ଶ୍ରୀ ଅନନ୍ତ ବାସୁଦେବଙ୍କ ହେରାପଞ୍ଚମୀ ଯାତ୍ରା ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟର ସାମନ୍ତ ବଜାର ସ୍ଥିତ ମା ବିଶେଶ୍ୱରୀଙ୍କ ମନ୍ଦିରରେ ରଥଯାତ୍ରା ଠାରୁ ଶ୍ରୀ ଅନନ୍ତ ବାସୁଦେବ ଅବସ୍ଥାନ କରୁଛନ୍ତି। ରଥଯାତ୍ରାରେ ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ମା ଲକ୍ଷ୍ମୀ ରାଗି ଆଜି ବିମାନରେ ଯାଇ ମା ବିଶେଶ୍ୱରୀଙ୍କ ମନ୍ଦିର ଠାରେ ଥିବା ରଥକୁ ଭାଙ୍ଗି ଶ୍ରୀ ଅନନ୍ତ ବାସୁଦେବ ମନ୍ଦିରକୁ ଫେରି ଆସିଥିଲେ। ସଂଧ୍ୟାରେ ପାରମ୍ପରିକ ପ୍ରଥାନୁସାରେ ସିଂଘପାନିଆ ସ୍ଥିତ ଶ୍ରୀ ଅନନ୍ତ ବାସୁଦେବଙ୍କ ମନ୍ଦିର ଠାରୁ ମନମୋହନ ବେହେରା, କାଳନ୍ଦୀ ବେହେରା, ରବୀନ୍ଦ୍ରନାଥ ବେହେରା ଓ ନବକିଶୋର ବେହେରା ପ୍ରମୁଖ ସେବକ ମାନେ ଏକ ସୁସଜ୍ଜିତ ବିମାନରେ ମା ଲକ୍ଷ୍ମୀଙ୍କୁ ବସାଇ ଗୁଣ୍ଡିଚା ମନ୍ଦିର ଭାବେ ପରିଚିତ ସାମନ୍ତ ବଜାର ସ୍ଥିତ ମା ବିଶେଶ୍ୱରୀଙ୍କ ମନ୍ଦିର ନିକଟକୁ ନେଇଥିଲେ। ଫାଣ୍ଡି ଛକ ଠାରୁ ଭକ୍ତ ମାନେ ବାଜା ବଜାଇ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଗୁଣ୍ଡିଚା ମନ୍ଦିର ନିକଟକୁ ପାଛୋଟି ନେଇଥିଲେ। ସେଠାରେ ପୂଜକ କୁନି ମିଶ୍ର ମା ଲକ୍ଷ୍ମୀଙ୍କୁ ଫଳ,ମୂଳ, ପଣା ଭୋଗ ଲାଗି କରିବା ପରେ ଅଭିମାନ ରେ ମା ଲକ୍ଷ୍ମୀ ରଥର ଗୋଟିଏ କାଠ ପଟାକୁ ଭାଙ୍ଗି ଦେଇ ସିଧା ଏକ ମୁହାଁ ମନ୍ଦିରକୁ ଫେରି ଆସିଥିଲେ। ମା ଙ୍କ ଶୋଭାଯାତ୍ରା ଓ ହେରା ପଞ୍ଚମୀ ଯାତ୍ରାକୁ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ସ୍ଥାନୀୟ ଫାଣ୍ଡି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


