ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ଜୁନ, ୨୦୨୨ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ, ଜୁନ, ୨୯, ୨୦୨୨, ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ, ଜୁନ ୩୦, ୨୦୨୨, ପ୍ରାର୍ଥିପତ୍ର ଯାଞ୍ଚ ତାରିଖ, ଜୁଲାଇ ୨, ୨୦୨୨, ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ, ଜୁଲାଇ ୧୮, ଆବଶ୍ୟକ ହେଲେ ଏହି ତାରିଖରେ ନିର୍ବାଚନ ହେବ । ଏଥିପୂର୍ବରୁ ୧୩ ଜୁନ, ୨୦୨୨ରେ ପ୍ରକାଶ ପାଇଥିବା ଆଉ ଏକ ବିଜ୍ଞପ୍ତିରେ ନିର୍ବାଚନ ଆୟୋଗ ରାଜ୍ୟସଭା ମହାସଚିବ ପି. ସି. ମୋଦୀଙ୍କୁ ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଥିଲେ । ସେହିପରି ରାଜ୍ୟ ସଭା ସଚିବାଳୟର ସ୍ବତନ୍ତ୍ର ପ୍ରଭାରୀ ଅଧିକାରୀ (ଓଏସଡି) ଭାବେ ମୁକୁଲ ପାଣ୍ଡେ ଏବଂ ଯୁଗ୍ମ ସଚିବ ତଥା ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ ସୁରେନ୍ଦ୍ର କୁମାର ତ୍ରିପାଠୀଙ୍କୁ ସହାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଥିଲା। ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ନିୟମାବଳୀ, ୧୯୭୪ର ନିୟମ ୩ ଅଧୀନରେ ରହିଥିବା ଆବଶ୍ୟକତା ଅନୁଯାୟୀ ନିର୍ବାଚନ ଅଧିକାରୀ ୧୫, ଜୁନ ୨୦୨୨ ଏକ ସର୍ବସାଧାରଣ ନୋଟିସ ଜାରି କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ପ୍ରାର୍ଥୀ କିମ୍ବା ତାଙ୍କର ପ୍ରସ୍ତାବକ ଅଥବା ଅନୁମୋଦନକାରୀ ତାଙ୍କର ପ୍ରାର୍ଥିପତ୍ରକୁ ନିମ୍ନ ସ୍ବାକ୍ଷରକାରୀଙ୍କୁ ତାଙ୍କର କାର୍ଯ୍ୟାଳୟ କୋଠରୀ ସଂଖ୍ୟା ୨୯, ତଳ ମହଲା, ସଂସଦ ଭବନ, ନୂଆଦିଲ୍ଲୀ ଠାରେ ଦାଖଲ କରିପାରିବେ । ଅନ୍ୟଥା କୌଣସି ଅପରିହାର୍ଯ୍ୟ କାରଣବଶତଃ ନିମ୍ନ ସ୍ବାକ୍ଷରକାରୀଙ୍କ ଅନୁପସ୍ଥିତି କ୍ଷେତ୍ରରେ ସହାୟକ ନିର୍ବାଚନ ଅଧିକାରୀ ଭାବେ ନିୟୋଜିତ ସ୍ବତନ୍ତ୍ର ପ୍ରଭାରୀ ଅଧିକାରୀ (ଓଏସଡି) ମୁକୁଲ ପାଣ୍ଡେ ଏବଂ ରାଜ୍ୟ ସଭା ସଚିବାଳୟର ଯୁଗ୍ମ ସଚିବ ଏବଂ ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ ସୁରେନ୍ଦ୍ର କୁମାର ତ୍ରିପାଠୀଙ୍କୁ ଉକ୍ତ କାର୍ଯ୍ୟାଳୟରେ ୨୯ ଜୁନ, ୨୦୨୨ ସୁଦ୍ଧା ଯେକୌଣସି ଦିନ (ସରକାରୀ ଛୁଟିକୁ ଛାଡ଼ି) ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଦାଖଲ କରିପାରିବେ । ପ୍ରତ୍ୟେକ ପ୍ରାର୍ଥିପତ୍ର ସହିତ ସେହି ସଂସଦୀୟ କ୍ଷେତ୍ରର ମତଦାତା ତାଲିକାରେ ଆବେଦନକାରୀଙ୍କ ସମ୍ବନ୍ଧୀୟ ପ୍ରବିଷ୍ଟୀ (ଏଣ୍ଟ୍ରି)ର ଏକ ପ୍ରାମାଣିକ କପି ସଂଲଗ୍ନ ହେବା ଉଚିତ୍‌ ଯେଉଁ କ୍ଷେତ୍ରରେ ନିର୍ବାଚକ (ଇଲେକ୍ଟୋର) ଭାବେ ପଞ୍ଜିକୃତ ହୋଇଛନ୍ତି । ପ୍ରତ୍ୟେକ ପ୍ରାର୍ଥୀ ମାତ୍ର ୧୫ ହଜାର ଟଙ୍କାର ଅର୍ଥରାଶି ଜମା କରିବେ କିମ୍ବା ଜମା କରାଇବେ । ଏହି ଅର୍ଥରାଶି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିର୍ବାଚନ ଅଧିକାରୀଙ୍କ ପାଖରେ ନଗଦ ଆକାରରେ ଜମା କରାଯାଇ ପାରିବ; ଅଥବା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ସରକାରୀ ରାଜକୋଷ (ଟ୍ରେଜେରୀ)ରେ ଜମା କରାଯାଇ ପାରିବ, ଏହି କ୍ଷେତ୍ରରେ କଥିତ ଜମା ରାଶିର ରସିଦ ନାମାଙ୍କନ ପତ୍ର ସହ ସଂଲଗ୍ନ କରିବା ଜରୁରି ଅଟେ । ପ୍ରାର୍ଥିପତ୍ର ଦାଖଲ ଫର୍ମ କାର୍ଯ୍ୟାଳୟରୁ ନିର୍ଦ୍ଧାରିତ ସମୟରେ ମିଳିପାରିବ, ଆଇନର ଧାରା ୫ ବିର ଉପଧାରା (୪) ଅଧୀନରେ ରଦ୍ଦ କରାଯାଇଥିବା ପ୍ରାର୍ଥିପତ୍ର ବ୍ୟତୀତ ଅନ୍ୟ ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ ପାଇଁ ୩୦ ଜୁନ, ୨୦୨୨ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ କୋଠରୀ ସଂଖ୍ୟା-୬୨, ପ୍ରଥମ ମହଲା, ସଂସଦ ଭବନ, ନୂଆଦିଲ୍ଲୀକୁ ନିଆଯିବ, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୂଚନା ନିଜେ ପ୍ରାର୍ଥୀ କିମ୍ବା ତାଙ୍କର କୌଣସି ପ୍ରସ୍ତାବକ କିମ୍ବା ଅନୁମୋଦନକାରୀଙ୍କ ଦ୍ବାରା ନିମ୍ନ ସ୍ବାକ୍ଷରକାରୀଙ୍କୁ ପାରାଗ୍ରାଫ (i)ରେ ନିର୍ଦ୍ଦିଷ୍ଟ ସ୍ଥାନରେ ୨ ଜୁଲାଇ ୨୦୨୨ ଅପରାହ୍ଣ ୩ଟା ପୂର୍ବରୁ ଦିଆଯାଇପାରିବ । ତେବେ ଯେଉଁ ପ୍ରସ୍ତାବକ ଏବଂ ଅନୁମୋଦନକାରୀ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୂଚନା ଦେବେ ସେମାନେ ପୂର୍ବରୁ ଲିଖିତ ଭାବେ ଅଧିକାର ପ୍ରାପ୍ତ ହୋଇଥିବା ଆବଶ୍ୟକ । ମତଦାନ ହେବାର ସ୍ଥିତିରେ ସୋମବାର ୧୮ ଜୁଲାଇ, ୨୦୨୨ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିୟମ ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରେ ମତଦାନ ଅନୁଷ୍ଠିତ ହେବ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଗେଜେଟରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଏବଂ ସର୍ବସାଧାରଣ ନୋଟିସକୁ ପ୍ରକାଶିତ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପ୍ରକ୍ରିୟା ସଂକ୍ରାନ୍ତରେ କୌଣସି ପ୍ରକାରର ପ୍ରଶ୍ନ ପଚାରିବା ଲାଗି ପି.ସି. ମୋଦୀ, ରାଷ୍ଟ୍ରପତି ନିର୍ବାଚନ, ୨୦୨୨ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ତଥା ରାଜ୍ୟସଭା ମହାସଚିବଙ୍କୁ ତାଙ୍କର କାର୍ଯ୍ୟାଳୟ (କୋଠରୀ ସଂଖ୍ୟା ୨୯, ତଳ ମହଲା, ସଂସଦ ଭବନ, ନୂଆଦିଲ୍ଲୀ)ରେ ସବୁ କାର୍ଯ୍ୟ ଦିବସ ମାନଙ୍କରେ (ସରକାରୀ ଛୁଟିକୁ ଛାଡ଼ି) ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟ ପଚରା ଯାଇପାରିବ । ଶନିବାର ସମେତ ନାମାଙ୍କନ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ଅବଧି ମଧ୍ୟରେ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ