ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ରୀଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପୈାରସଂସ୍ଥା ଟାଉନ୍ହଲ୍ରେ ଆଜି ଅପରାହ୍ଣରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡା ଏସ୍ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡ଼ା ତହସିଲଦାର ତାପସ କୁମାର ଦେହୁରୀ, ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା ପାଇଁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, ଟ୍ରଷ୍ଟ ବୋର୍ଡ଼ କର୍ମକର୍ତ୍ତା, ସେବାୟତ, ଶାନ୍ତି କମିଟିର ସଦସ୍ୟ, ଜନସାଧାରଣ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ ଜିଲ୍ଲାପାଳ । ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା । ଜୁଲାଇ ୧୫ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବାକୁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିବା ବେଳେ ୧୮ ତାରିଖରେ ଅନୁଷ୍ଠିତ ହେବ ନିଳାଦ୍ରୀ ବିଜେ । ବର୍ଷାଜଳର ସୁନିଷ୍କାସନ ବ୍ୟବସ୍ଥା, ବଡ଼ଦାଣ୍ଡର ପରିଚ୍ଛନ୍ନତା, ରାସ୍ତା ଉପରେ ଥିବା ବିଦ୍ୟୁତ୍ ଖୁଂଟି ଓ ବିଦ୍ୟୁତ୍ ଟ୍ରାନ୍ସଫର୍ମରର ଅପସାରଣ, ରଥ ନିର୍ମାଣ, ସଂଯୋଗୀକରଣ ରାସ୍ତାଘାଟର ମରାମତି, ଆଲୋକ ବ୍ୟବସ୍ଥା, ପାନୀୟ ଜଳଯୋଗାଣ, ନିଶା ନିବାରଣ, ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜଳଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା, ସୂଚନା କେନ୍ଦ୍ର ପ୍ରମୁଖ ବିଷୟ ଉପରେ ବିଷଦ୍ ଭାବରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସ୍କାଉଟ୍ ଗାଇଡ୍, ଏନ୍ସିସିକୁ ବିଭିନ୍ନ ଲୋକହିତକର କାର୍ଯ୍ୟରେ ବିନିଯୋଗ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ରଥଯାତ୍ରା ପୂର୍ବରୁ ରାସ୍ତାଘାଟ ମରାମତି ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ରଥଗଢ଼ା କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ ହେବ ବୋଲି କହିଥିଲେ ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ । ରଥଦାଣ୍ଡ ଓ ସହରର ରାସ୍ତା ସଫେଇ, ରଥଦାଣ୍ଡର ନାଳ ନର୍ଦ୍ଦମା ସଫା ସହ ବ୍ଲିଚିଙ୍ଗ୍ ପାଉଡର୍ ପକାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବାସି ଖାଦ୍ୟ ପଦାର୍ଥ ଯାଂଚ କରିବା, ଇଛାପୁରଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହ ଆମ୍ବୁଲାନ୍ସ ସେବା ଯୋଗାଇଦେବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ବିଦ୍ୟୁତ୍କାଟ ସମୟରେ ଜେନେେରେଟର ଦ୍ୱାରା ଆଲୋକ ବ୍ୟବସ୍ଥା, ବଳଦେବ ଜୀଉ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଯାତ୍ରୀମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ରୌଦ୍ରତାପ ସମୟରେ ଜଳ ସିଂଚନ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅସମାଜିକ ତତ୍ୱଙ୍କ ପ୍ରତି ଜନସାଧାରଣ ସଚେତନ ହେବା ସହ ଚୋରୀ, ଡକାୟତିକୁ ନିୟନ୍ତ୍ରଣ କରିବା ଓ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସୂଚନା ପ୍ରଦାନ କରିଥିଲେ । ରଥାରୁଢ଼ ଶ୍ରୀଜୀଉଙ୍କ ସମ୍ମୁଖରେ ସେବାୟତମାନେ ଦଣ୍ଡାୟମାନ ନହେବାକୁ ବୈଠକରେ ଅନୁରୋଧ କରାଯାଇଥିଲା । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବ୍ୟାପକ ଆଲୋକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୨ ମସିହାର ରଥଟଣା ସମୟରେ ଘଟିଥିବା ଦୁଃଖଦ ସ୍ମୃତିର ପୁନରାବୃତି ଯେପରି ନହେବ ସେଥି ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ବଡ଼ଦାଣ୍ଡରେ ସିସିଟିଭି ଲଗାଯିବା ପାଇଁ ଉପସ୍ଥିତ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୭, ୮, ୧୬, ୧୭ ତାରିଖରେ ଜିଲ୍ଲାରେ ସମସ୍ତ ମଦ ଦୋକାନ ଓ ବାର୍ ବନ୍ଦ ରହିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ, ଅବକାରୀ ଅଧୀକ୍ଷକ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ, କେନ୍ଦ୍ରାପଡ଼ା ପୈାରସଂସ୍ଥା ନିର୍ବାହୀ ଅଧିକାରୀ, ଟିପିସିଓଡିଏଲର ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସଂସ୍କୃତି ଅଧିକାରୀ, ଟାଉନ୍ ଥାନା ଅଧିକାରୀ, ସହକାରୀ ଅଗ୍ନିଶମ ଅଧିକାରୀ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଟ୍ରଷ୍ଟ ବୋର୍ଡ଼ କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ, କାଉନ୍ସିଲର, ସେବାୟତ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


