ଶ୍ରୀମନ୍ଦିର ଚାରିଦ୍ୱାର ଦର୍ଶନାଥୀଙ୍କ ପାଇଁ ଖୋଲାଯାଉ : ଡଃ ଜ୍ଞାନେନ୍ଦ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗତକାଲି ଶ୍ରୀ ଜଗନ୍ନାଥଙ୍କ ଦର୍ଶନାଥୀମାନଙ୍କ ପ୍ରଚଣ୍ଡ ଖରାରେ ଦୟନୀୟ ଅବସ୍ଥା ବିଷୟରେ ଗଣମାଧ୍ୟମରୁ ଜାଣିବା ପରେ ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଶୃଙ୍ଖଳିତ ଦର୍ଶନ ନାମରେ ସରାକରୀ ବାବୁମାନଙ୍କ ଅତ୍ୟାଚାର ପୁରୀ ଶ୍ରୀମନ୍ଦିରରେ ତୁରନ୍ତ ବନ୍ଦ ହେଉ ଓ ଶ୍ରୀମନ୍ଦିରର ଚାରିଦ୍ୱାରକୁ ଦର୍ଶନାଥୀଙ୍କ ପାଇଁ ତୁରନ୍ତ ଖୋଲାଯାଉ । ହଜାର ହଜାର ବର୍ଷ ତଳେ ଯେଉଁ ମହାମାନବ ମାନେ ଚାରିଦ୍ୱାରର ପରିକଳ୍ପନା କରିଥିଲେ, ସେମାନଙ୍କର କଣ ଦୂରଦୃଷ୍ଟି ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି? ପୁରୀ ଜିଲ୍ଲାପାଳ ନିଜେ ସଦର ମହକୁମାରେ ଉପସ୍ଥିତ ଥାଇ ମଧ୍ୟ ଏଭଳି ଅବସ୍ଥା ସୃଷ୍ଟି ହେଲା । କେହି ଜଣେ ସରକାରୀ ବାବୁ ଆହା କହିବାକୁ ଆସିଲେ ନାହିଁ, ପାଣି ଟିକେ ଦେବା ଦୂରର କଥା । ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଯୋଗୁଁ କୌଣସି ପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଜଗନ୍ନାଥଙ୍କ ଭକ୍ତ ବୋଲି ଦେଖାଇ ହେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଶ୍ରୀ ଜ୍ଞାନେନ୍ଦ୍ର ଦୃଢ ଦାବି କରିଛନ୍ତି ।


