୍ତରରୁ ଭକ୍ତ ମାନେ ଆସି ନିଜ ନିଜ ଶିଶୁଙ୍କ ମାନସିକ ମୁଣ୍ଡନ କରାଇଥାନ୍ତି । ବିଶେଷକରି ମହାବିଷୁବ ସଂକ୍ରାନ୍ତିରେ ମା କରେଇଶୁଣୀ ପୀଠ ବେଶ ଚଳଚଞ୍ଚଳ ହୋଇ ଉଠିଥାଏ । କାଳକ୍ରମେ ମା କରେଇଶୁଣୀଙ୍କ ପୀଠର ଭିତ୍ତିଭୂମିର ବିକାଶ ହେବା ସହ ପ୍ରଶାସନିକ ଅଧିକାରୀଙ୍କ ସାହାର୍ଯ୍ୟ ଓ ସହଯୋଗରୁ ମାଙ୍କ ପୀଠ ବେଶ ଆକର୍ଷଣୀୟ ହୋଇପାରିଛି ବୋଲି ମନ୍ଦିର ପରିଚାଳନା କମିଟି ବୃନ୍ଦ କହିଛନ୍ତି । ତେବେ ମାଙ୍କ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଶ୍ରଦ୍ଧାଳୁଙ୍କ ସମେତ ଗ୍ରାମବାସୀ ନିବେଦ କରିଛନ୍ତି । ଅନ୍ୟପକ୍ଷରେ ଆଶ୍ୱିନ ମାସ ପାର୍ବଣଋତୁର ପ୍ରଥମ ଦିନ ଠାରୁ ନବମୀ ତିଥୀ ପର୍ଯ୍ୟନ୍ତ ମାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ନୀତିକାନ୍ତିରେ ୯ ଦିନ ଧରି ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତ୍ୟହ ମାଙ୍କ ପହଡ ଓ ଆଳତୀ ସମାପନ ପରେ ମାଙ୍କ ନିକଟରେ ଦୀପଦାନ କରାଯାଇଥାଏ । ନବରାତ୍ର ପୂଜା ସମେତ ସକାଳ ସମୟରେ ୯ଦିନ ଧରି ମାଙ୍କ ପୀଠରେ ଚଣ୍ଡିପାଠ କରାଯାଇଥାଏ । ପ୍ରଦୀପ ପ୍ରଜ୍ଜଳନ ସହ ମହାଷ୍ଟମୀ ସନ୍ଧି ପୂଜା କରାଯାଇଥାଏ । ଏହି ଦିବସରେ ମାଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଭୋଗ ଅର୍ପଣ କରାଯାଇଥାଏ । ରାତିରେ ହୋମଯଜ୍ଞ କରାଯିବା ପରେ ମଧ୍ୟରାତ୍ରରେ ମାଙ୍କୁ ଅନ୍ନଭୋଗ ଲାଗି କରାଯାଇଥାଏ । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଭକ୍ତ ମାନେ ମାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି । ମାଙ୍କ ପୀଠ ସର୍ବପୂରାତନ ସହ ବିଶେଷ ଶକ୍ତିପୀଠ ହୋଇଥିବାରୁ ଭକ୍ତିର ସହ ପୂଜାର୍ଚ୍ଚନା କଲେ ଭକ୍ତଙ୍କ ମାନସିକ ପୁର୍ଣ୍ଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଆସିଛି । ନବରାତ୍ର ପୂଜା ସମୟରେ ବହୁ ଦୁରଦୂରାନ୍ତରରୁ ଭକ୍ତ ମାନେ ମାଙ୍କ ପୀଠକୁ ଆସି ଦୀପଦାନ କରୁଥିବା ଦେଖିବାକୁ ମିଳିଛି । ମାଙ୍କ ପୀଠର ପ୍ରଥା ଓ ପରମ୍ପରା ଶତାଧିକ ବର୍ଷର ପୁରୁଣା ବୋଲି ଜଣାପଡିଛି ।
ଉପସ୍ଥାପନା : ଶେଷଦେବ ସାହୁ
ହିଞ୍ଜିଳିକାଟୁ ପ୍ରତିନିଧି
ମୋବାଇଲ ନଂ- ୯୪୩୮୩୨୮୩୫୮


