ସମ୍ବଲପୁରୀ ନୃତ୍ୟ ଓ ଖୋ ଖୋ ଖେଳି ଦାବି ଜଣାଇଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ୧୭ ଦିନର ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଓଡ଼ିଶା କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ସମ୍ବଲପୁରୀ ନୃତ୍ୟ, ଖୋ ଖୋ ଖେଳି ଏବଂ ଢୋଲ ବଜାଇ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଆଜକୁ ପ୍ରାୟ ୯ ବର୍ଷ ଧରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ତାର ନ୍ୟାର୍ଯ୍ୟ ଦାବୀ ‘ସ୍ଥାୟୀ ନିଯୁକ୍ତି’ ପ୍ରସ୍ତାବକୁ ସରକାରଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାଁନ୍ତି । ଚଳିତବର୍ଷ ବିଧାନସଭା ଅଧିବେଶନରୁ ତା ୫.୧୨.୨୦୨୨ରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ଧରି ବିଧାନସଭା ସମ୍ମୁଖରେ ମହାସଂଘ ତାର ଧାରଣା ଜାରି ରଖିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ମହାସଂଘର ଦାବୀ ପ୍ରତି ଦୃଷ୍ଟି ଦେଇ ନାହାଁନ୍ତି, ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଜଗତଜୀବନ ନାୟକ ଓ ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥି, ବିଜନ ଦାସ, ଶଙ୍କର ପ୍ରସାଦ ମହାପାତ୍ର, ଆରତୀ ଆଚାର୍ଯ୍ୟ, ସ୍ମୀତାଞ୍ଜଳି ମହାପାତ୍ର, ସ୍ୱାତୀମୁକ୍ତା, ଦିଲ୍ଲୀପ ପଣ୍ଡା, ମନୋଜ ଚୌଧୁରୀ, ହିମାଦ୍ରୀ ସାହୁ, କୃଷ୍ଣସୁଦାମା ପାଣିଗ୍ରାହୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।


