କୀଡିନ ରୋଗୀଙ୍କୁ ବାସଗୃହ ଯୋଗାଇବାକୁ ଦାବି
ବାରିକପୁର,(ୱାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପିରିପୁର ଗ୍ରାମର ରାମଚନ୍ଦ୍ର ସାମଲ ଆଜକୁ ଅନେକ ବର୍ଷ ହେବ କିଡନୀରୋଗରେ ପୀଡିତ । ଏହା ସହିତ ସ୍ୱୀକୃତି ପ୍ରାପ୍ତ ୪୫ଭାଗ ଭିନ୍ନକ୍ଷମ ମଧ୍ୟ ଅଟନ୍ତି । ବୟସ ୭୦ଅତିକ୍ରାନ୍ତ କରିଥିବାବେଳେ ଜୀବନର ଅପରାହ୍ନରେ କୀଡିନୀ ରୋଗ ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏକମାତ୍ର ପୁଅ ଦିନମଜୁରିଆ ଭାବେ ରୋଜଗାର କରି ଯେତିକି ଆଣେ ସେଥିରେ ପରିବାର ପ୍ରତିପୋଷଣ ପରେ ବଳକା ଅର୍ଥରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବାପା ରାମଚନ୍ଦ୍ରଙ୍କୁ ଓøଷଧ ଯୋଗାଇଥାଏ । ରାମଚନ୍ଦ୍ରଙ୍କ ପତ୍ନୀ ମଧ୍ୟ ପକ୍ଷାଘାତରେ ଆକ୍ରାନ୍ତ । ଏପରି ସ୍ଥିତିରେ ନଡାଛପର ଝାଟିମାଟି ଘରେ ରାମଚନ୍ଦ୍ର ତାଙ୍କ ପତ୍ନୀ,ପୁଅ, ବୋହୂ, ନାତି, ନାତୁଣୀ ଛଅପ୍ରାଣୀ କୁଟୁମ୍ବ ବସବାସ କରୁଛନ୍ତି । ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ରାମଚନ୍ଦ୍ରଙ୍କ ପୁଅ ପକ୍କାଘର କରିବା ଅସମ୍ଭବ ହୋଇପଡିଛି । ଏଣୁ ସରକାରଙ୍କ ଯୋଜନାରେ ରାମଚନ୍ଦ୍ରଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇ ବିଭିନ୍ନ ସମୟରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏଁ ଦୃଷ୍ଟି ଆକର୍ଷଣ କରାଯାଇଛି । ସରକାରୀ ନୀତି ନିୟମ ହେଉ କିମ୍ବା ନିର୍ବାଚିତ ପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବ ହେଉ । ଯେଉଁଥି ପାଇଁ ରାମଚନ୍ଦ୍ରଙ୍କ ପରିବାରକୁ ବାସଗୃହଟିଏ ଯୋଗାଯାଇ ପାରିନାହିଁ । ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।


