ରାସ୍ତା ଥାଇ ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ବରାହନୂଆପଡା ବାସୀ
ବାରିକପୁର,(ୱାଇଏନ୍ଏସ୍): ଭଦ୍ରକ ଜିଲ୍ଲାର ଶେଷ ସୀମାରେ ଅବସ୍ଥିତ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଏକ ବନ୍ୟାପ୍ରବଣ ଅଞ୍ଚଳ ଭାବେ ପରିଚିତ । ଯାତାୟତ ଜନିତ ସମସ୍ୟାରେ ଉକ୍ତ ପଞ୍ଚାୟତ ସଦାସର୍ବଦା ରହିଥିବାବେଳେ ବିଗତ ୧୦ବର୍ଷ ମଧ୍ୟରେ କିଛିମାତ୍ରାରେ ଲୋକମାନଙ୍କ ଯାତାୟତ ସୁବିଧା ପୂରଣ ହୋଇ ପାରିଛି । ପରିତାପର ବିଷୟ ଯାତାୟତ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସୁଦ୍ଧା ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଗ୍ରାମବାସୀ ମାନେ ଏବେ ବି ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛନ୍ତି । ରାସ୍ତା ନଥିଲା, ଲୋକେ ଯେଉଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ନୂତନ ରାସ୍ତା ନିର୍ମାଣ ପରେ ମଧ୍ୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ବରାହନୂଆପଡା ଠାରେ । ପଞ୍ଚାୟତର ବରାହନୂଆପଡା ଗାଁଟି ଚାରିଗୋଟି ୱାର୍ଡରେ ବିଭକ୍ତ ହୋଇଥିବାବେଳେ ଲୋକ ସଂଖ୍ୟା ପ୍ରାୟ ଦେଢ ହଜାରରୁ ଅଧିକ ହେବ । ପୂର୍ବରୁ ଗ୍ରାମବାସୀମାନେ ପାଳକିଆରି ପାଦଚଲା ରାସ୍ତାରେ ଯାତାୟତ କରୁଥିବାବେଳେ ୨୦୧୪-୧୫ରେ ଗାଁ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆସିଥିଲା । ପ୍ରାୟ ୨କୋଟି ଟଙ୍କା ବ୍ୟୟ ହୋଇ ଗାଁକୁ ପକ୍କା ଓ ପିଚ ରାସ୍ତା ନିର୍ମାଣ ହୋଇଥିଲେ ସୁଦ୍ଧା ନିକଟରେ ଥିବା ଖୋଳା ନଈ ଉପରେ ପୋଲଟିଏ ନଥିବାରୁ ଏବେ ବି ଗ୍ରାମବାସୀ ସେହି ପାଳ ରାସ୍ତାରେ ଯାତାୟତ କରୁଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଟି୨ବାହାଣିଆ ଛକ ଠାରୁ ବରାହନୂଆପଡା ଗାଁକୁ ରାସ୍ତା ନିର୍ମାଣ ହୋଇଥିଲା । ରାସ୍ତା ନିର୍ମାଣର ଆରମ୍ଭରୁ ୧୦୦ମିଟର ପରେ ଖୋଳାନାଳ ଥିଲେ ସୁଦ୍ଧା ଏହା ଉପରେ ପୋଲଟିଏ ନିର୍ମାଣ ପାଇଁ ସେତେବେଳେ କୌଣସି ଏସ୍ଟିିମେଣ୍ଟ କିମ୍ବା ବ୍ୟୟ ବରାଦ ହୋଇପାରିନଥିଲା । ଆରମ୍ଭରୁ ୧୦୦ରୁ ୨୦୦ମିଟର ଓ ଗାଁ ପଟରୁ ବାକି ୨୮ଶହ ମିଟର ରାସ୍ତା ନିର୍ମାଣ ହୋଇଥିବାବେଳେ ଖୋଳାନାଳ ନିକଟରେ କିଛି ସ୍ଥାନ ପୋଲ ନିର୍ମାଣ ଲକ୍ଷ୍ୟ ରଖି ଛଡାଯାଇଛି । ଖରା ଆଠମାସ ଗ୍ରାମବାସୀଙ୍କ ଯେନେତେନ ଉପାୟରେ ଯାତାୟତ କରୁଥିବାବେଳେ ବର୍ଷା ଚାରିମାସ ଦୁଃଖ କହିଲେ ନସରେ । ପାଦ ଚଲା ସଂକୀର୍ଣ୍ଣ ପାଳରାସ୍ତା ଦେଇ ଲୋକେ ଯାତାୟତ କରୁଥିବାବେଳେ ଗାଁକୁ ୧୦୮,୧୦୨,ଦମକଳ କିମ୍ବା ଅନ୍ୟାନ୍ୟ ଜରୁରୀ ଗାଡି ଯିବା କଷ୍ଟକର ହୋଇପଡୁଛି । ରାସ୍ତା ନିର୍ମାଣ ଆରମ୍ଭବେଳେ ଲୋକମାନେ ଯେଉଁ ପରିମାଣରେ ଖୁସି ହୋଇଥିଲେ ପରବର୍ତ୍ତୀ ସମୟରେ ପୋଲଟିଏ ନିର୍ମାଣ ନହେବାରୁ ଦୁଃଖ ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି । ଏବାବଦରେ ସ୍ଥାନୀୟ ବିଧାୟକ, ସାଂସଦ ଓ ବିଭାଗ ଅଧିକାରୀଙ୍କୁ ଲୋକେ ଅବଗତ କରିଥିଲେ ସୁଦ୍ଧା ପୋଲ ନିର୍ମାଣ ଦିଗରେ ସେମିତି ବ୍ୟବସ୍ଥା ଗତ ଭାବେ ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ହେଲା ଖୋଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ୨ରୁ୩ଥର ଉପରକୁ ପ୍ରସ୍ତାବ ଯାଇଛି । ପ୍ରାସ୍ଥାବ ଅନୁଯାୟୀ ଅର୍ଥ ଆସିଲେ ନିଶ୍ଚିତ ପୋଲ ନିର୍ମାଣ ହେବ । ଲୋକମାନଙ୍କ ଯାତାୟତ ସୁବିଧା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ହୋଇଥିବାବେଳେ ରକ୍ଷଣାବେକ୍ଷଣ ବାବଦୀୟ ଅର୍ଥ ମଧ୍ୟ ଖର୍ଚ୍ଚ ହେବାକୁ ବସିଲାଣି । ହେଲେ ବ୍ୟବସ୍ଥାଗତ ଭାବରେ ସାମାନ୍ୟ ଭୁଲ ଯୋଗୁ ପୋଲଟିଏ ନଥିବାରୁ ନିର୍ମାଣଧିନ ରାସ୍ତା ଲୋକଙ୍କ କାମରେ ଆସିପାରୁନାହିଁ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
(ଫଟୋ-ରାସ୍ତା)


