ଶାଳଣିଆଁ ବଜାରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଶାଳଣିଆଁ ବଜାର ରେ ଗତ କିଛିଦିନ ହେଲା ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟିବା ସହିତ ଅରାଜକତା ସୃଷ୍ଟି ହେଉଥିଲା। ଏପରିକି ସନ୍ଧ୍ୟା ହେଲେ ବ୍ୟବସାୟୀ ମାନେ ଦୋକାନ ବଜାର ବନ୍ଦ କରି ଘରକୁ ପଳାଉଥିଲେ। ସାଧାରଣ ଲୋକମାନେ ବଜାରକୁ ଆସିବାକୁ ଭୟ କରୁଥିଲେ। ଏଇ କିଛିଦିନ ଭିତରେ ଅନେକ ଆହତ ହେବା ସହିତ ଥାନାରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି। ଦିନକୁ ଦିନ ଶାଳଣିଆ ବଜାର ଅଶାନ୍ତ ହେଉ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନନ୍ଦିପଦା ଥାନା ପୁଲିସ ଏକ ଶାନ୍ତି କମିଟି କରି ଶୃଙ୍ଖଳା ରକ୍ଷା କରିବାକୁ ଉଦ୍ୟମ କରିଥିଲା। ଏଥିପାଇଁ ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଆନନ୍ଦପୁର ଏସ.ଡି.ପି.ଓ ଅନିଲ କୁମାର ବେଉରିଆ, ନନ୍ଦିପଦା ଥାନା ଆଇ.ଆଇ.ସି ଗଗନ ବିହାରୀ ବିଶ୍ୱାଳ, ଏସ. ଆଇ. ନରୋତ୍ତମ ଦଳେଇ, ସୁଧାଂଶୁ ଦକ୍ଷିଣରାୟ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ବଜାର କମିଟି କାର୍ଯ୍ୟକ୍ଷମ ହେଉ ନଥିବାରୁ ବିବାଦୀୟ ପରିସ୍ଥିତି କୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି ବୋଲି ଆଲୋଚନା ହୋଇଥିଲା। ସେଥିପାଇଁ ପୁରୁଣା କମିଟିକୁ କାର୍ଯ୍ୟକାରୀ କରିବା ସହିତ ବଜାରରେ ଶାନ୍ତି, ଶୃଙ୍ଖଳା ରକ୍ଷା କରି ଭାଇଚାରା ସୃଷ୍ଟି କରିବାକୁ ଅଧିକାରୀ ମାନେ ଆହ୍ୱାନ ଦେଇଥିଲେ। ପୁଲିସ ପ୍ରଶାସନ ମଧ୍ୟ ସବୁବେଳେ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ପଙ୍କଜ କୁମାର ନାୟକ, ମକରଧ୍ଵଜ ପେଡା, ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ବାଳ, ଅନାଥ ନାୟକ, କାଳନ୍ଦୀ ସାହୁ, ସୁରେନ୍ଦ୍ର ବେହେରା, ମାନସ ବେହେରା, ଅଶୋକ ବେହେରା, ବିଦ୍ୟାଧର ବେହେରା, ମହେଶ୍ୱର ସାହୁ, ଅମରବର ସେଠୀ, ବ୍ରହ୍ମାନନ୍ଦ ଜେନା, ବୈଲୋଚନ ରାଉତ, ପଞ୍ଚାନନ ଖଣ୍ଡେଇ, ଭାସ୍କର କର, କାଳନ୍ଦୀ ସା, ଅଭି ବେହେରା, ରବୀନ୍ଦ୍ର ଜେନା, ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


