ମୋଦି ସରକାରର ଆକ୍ରୋଶ ରାଜନୀତି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧିଙ୍କ ପ୍ରତି ମୋଦି ସରକାରର ଆକ୍ରୋଶ ରାଜନୀତିର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କେନ୍ଦ୍ରର ମୋଦି ସରକାରର ୮ବର୍ଷ ଶାସନରେ ଆକ୍ରୋଶ ରାଜନୀତି ସମସ୍ତ ସୀମା ଟପିଯାଇଛି ବୋଲି କହିଥିଲେ । ପିସିସି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସତ୍ୟାଗ୍ରହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ୟର ସାମ୍ନା କରିବାକୁ ଭୟଭୀତ ଓ ଦେଶରେ ସାମ୍ପ୍ରଦାୟିକ ସଦଭାବ ଧ୍ୱଂସ କରିବାକୁ ସେ ସଂକଳ୍ପ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ରାଜ୍ୟର ନବୀନ ସରକାର ବିଜେପି ସହ ହାତ ମିଳାଇ କମ୍ପାନୀ ହାତରେ ରାଜ୍ୟ ସମ୍ପତ୍ତିକୁ ଟେକି ଦେବାକୁ ଲାଗିଛି ବୋଲି ଶ୍ରୀ ସେଠୀ ବକ୍ତବ୍ୟ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଅଭିଭାଷଣରେ ଏକଛତ୍ରବାଦୀ ବିଜେପି ସରକାରର ପତନ ଅବସମ୍ଭାବୀ ବୋଲି ଭବିଷ୍ୟବାଣୀ କରିଥିଲେ । ସୁପ୍ରିମକୋର୍ଟଙ୍କ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ରାଜ୍ୟ ସରକାରଙ୍କୁ ଅତି କଠୋର ଭାବରେ ଭର୍ତ୍ସନା କରିଥିବାରୁ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଜରୁରୀ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଜିଲ୍ଲା କଂଗ୍ରେସର ଏହି ଆନ୍ଦୋଳନରେ ସିପିଏମ ନେତା ଗୟାଧର ଧଳ ଏବଂ ସିପିଆଇ ନେତା ରମଣୀରଞ୍ଜନ ରାଉତରାୟ ଅଂଶଗ୍ରହଣ କରି ଦେଶରେ ବଢିଚାଲିଥିବା ଗଣତନ୍ତ୍ରର ହତ୍ୟା ତଥା ସମ୍ବିଧାନର ଅମର୍ଯ୍ୟାଦା ପ୍ରତିବାଦରେ ବ୍ୟାପକ ଜନଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ବୋଲି ବର୍ଣ୍ଣନା କରିବା ସହ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉଭୟ ଦଳକୁ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବାକୁ ଉଦ୍‌ବୋଧନ ଦେଇଥିଲେ । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ଜୟନ୍ତ ମହାନ୍ତି, ଆକବର ଅଲ୍ଲୀ, ରାଜେଶ ମହାନ୍ତି, ମୁକ୍ତାର ଖାଁ, ହିବଜୁର ରହେମାନ, କମଳାକାନ୍ତ ବେହେରା, ସଞ୍ଜୟ ରାଉତ, ମୀର୍ ମୁରସିଦ୍‌, ପରଭେଜ ଅଖତର, ଆଶିଷ ମେକାପ, ଲକ୍ଷ୍ମୀଧର ପଲାଇ ପ୍ରମୁଖ ଅଂଶଗ୍ରହଣ କରି ଅଭିମତ ରଖିଥିଲେ । ଜିଲ୍ଲା କଂଗ୍ରେସ ଅନୁସୂଚିତ ବିଭାଗ ସଭାପତି ସର୍ବେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ