ଶ୍ରୀ ଗୁଣ୍ଡିଚା ମନ୍ଦିର ପାଲଟିଛି ମା ବିଶେଶ୍ୱରୀଙ୍କ ପୀଠ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟର ସିଂଘପାନିଆ ଗ୍ରାମ ରେ ପୂଜା ପାଇ ଆସୁଥିବା ଶ୍ରୀ ଅନନ୍ତ ବାସୁଦେବଙ୍କ ରଥଯାତ୍ରା ପାଇଁ ସାମନ୍ତ ବଜାର (ପୁରୁଣା ହାଟ)ର ଅଧିଷ୍ଠାତ୍ରୀ ଦେବୀ ମା ବିଶେଶ୍ୱରୀ ଙ୍କ ପୀଠ ପାଲଟି ଯାଇଛି ଶ୍ରୀ ଗୁଣ୍ଡିଚା ମନ୍ଦିର। ମନ୍ଦିର ପରିଚାଳନା କମିଟି ସଦସ୍ୟ ବିପିନ ରାୟ କୁହନ୍ତି ଯେ, କାହିଁ କେତେ କାଳରୁ ଶ୍ରୀ ଅନନ୍ତ ବାସୁଦେବ ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।ରବିବାର ଦିନ ଠାକୁରଙ୍କୁ ଗ୍ରାମବାସୀ ମାନେ ପହଣ୍ଡି କରି ରଥାରୁଢ କରିବା ପରେ ରଥ ନୟାହାଟ ମୁଖ୍ୟ ବଜାର, ଫାଣ୍ଡି ଛକ ଦେଇ ଆସି ପୁରୁଣାହାଟ (ସାମନ୍ତ ବଜାର) ସ୍ଥିତ ମା ବିଶେଶ୍ୱରୀଙ୍କ ପୀଠ ଠାରେ ପହଞ୍ଚିଥିଲା। ସୋମବାର ଦିନ ରଥରୁ ପହଣ୍ଡି କରି ଶ୍ରୀ ଅନନ୍ତ ବାସୁଦେବ ଠାକୁରଙ୍କ ମା ବିଶେଶ୍ୱରୀଙ୍କ ମନ୍ଦିରକୁ ନିଆଯାଇଥିଲା। ବାହୁଡ଼ା ଯାତ୍ରା ପର୍ୟ୍ୟନ୍ତ ମାଙ୍କ ମନ୍ଦିର ପାଲଟିଯାଇଛି ଶ୍ରୀ ଗୁଣ୍ଡିଚା ମନ୍ଦିର। ମନ୍ଦିରର ପୂଜକ ଅଶୋକ ମିଶ୍ର କୁହନ୍ତି ଶ୍ରୀ ଅନନ୍ତ ବାସୁଦେବ ଠାକୁର ବାହୁଡ଼ା ଯାତ୍ରା ପର୍ୟ୍ୟନ୍ତ ଏଠାରେ ଅବସ୍ଥାନ କରନ୍ତି। ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ, ମଇଲମ, ବାଳ ଭୋଗ ନୀତି ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ସମୟ ରେ ଠାକୁରଙ୍କ ପାଖରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଯାଉଥିବାବେଳେ ସଂଧ୍ୟା ରେ ସଂଧ୍ୟା ଆଳତୀ, ଦହି ପଖାଳ ଭୋଗ ଲାଗି ହୋଇଥାଏ। ରାତିରେ ବଡ଼ସିଂହାର ବେଶ ପରେ ଗୀତଗୋବିନ୍ଦ ଗାନ କରାଯାଇ ମନ୍ଦିର ର ପହୁଡ଼ ପଡିଥାଏ। ଶ୍ରୀ ଗୁଣ୍ଡିଚା ଠାରୁ ବାହୁଡା ଯାତ୍ରା ପର୍ୟ୍ୟନ୍ତ ମା ବିଶେଶ୍ୱରୀଙ୍କ ପୀଠ ପାଲଟିଯାଇଛି ଶ୍ରୀ ଗୁଣ୍ଡିଚା ମନ୍ଦିର। ମନ୍ଦିର ପରିଚାଳନା କମିଟି ଓ ଭକ୍ତ ମାନେ ପ୍ରତିଦିନ ଦୁଇ ବେଳା ପାଳି କରି ଠାକୁରଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରିଥାଆନ୍ତି। ସାତ ଦିନ ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିବ। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଏହି ମନ୍ଦିର ରେ।


