ଯୁବକଙ୍କ ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ ): ମଙ୍ଗଳବାର ସକାଳେ ହିଞ୍ଜିଳିକାଟୁ ବସ ଟର୍ମିନାଲ ନିକଟରୁ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ସ୍ଥାନୀୟ ପୈାରାଞ୍ଚଳ ପାଟଣା ସାହିର ନିରଞ୍ଜନ ମୁଳି(୩୫) । ଏ ନେଇ ହିଞ୍ଜିଳି ଥାନାକେଶ ନଂ ୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।ପ୍ରକାଶ ଯେ, ଯୁବକ ଜଣକ ହିଞ୍ଜିଳିକାଟୁ ବସ ଟର୍ମିନାଲ ନିକଟରେ କମାର ଶାଳ କରି ଜୀବିକା ନିର୍ବାହ କରୁଥିଲେ । ସୋମବାର ରାତିରେ ଦୋକାନ ବନ୍ଦ କରିବା ପରେ ଘରକୁ ଫେରି ନଥିବା ପରିବାର ତରଫରୁ ସୂଚନା ମିଳିଛି । ମଙ୍ଗଳବାର ସକାଳେ କମାର ଶାଳ ନିକଟରେ ଯୁବକଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ମୃତକଙ୍କ ପରିବାର ଓ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ସକାଶେ ପଠାଇ ଘଟଣାର ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ମୃତ ଦେହ ନିକଟରେ କିଛି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁର ସଠିକ୍ କାରଣ ଅସ୍ପଷ୍ଟ ରହିଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


