ଲୁଟ୍ ମାମଲା ର ଅଭିଯୁକ୍ତ ଧରିଲା ଛତ୍ରପୁର ପୋଲିସ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ପୁଲିସ ପକ୍ଷରୁ ଥାନା ଅଂଚଳରେ ଏକ ଲୁଟ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଧରି ଘଟଣାର ପର୍ଦ୍ଦାଫାସ କରାଯାଇଛି । ଥାନା ଅନ୍ତର୍ଗତ ପୋଟାଲାମପୁର ଗ୍ରାମର ଜଣେ ବରିଷ୍ଠ ନାଗରିକ ବାଂଛା ପରିଡାଙ୍କ ଘରୁ ଏକ ଲକ୍ଷ ୧୩ ହଜାର ଟଙ୍କା ଲୁଟ୍ ଘଟଣାରେ ଛତ୍ରପୁର ପୁଲିସ ସରଭିଁପୁର ଗ୍ରାମର ଅକ୍ଷୟ କୁମାର ଦାସ(୧୯) ଜଣେ ଯୁବକକୁ ଗିରଫ କରିଛି । ପୁଲିସ ଅକ୍ଷୟ ଠାରୁ ନଗଦ ୬୦ ହଜାର ଟଙ୍କା ଏବଂ ୨୧ ହଜାର ଟଙ୍କାର ଏକ ନୂଆ ମୋବାଇଲ ଜବତ କରିଛି । ଗତ ୫ ତାରିଖରେ ବରିଷ୍ଠ ନାଗାରିକ ବାଂଛାଙ୍କ ଏତଲା କ୍ରମେ ୩୫୮/୨୦ ନମ୍ବର ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯିବ ବୋଲି ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି । ସୂଚାନୁସାରେ, କୋଇଲା ଖଣିରେ କାମ କରୁଥିବା ବାଂଛା ଅବସର ନେବା ପରେ ପୁଅ ବାହାଘର ପାଇଁ ଘରେ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ରଖିଥିଲେ । ବାହାଘର ପାଇଁ ଘରର ଚୂନ ପକାଇବା କାମ ମଧ୍ୟ ଚାଲିଥିଲା । ଏହା ଭିତରେ ଅକ୍ଷୟ ସୁଯୋଗ ପାଇ ବାଂଛା ରଖିଥିବା ସାଢେ ୩ ଲକ୍ଷ ଟଙ୍କାରୁ ୧ ଲକ୍ଷ ୧୩ ହଜାର ଚୋରି କରି ନେଇଥିଲା । ଯେତେବେଳେ ବାଂଛା ଡ୍ର’ରେ ସମସ୍ତ ଟଙ୍କା ନଥିବା ଜାଣିବା ପରେ ବହୁ ଖୋଜାଖୋଜି କରି ଶେଷରେ ଛତ୍ରପୁର ଥାନାରେ ଗତ ୫ ତାରିଖରେ ଏକ ଅଭିଯୋଗ ଦାଖଲ କରିଥିଲେ ।


