ବିଦ୍ୟୁତ୍ ଗ୍ରାହକ ସମସ୍ୟା ସମାଧାନ ଦାବିରେ ସିପିଆଇର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍ତର ଓଡ଼ିଶାରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିବା ଟାଟା କଂପାନୀର ବିଦ୍ୟୁତ୍ ଗ୍ରାହକ ଶୋଷଣ, ଅଘୋଷିତ ବିଦ୍ୟୁତ୍ କାଟ ଓ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍କୁ ବିରୋଧ କରି ଓ ମାସିକ ଦୁଇଶହ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରିବା ଦାବିରେ ମଙ୍ଗଳବାର ଦିନ ବାଲେଶ୍ୱର ରେଳଷ୍ଟେସନରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଂଚି ଥିଲା । ସେଠାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବର୍ଷିୟାନ୍ ବାମପନ୍ଥୀ ନେତା କୈଳାସ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ସିପିଆଇର ରାଜ୍ୟ ସଂପାଦକ ଆଶୀଷ କାନୁନ୍ଗୋ, ଜିଲ୍ଲା ସଂପାଦକ ନିରଞ୍ଜନ ବାରିକଙ୍କ ସମେତ ମାୟାଧର ନାୟକ, ପୁରୁଷୋତ୍ତମ ସେଠି, ଅନାମ ପ୍ରସାଦ ବାରିକ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସେଠାରେ ବିକ୍ଷୋଭକାରୀଙ୍କୁ ଉଦ୍ବୋଧନ ଦେଇ ରାଜ୍ୟ ସରକାର ଓ ବିଦ୍ୟୁତ୍ ବିତରଣ କଂପାନୀର ମଧୁଚନ୍ଦ୍ରିକା କାରଣରୁ ବିଦ୍ୟୁତ୍ ଗ୍ରାହକମାନେ ଶୋଷଣର ଶୀକାର ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଘୋଷିତ ଭାବେ ଦୈନିକ ୮/୧୦ ଥର ଓ ଗ୍ରାମାଞ୍ଚଳରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ କାଟ ଯୋଗୁଁ ବିଦ୍ୟୁତ୍ ଗ୍ରାହକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ସଂଶୋଧନ ନକରି କଂପାନୀ କର୍ମଚାରୀମାନେ ବିଲ୍ ଟଙ୍କା ଆଦାୟ ପାଇଁ ଜୁଲମ କରୁଛନ୍ତି ଓ ବିଦ୍ୟୁତ୍ ସଂଯୋଗ କାଟି ଦେଉଛନ୍ତି । ଭିତ୍ତିଭୂମିର ବିକାଶ ଆଳରେ ରାଜ୍ୟ ସରକାର ବିତରଣ କଂପାନୀମାନଙ୍କୁ କୋଟିକୋଟି ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ ବିଦ୍ୟୁତ୍ ସେବାରେ କୌଣସି ସୁଧାର ଆସୁନାହିଁ । ପ୍ରବଳ ଗ୍ରୀଷ୍ମ ପ୍ରବାହ କାଳରେ ବିଦ୍ୟୁତ୍ କାଟ ଯୋଗୁଁ ବୟସ୍କ ବ୍ୟକ୍ତି, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ଯନ୍ତ୍ରଣା ଭୋଗୁଛନ୍ତି । ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନରେ ଏକ ବଳକା ରାଜ୍ୟବୋଲି ରାଜ୍ୟ ସରକାର ବାରମ୍ବାର କହୁଥିବାବେଳେ ‘ବଳକା ବିଦ୍ୟୁତ୍ କାହାକୁ ଦେଉଛ?’ ବୋଲି ବକ୍ତାମାନେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଦିଲ୍ଲୀ ଓ ପଞ୍ଜାବ ଭଳି ବିଦ୍ୟୁତ୍ ନିଅଣ୍ଟିଆ ରାଜ୍ୟମାନେ ଗ୍ରାହକମାନଙ୍କୁ ସର୍ବନିମ୍ନ ମାସିକ ୨୦୦ ୟୁନିଟ୍ର ବିଦ୍ୟୁତ୍ ବିଲ୍ ଛାଡ଼ କରୁଥିବାବେଳେ ଓଡ଼ିଶା ସରକାର ଏହି ସୁବିଧା ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କ ପାଇଁ ଲାଗୁକରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ରାଜ୍ୟ ସରକାର ବିଦ୍ୟୁତ୍ ଗ୍ରାହକମାନଙ୍କ ସମସ୍ୟା ସମାଧାନ ଦିଗରେ ଧ୍ୟାନ ନଦେଇ ବିଦ୍ୟୁତ୍ ଟିକସ ବୃଦ୍ଧିକରି ଘରୋଇ କମ୍ପାନୀମାନଙ୍କ ତୃଷ୍ଟିକରଣ ପାଇଁ ଉଦ୍ୟମ କରୁଛନ୍ତି । ତେଣୁ ବିଦ୍ୟୁତ୍ ବିତରଣ ଦାୟିତ୍ୱ ରାଜ୍ୟ ସରକାର ବହନ କରି ବିଦ୍ୟୁତ୍ ଗ୍ରାହକ ଓ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି । କମ୍ୟୁନିଷ୍ଟ ପାର୍ଟିର ଦାବି ଓ ଆନ୍ଦୋଳନକୁ ସମର୍ଥନ ଜଣାଇ କୃଷକ ଆନ୍ଦୋଳନର ନେତା ଅରୁଣ ଜେନା ରାଜ୍ୟ ସରକାର ଓ ବିତରଣ କମ୍ପାନୀର ବିଦ୍ୟୁତ୍ ଗ୍ରାହକ ଶୋଷଣ ନୀତିକୁ ଦୃଢ଼ ନିନ୍ଦା କରିଥିଲେ । ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ପାର୍ଟି ପକ୍ଷରୁ ଯତିନ୍ ପାତ୍ର, ଶ୍ୟାମସୁନ୍ଦର ଜେନା, ବିଜୟ ସ, ସୁହାଗୀ ମାଝୀ, ଦେବେନ୍ଦ୍ର ଜେନା, ନିରଞ୍ଜନ ପରିଡ଼ା, ବେଣୁଧର ବାରିକ ଓ ବନ୍ଦନା ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଅପରାହ୍ନରେ ପଢ଼ୁଆଁପଦାସ୍ଥିତ ଏଆଇଟିୟୁସି ଅଫିସ୍ରେ ପାର୍ଟିର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ବରିଷ୍ଠ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରାଯାଇଛି । ବିଦ୍ୟୁତ୍ ଗ୍ରାହକଙ୍କ ସମସ୍ୟା ସମାଧାନ ନହେଲେ ପାର୍ଟିପକ୍ଷରୁ ଜିଲ୍ଲାର ବିଦ୍ୟୁତ୍ ଗ୍ରାହକମାନଙ୍କୁ ସଂଗଠିତ କରି ବ୍ୟାପକ ଆନ୍ଦୋଳନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


