ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି, ଉଜୁଡୁଛି ଚାଷ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବ୍ଲକ ଅଞ୍ଚଲରେ ଚାଷ ଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପାଖରେ ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେହେଁ ସେଥିପ୍ରତି ପ୍ରଶାସନର ନିଘା ନାହିଁ । କେନ୍ଦ୍ରାପଡା ବ୍ଲକର ମାଲୁଆ ଠାରେ ଗୋବରୀ ନଦୀ ଉପରେ ନିର୍ମାଣାଧିନ ସେତୁ ଯୋଗୁଁ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ଡିଭିଜନର ବେପରବାୟ ହେତୁ ହଜାର ହଜାର ହେକ୍ଟର ଚାଷଜମିରୁ ଜଳ ନିଷ୍କାସନ ହୋଇପାରୁନଥିବାରୁ ଧାନଗଛ ପଚିଯିବା ଆଶଙ୍କାରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ପ୍ରାୟ ବର୍ଷେହେବ ଗୋବରୀ ନଦୀ ଉପରେ ମାଲୁଆ ଠାରେ ଗ୍ରାମ୍ୟ ଉନ୍ନୟନ ଡିଭିଜନ ପକ୍ଷରୁ ଏକ ପୋଲ ନିର୍ମାଣ ଆରମ୍ଭ ହୋଇଛି । ପୋଲ ନିମନ୍ତେ ପିଲାର ନିର୍ମାଣ ପାଇଁ ଗାତ ଖୋଳାଯାଇଥିବାରୁ ମାଟି ସବୁ ଗୋବରୀ ନଦୀ କୂଳରେ ଗଦା ହୋଇ ରହିଛି । ଫଳରେ ଚାଷଜମିରୁ ଉଦବୃତ୍ତ ଜଳ ନିଷ୍କାସନ ହୋଇପାରୁନାହିଁ । ଧାନଗଛ ଗୁଡିକ ବର୍ଷା ପାଣିରେ ବୁଡି ରହି ପଚିଯିବା ଆରମ୍ଭ ହୋଇଥିବାରୁ ଶହ ଶହ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେହି ଅଞ୍ଚଳରେ ୯୦ପ୍ରତିଶତ ପରିବାର ଭାଗଚାଷୀ ଓ କ୍ଷୁଦ୍ରଚାଷୀ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି । ଶୁକ୍ରବାର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ ଗୋବରୀ ନଦୀ କୂଳ ଓ ନଦୀ ମଧ୍ୟରୁ ମାଟି କାଢି ଜଳ ନିଷ୍କାସନ ପଥ ସୁଗମ କରିବା ପାଇଁ ଦାବି କରିଛନ୍ତି । ସଂପୃକ୍ତ ଠିକଦାରଙ୍କ ମନମାନୀ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦିପ କୁମାର ଦାଶ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ସଂଯୋଜକ ଭାଗିରଥୀ ଜେନା, ହେମନ୍ତ ପ୍ରଧାନ, କାହ୍ନୁ ଚରଣ ବାରିକ, ମଧୁସୁଦନ ବିଶ୍ୱାଳ, ଉଦ୍ଧବ ସାହୁ, ସୁନାକର ପ୍ରଧାନ, ପ୍ରତାପ ଦାସ, ଆଲୋକ ପରିଡା, ଅକ୍ଷୟ କୁମାର ଦାସ, ପ୍ରତାପ ବିଶ୍ୱାଳ ପ୍ରମୁଖ ଚାଷୀମାନେ ଏସମ୍ପର୍କରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।


