ରାଜ୍ୟ ସରକାରଙ୍କ ତାଳିପକା ନୀତିକୁ ଦୃଢ଼ ବିରୋଧ : ଓଡିଶା କ୍ୟାଡର ଡାକ୍ତର ନୀତି କୁ କାର୍ଯ୍ୟକାରୀ କର
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) :-ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ରେ ଡାକ୍ତର ଅଭାବର ଚରମ ପରିଣାମ ସ୍ୱରୂପ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ଭୋଗୁ ଥିବା ବେଳେ ରାଜ୍ୟ ସରକାର ଡାକ୍ତର ଅଭାବକୁ ଏଡେଇବା ପାଇଁ ଏକ ପ୍ରକାର ହାସ୍ୟାସ୍ପଦ ତାଳିପକା ନୀତି ଅବଲମ୍ବନ କରିଛନ୍ତି l ଗତକାଲି ଅର୍ଥାତ 31.5.2022 ରିଖ ରେ ଏକ ବିଜ୍ଞପ୍ତି ମାଧ୍ୟମରେ ଗତ 2018ଓ 2019ରେ ପିଜି ପାସ କରିଥିବା ଛାତ୍ର ଛାତ୍ରୀଙ୍କୁ ଏମକେସିଜି ମେଡିକାଲ ରେ ଆସନ୍ତା ତା 30.6.2023ରିଖ ପର୍ଯ୍ୟନ୍ତ ଡାକ୍ତର ପଦବୀରେ ନିଯୁକ୍ତି କରାଯାଉଛି ବୋଲି ପ୍ରକାଶ କରାଯାଇଛି l ଏହି ଯେଉଁ ଏକ ବର୍ଷିଆ ଠିକା ଡାକ୍ତରଙ୍କୁ ନିଯୁକ୍ତ କରି ଡାକ୍ତର ଅଭାବ ସଙ୍କଟରୁ ରୋଗୀ ଙ୍କ ଚିକିତ୍ସାଗତ ଅବହେଳାକୁ ଏଡେଇଦେବା ର ହୀନ ପ୍ରୟାସକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ବିରୋଧ କରିଛି l ସୂଚନା ଯୋଗ୍ୟ ଯେ, ଏହି ଡାକ୍ତର ଅଭାବ ସଙ୍କଟ କୁ ରାଜ୍ୟ ସରକାର ନିଜେ ସୃଷ୍ଟି କରିଛନ୍ତି ଓ ବିନା ଡାକ୍ତର ନିଯୁକ୍ତି ରେ ନୂତନ ମେଡିକାଲ କଲେଜ ଖୋଲିବପାଇଁ ଚେଷ୍ଟା କରିଛନ୍ତି l କେବଳ ଉଚ୍ଚ ଉଚ୍ଚ କୋଠା ନିର୍ମାଣ କରି ଅନ୍ୟ ମେଡିକାଲରୁ ଡାକ୍ତର ମାନଙ୍କୁ ଆଣି ସାମାନ୍ୟ ଯୋଗ୍ୟତା ସମ୍ପନ୍ନ(Eligibility criteria ) ଭାବେ ଦେଖାଇ କଲେଜ ଖୋଲିବା ନୀତି ସ୍ପଷ୍ଟ ଭାବେ ଏକ ତlଳିପକା ନୀତି, ଏହାଦ୍ୱାରା ଡାକ୍ତର ଅଭାବ ପୂରଣ ପରିବର୍ତ୍ତେ ଉତ୍କଟ ଡାକ୍ତର ସଙ୍କଟ ଦେଖାଯିବ l ଅନ୍ୟ ପକ୍ଷରେ ବହୁ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଡାକ୍ତରମାନଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରି ପିଜି ପାସ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଠିକା ଡାକ୍ତର ଭାବେ ନିୟୋଜିତ କରି ରୋଗୀ ଚିକିତ୍ସାକୁ ସରକାର ନିଜେ ଗୁରୁତରଭାବେ ଅବହେଳା କରୁଛନ୍ତି l ଏକ ବର୍ଷିଆ ଠିକା ଡାକ୍ତର ନିଯୁକ୍ତି ଦେଇ ରାଜ୍ୟ ସରକାର ସେବା ମୂଳକ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥାକୁ ଧ୍ବଂସ କରି ସ୍ୱାସ୍ଥ୍ୟ ସେବାକୁ ବ୍ୟବସାୟିକରଣ କରିବାକୁ ଘୃଣ୍ୟ ଷଡଯନ୍ତ୍ର କରିଛନ୍ତି, ଏଥିଦ୍ୱାରା ଜରୁରୀ ଗୁରୁତର ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ଆଉ ରୋଗୀ ଙ୍କ ବିଶ୍ୱାସ ଭାଜନ ହେବ ନାହିଁ ଓ ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀ ଯିବାକୁ ବାଧ୍ୟ ହେବ ବା ଅକାଳ ମୃତ୍ୟୁ ର ଶିକାର ହେବ l ଏଣୁ ଏ ପ୍ରକାର ତlଳିପକା ନୀତି ଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପରିବର୍ତ୍ତେ ଅଧିକ କ୍ଷତି କରିବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ମତବ୍ୟକ୍ତ କରିଛନ୍ତି l ଏହା ବଦଳରେ ଡାକ୍ତର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡିଶା କ୍ୟାଡର ଡାକ୍ତର ନିଯୁକ୍ତି ନୀତି ଅବଲମ୍ବନ କରାଯାଉ l ରାଜସ୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ ବଦଳରେ ଏଠାରୁ ପାସ ହେଉଥିବା ଡାକ୍ତରୀ ଛାତ୍ର ଛାତ୍ରୀଙ୍କୁ ଓଡିଶାରେ ହିଁ ବିଭିନ୍ନ ସରକାରୀ ହସ୍ପିଟାଲରେ ସେବା କରିବା ପାଇଁ ନିୟମ କରାଯାଉ ବୋଲି ଅବନୀ ଗୟା ଦାବି କରିଛନ୍ତି l


