ସଦର ଥାନା ସମ୍ମୁଖରେ ଶ୍ରୀବଳଦେବଜୀଉଙ୍କ ଜମି ଜବର ଦଖଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସଦର ଥାନା ସମ୍ମୁଖରେ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ଜମି ଜବରଦଖଲ କରି ଜଣେ ବ୍ୟକ୍ତି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ସଦର ଥାନା ସମ୍ମୁଖରେ ବେଆଇନ୍ ଜବରଦଖଲ ଚାଲିଥିବା ବେଳେ ପୋଲିସ କିନ୍ତୁ ନୀରବଦ୍ରଷ୍ଟା ସାଜିଥିଲା । କିନ୍ତୁ ଏ ସମ୍ପର୍କରେ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛି । କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ସୁବାସ ଦାସ ନାମକ ଜନୈକ ବ୍ୟକ୍ତି ଏହି ବେଆଇନ୍ ଜବରଦଖଲ କରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ ତାଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ସେହି ସ୍ଥାନରେ ଏକ ଅସ୍ଥାୟୀ ନିର୍ମାଣ କରିବ ବୋଲି ମନ୍ଦିର ପ୍ରଶାସନରୁ ସୁବାସ ଅନୁମତି ଆଣିଥିଲା । କିନ୍ତୁ ସେଠାରେ ପିଲର ଉଠାଇ ସ୍ଥାୟୀ ଘର ଆରମ୍ଭ କରିଥିଲା । ଏ ସମ୍ପର୍କରେ ଜଣାପଡିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଥିଲା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏ ନେଇ ଶ୍ୟାମସୁନ୍ଦରପୁରର ଜଣେ ସମାଜସେବୀ କୁହନ୍ତି ମହାପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜମି ଉପରେ କେହି କବଜା କରିବା ଅନୁଚିତ । କାରଣ ଲୋକେ ମହାପ୍ରଭୁଙ୍କ ନାମରେ ଜମି ଦାନ କରନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ମହାପ୍ରଭୁଙ୍କ ଜମି ହଡ଼ପ କରିବା ପାଇଁ ଯୋଜନା କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଅନ୍ୟ ଜଣେ ବୁଦ୍ଧିଜୀବୀଙ୍କ କହିବା କଥା ହେଲା ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜମି ସଦର ଥାନା ସମ୍ମୁଖରେ ରହିଛି । ସଦର ଥାନା ପୋଲିସ ଏ ବାବଦରେ ଅବଗତ ଥିଲେ । ପୋଲିସକୁ ପ୍ରଭାବିତ କରି ସୁବାସ କାମ ଆରମ୍ଭ କରିଥିଲେ । ପୋଲିସ ଚାହିଁଥିଲେ କାମ ଆରମ୍ଭ ବେଳେ କାମ ବନ୍ଦ କରି ପାରିଥାନ୍ତା । ହେଲେ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ନିଜ ଆଡୁ ଏହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ପରେ ଏତଲା ପାଇବା ପରେ ପୋଲିସ କେବଳ ଲୋକଦେଖାଣିଆ ଭାବେ କାମ ବନ୍ଦ କଲା । ଏତଲା ଦିଆଯାଇ ନଥିଲେ ପୋଲିସ ନୀରବ ରହିଥାନ୍ତା । କାରଣ ଜବରଦଖଲକାରୀ ପୋଲିସ ମୁହଁ ବନ୍ଦ କରିବା ପାଇଁ କାରାସାଦି କରିଥିଲେ । ଏ ସଂକ୍ରାନ୍ତରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କୁ ପଚାରିବାରୁ ସେ କହିଲେ ଆମ ନିକଟରେ ପ୍ରଥମେ ଏକ ଅସ୍ଥାୟୀ ନିର୍ମାଣ ପାଇଁ ଶ୍ୟାମସୁନ୍ଦରପୁର ସୁବାସ ଦାସ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥାୟୀ ନିର୍ମାଣ ଆରମ୍ଭ କଲେ । ସେହି ଜମି ଉପରେ ପିଲର ଉଠି ଯାଇଛି । ଡିପିସି ପଡିବା ବେଳେ ଆମ ନିକଟକୁ ଖବର ଆସିଲା । ଫଳରେ ଆମେ ଥାନାରେ ଏତଲା ଦେଲୁ । ସଦର ଥାନା ପୋଲିସକୁ ଏ ସଂକ୍ରାନ୍ତରେ ପଚାରିବାରୁ ଉତ୍ତର ମିଳିଲା ଜମିଟି ଶ୍ରୀବଳଦେବଜୀଉଙ୍କର ବୋଲି ଆମେ ପ୍ରଥମେ ଜାଣି ନ ଥିଲୁ । ଏତଲା ହେବା ପରେ ଆମେ ଜାଣିଲୁ ଓ ନିର୍ମାଣ କାର୍ଯ୍ୟ ବନ୍ଦ କଲୁ ।


