ରାଜ୍ୟ ଏ.ଏନ୍.ଏମ୍ ସଂଘର ପୁନଃଗଠନ ଏବଂ କୋଭିଡ୍-୧୯ ନିଯୁକ୍ତି ଉଚ୍ଛେଦ ସମ୍ପର୍କରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆଜି ଭୁବନେଶ୍ୱରଠାରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଗଠନର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ରାଜ୍ୟସଭାପତି ପାର୍ଥସାରଥୀ ଜେନାଙ୍କ ବହିଷ୍କାର ପରେ ରାଜ୍ୟ କମିଟିକୁ ଭଙ୍ଗ କରାଯାଇଥିଲା ଏବଂ କୋଭିଡ୍-୧୯ କଟକଣା ଯୋଗୁ ବିଷ୍ଣୁପ୍ରିୟ ଖଣ୍ଡେଇସିଂଙ୍କୁ ଅସ୍ଥାୟୀ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଜିର ବୈଠକରେ ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡେଇସଂଙ୍କୁ ପୂର୍ଣ୍ଣକାଳୀନ ସଭାନେତ୍ରୀ ଦାୟିତ୍ୱ ଅର୍ପଣ କରାଗଲା ଏବଂ ଏକ ୧୫ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରାଗଲା । ଏହି ପରିପ୍ରେକ୍ଷୀରେ ଏଏନ୍ଏମ୍ମାନଙ୍କର ବିଭିନ୍ନ ସମସ୍ୟା ଏବଂ ନିଯୁକ୍ତି ସମ୍ପର୍କିତ ସରକାରୀ କାର୍ଯ୍ୟନ୍ୱୟନ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । କୋଭିଡ୍-୧୯ରେ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟାନ୍ତର ନକରି ସ୍ଥାୟୀ ନିଯୁକ୍ତି କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରକାରଙ୍କ ପକ୍ଷପାତିତା ନିଷ୍ପତ୍ତି ବିରୁଦ୍ଧରେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ଏବଂ ସ୍ଥାୟୀ ନିଯୁକ୍ତି ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ରାଜ୍ୟର ସମସ୍ତ ବିଧାୟକମାନଙ୍କୁ ଭେଟି ଆଲୋଚନା କରାଯିବ ଏବଂ ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଆବଶ୍ୟକସ୍ଥଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭାଗୀୟ ମନ୍ତ୍ରୀ, ଉପମୁଖ୍ୟ ଶାସନ ସଚିବ ଏବଂ ନିର୍ଦ୍ଦେଶକମାନଙ୍କୁ ମଧ୍ୟ ଭେଟି ସ୍ଥାୟୀ ନିଯୁକ୍ତି ପାଇଁ ଆଲୋଚନା ସହିତ ଦାବୀପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ କୋଭିଡ୍ କଟକଣା ହେତୁ ୧୫ଗୋଟି ଜିଲ୍ଳାରୁ ପ୍ରତିନିଧି ଯୋଗ ଦେଇଥିଲେ । ଆଗାମୀ ବୈଠକରେ ଅନ୍ୟ ୧୫କୋଟି ଜିଲ୍ଲାର ପ୍ରତିନିଧି ଯୋଗ ଦେବାର ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆନ୍ଦୋନ କରାଯିବ ।


