ଯାତାୟତ ପାଇଁ ମରାମତି ହେଲା କେନାଲ ବନ୍ଧ ରାସ୍ତା
ବନ୍ତ, (ଚାନ୍ଦିନୀ ମହାନ୍ତି):କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କର ବିକାଶ ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଚାଷ ଜମିକୁ ଜଳସେଚିତ କରିବା ପାଇଁ କେନାଲର ବ୍ୟବସ୍ଥା କରିଥିବା ବେଳେ ଚାଷୀ ମାନଙ୍କ ଯାତାୟତ ପାଇଁ କେନାଲ ବନ୍ଧ ରାସ୍ତାକୁ ପିଚୁ ଓ ମେଟାଲ, ମୋରମ କରୁଛନ୍ତି । ସେହିଭଳି ଶାଳନିଆଁ ଜଳସେଚନ ଉପଖଣ୍ଡ ତଥା ବନ୍ତସ୍ଥିତ ଜଳସେଚନ କାର୍ଯ୍ୟାଳୟ ସେକ୍ସନ-୩ ଅଧିନରେ ଥିବା ଡାଳିମ୍ବଗଢିଆ ଡିଷ୍ଟ୍ରିବ୍ୟୁଟର କେନାଲ ବନ୍ଧ ରାସ୍ତାକୁ ରାଜ୍ୟ ସରକାର ଯାତାୟତ ଉପଯୋଗୀ କରିଥିବା ଦେଖିବାକୁ ମିଳିଛି । ଫଳରେ ଏହି କେନାଲ ବନ୍ଧ ରାସ୍ତା ଦେଇ ଶହ ଶହ ଚାଷୀ ଯାତାୟତ କରି ପାରିବେ ବୋଲି ଜଣାଯାଇଛି । ଦୀର୍ଘ ୧୦କିମି ୫ ଶହ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଡାଳିମ୍ବଗଢିଆ ଡିଷ୍ଟ୍ରିବ୍ୟୁଟର କେନାଲ ଗତ ୩୮ ବର୍ଷ ତଳେ ନିର୍ମାଣ ହୋଇଥିଲା । ଗତ ୧୨ ବର୍ଷ ତଳେ ଚାଷୀ ମାନଙ୍କ ଯାତାୟତ ପାଇଁ ୩ କିମି କେନାଲ ବନ୍ଧକୁ ପିଚୁ ରାସ୍ତା କରାଯାଇଥିଲା । ଫଳରେ ଏହି ରାସ୍ତା ଦେଇ ଘରପଦା, ଦୋଳପଦୀ ସମେତ ବହୁ ଗ୍ରାମର ଲୋକ ମାନେ ସୁବିଧାରେ ଯାତାୟତ କରିଆସୁଛନ୍ତି । ଅବିଶିଷ୍ଟ ୭କିମି କେନାଲ ବନ୍ଧ ରାସ୍ତା ଦୀର୍ଘ ଦିନ ଧରି ଯାତାୟତ ଅନୁପଯୋଗୀ ହୋଇ ରହିଥିଲା । ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରିପେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ୧ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଅବଶିଷ୍ଟ ୭ କିମି ରାସ୍ତା ମଧ୍ୟରୁ ୩ କିମି କେନାଲ ବନ୍ଧ ରାସ୍ତାକୁ ମେଟାଲ, ମୋରମ କରାଯିବା ସହ ଜଳ ନିଷ୍କାସନ ପାଇଁ ଆଉଟ ଲେଟ୍ ଓ ପ୍ରୋଟେକସନ ୱାଲ ନିର୍ମାଣ କରାଯାଉଛି । ଫଳରେ ଚାଷୀ ମାନେ ସୁବିଧାରେ ଯାତାୟତ କରିବା ସହିତ ଚାଷ ଜମି ଗୁଡିକ ସଠିକ୍ ଭାବେ ଜଳସେଚିତ ହୋଇପାରିବ ବୋଲି ଜଣାଯାଇଛି ।


