ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା
କେନ୍ଦ୍ରାପଡା – ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳାର ବୁଧବାର ତୃତୀୟ ସନ୍ଧ୍ୟାରେ ରାଜନଗର ଗହୀରମଥା କଇଁଛ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଭିତରକନିକା ଓ ପରିବେଶ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ସାରସ୍ୱତ ସମାରୋହରେ ପରିବେଶର ବାର୍ତ୍ତାପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ତାହାର ପ୍ରଶଂସା କରିଥିଲେ । ଭିତରକନିକା ସନ୍ଧ୍ୟା ଓ ପରିବେଶ କବିତା ପାଠୋତ୍ସବ ଶୀର୍ଷକ କାର୍ଯ୍ୟକ୍ରମରେ ଆଲୋଚକ ଭାବେ କବି ହେମନ୍ତ କୁମାର ରାଉତ ଭିତରକନିକାର ଜୈବ ବିବିଧତା ଉପରେ ଆଲୋକପାତ କରି ଜଗସିଂହପୁର ଜିଲ୍ଲାର ଶିଳ୍ପ ସଂସ୍ଥା ଅଲିଭରିଡଲେ କଇଁଛଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା କହିଥିଲେ । ଗହୀରମଥା କଇଁଛ ସୁରକ୍ଷା ସମିତିର ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପରିବେଶବିତ ଅଶୋକ କୁମାର ସ୍ୱାଇଁ ଓ କେମ୍ର ସଭାପତି ଅକ୍ଷୟ କୁମାର ପାଣି ଆଲୋଚକଭାବେ ଯୋଗଦେଇ ପରିବେଶ ପାଇଁ ଆମେ ସମସ୍ତେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଆଶୁ କବି ହେମନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ଉଭେଣ୍ଟ ମ୍ୟାନେର୍ସର ସମ୍ପାଦକ ମହମ୍ମଦ ଜାହିଦ୍ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‘ଗହୀରମଥା ଓ ବ୍ୟଥା’ ଶୀର୍ଷକ ଏକ ନାଟକ ମଞ୍ଚସ୍ଥ ହୋଇଥିଲା । ଏହା ପୂର୍ବରୁ ଶ୍ରୀ ବଳଦେବଜୀଉ କଳାସଂସ୍କୁତି ପ୍ରତିଷ୍ଠାନ ପକ୍ଷରୁ ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କେମର ସଦସ୍ୟ ଧିରେନ୍ଦ୍ର କୁମାର ଦାସ(ବୁଲୁ), ଲଳିତେନ୍ଦୁ ପଣ୍ଡା, ବିଜୟ କୁମାର ବେହେରା, ସରୋଜ କାନ୍ତ ସାହୁ, ରଞ୍ଜନ କୁମାର ରଣା, ଗୋପିନାଥ ସାମନ୍ତରାୟ, ଜ୍ୟୋତି ରଞ୍ଜନ ସାମନ୍ତରାଏ, ସତ୍ୟବ୍ରତ ସିଂ, ସନ୍ତୋଷ ଜେନା, ଦିଲିପ ସାହୁ ପ୍ରମୁଖ ସହଯୋଗ କରିଥିଲେ ।


