ମୋ ଗୁହାଳ ଯୋଜନାରେ ମହାଦୁର୍ନୀତି (ଭିଜିଲାନ୍ସ ତଦନ୍ତ ଦାବି)
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ୭ଗୋଟି ରାଜସ୍ୱ ଗ୍ରାମରେ ମୋ ଗୁହାଳ ଯୋଜନାରେ ମହାଦୁର୍ନୀତି ହୋଇଥିବା ନେଇ କାଦୁଆ ନୂଆଗାଁ ବିକାଶ ପରିଷଦ ପକ୍ଷରୁ ଘଟଣାର ସତ୍ୟତା ପ୍ରମାଣିତ କରିବା ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି । ଖବରରୁ ପ୍ରକାଶ ଯେ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି, ସନ୍ତରସ, ଉପୁଳା, ବୋବୁଆ, ତଇଲୋ, ଜଗନ୍ନାଥପଡା ଓ ପୁବେଇ ଆଦି ୭ଗୋଟି ରାଜସ୍ୱ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୋ ଗୁହାଳ ଯୋଜନାରେ ୭୫ ଭାଗ ଗୁହାଳ କରାନଯାଇ ଗୋଟିଏ ଗୁହାଳକୁ ଏକାଧିକ ବାର ଜିଓ ଟେକିଂଗ କରାଯାଇ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ କରାଯାଇ ହରିଲୁଟ କରାଯାଇଥିବା କାଦୁଆ ନୂଆଗାଁ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହେଉଛି । ଏହି ଗ୍ରାମ ପଞ୍ଚାୟତର ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମିଳିତ ଭାବେ କାକଟପୁର ବ୍ଲକର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟରତ ଅଧିକାରୀ ସମେତ କିଛି ଅସାଧୁ କର୍ମଚାରୀ ମାନଙ୍କୁ ହାତ କରି ମୋ ଗୁହାଳ ଯୋଜନାରେ କାର୍ଯ୍ୟଦେଶ ପାଇଥିବା ହିତାଧିକାରୀ ମାନଙ୍କ ଦ୍ଵାରା ନିର୍ମିତ ଗୃହ ବାବଦ ବିଲକୁ ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା ଭେଣ୍ଡର ଆକାଉଣ୍ଟକୁ ପଠାଇ ହରିଲୁଟ କରିଥିବା ହିତାଧିକାରୀ ଦୁର୍ଯ୍ୟଧନ ଭୂୟାଁ, ସୁରେନ୍ଦ୍ର ମିର୍କାପ ଓ ଭଗ୍ରେସେନ ବେହେରା ସମେତ କେତେକ ହିତାଧିକାରୀ କାକଟପୁର ବ୍ଲକ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଯୋଜନାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗୁହାଳ ଗୃହ କରାନଯାଇ ତତ୍କାଳୀନ ଗ୍ରାମ ରୋଜଗାର ସେବକ ମାଧ୍ୟମରେ କାର୍ୟ୍ୟ ହୋଇଥିବା ଅନ୍ୟ ହିତାଧିକାରୀ ମାନଙ୍କ ଗୃହକୁ ଜିଓ ଟ୍ୟାଂଗି କରାଯାଇ କାର୍ୟ୍ୟ ହୋଇଥିବା କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ଦର୍ଶାଯାଇ ଲକ୍ଷାଧିକ ଟଙ୍କା ହରିଲୁଟ କରାଯାଇଛି ବୋଲି କାଦୁଆନୂଆଗାଁ ବିକାଶ ପରିଷଦର ସଭାପତି ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି । ଏହି ଯୋଜନାରେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ, ସଚୀବ, ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଏହି ଘଟଣାରେ ସଂଶ୍ଲିଷ୍ଟ ଅଧିକାରୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ସତ୍ୟତା ପ୍ରମାଣିତ କରିବା ପାଇଁ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ କାଦୁଆ ନୂଆଗାଁ ବିକାଶ ପରିଷଦର ସଭାପତି ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଦାବି କରିଛନ୍ତି ।


