ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେପି ନେତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ସ୍ୱାଧୀନତାର ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଉପାନ୍ତ ଅଂଚଳ କଥା ଛାଡ ଉପକୂଳ ଅଂଚଳରେ ଅନେକ ଗାଁକୁ ଏବେ ବି ସୁଦ୍ଧା ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ। ନିର୍ବାଚନ ପରେ ନିର୍ବାଚନ ଆସୁଛି ଯାଉଛି। ନେତା ମାନଙ୍କ ପ୍ରତିଶୃତି ମଧ୍ୟ ଗ୍ରାମବାସୀଙ୍କୁ ମିଳୁଛି । ହେଲେ ନିର୍ବାଚନ ସରିଲା ପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ ଗାଁର ମଳି ମୁଣ୍ଡିଆ ଲୋକଙ୍କୁ ନେତାମାନେ ଭୂତେଇ ଦେଉଛନ୍ତି । ରାସନକାର୍ଡ଼ ଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯେଉଁ ମାନଙ୍କ ପାଇଁ ସାତ ସପନ ପାଲଟିଛି ତାହାଠାରୁ ବେଶୀ ଦୁଃଖ ଦେଇଛି ଯାତାୟତ ଅସୁବିଧା। ଏମିତି ଏକ ଗାଁ ହେଉଛି ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ରଘୁନାଥପୁର ୧୧ନଂ ୱାର୍ଡ ସଂଯୁକ୍ତ ଜାନଗଡ଼ିଆ ଗାଁ। ଏଠାରେ ୧୫ଗୋଟି ହରିଜନ ପରିବାର ଚାଳଛପର ଘରେ ବସବାସ କରୁଥିବା ବେଳେ ପୁରୁଷ ପୁରୁଷ ଧରି ଏମାନେ ଯାତାୟତ ସୁବିଧାରୁ ବଂଚିତ ହୋଇଛନ୍ତି। ଆଜି ବି ସୁଦ୍ଧା ୧କିମି ବ୍ୟାପି ବିଲ ହିଡକୁ ନିତିଦିନିଆ ରାସ୍ତା ଭାବେ ମୁଖ୍ୟ ରାସ୍ତାକୁ ଆସୁଛନ୍ତି ଗ୍ରାମବାସୀ । ଏଥିପାଇଁ ସେମାନେ ସ୍ଥାନୀୟ ପଂଚାୟତ ଶାସନ ବ୍ୟବସ୍ଥାକୁ ଅଧିକ ଭାବେ ଦାୟୀ କରିଛନ୍ତି । ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ସମର୍ଥିତ ପ୍ରତିନିଧିଙ୍କ ଅଦଳବଦଳ ପଂଚାୟତ ରାଜନୀତି ଗ୍ରାମକୁ ଖଣ୍ଡେ ରାସ୍ତା ଦେବାରେ ବିଫଳ ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଜେପି ନେତା ବଦ୍ରିନାରାୟଣ ଧଳ ଗ୍ରାମରେ ପହଂଚି ସମସ୍ତଙ୍କ ଠାରୁ ଦୁଃଖ ଦୁର୍ଦଶା ଶୁଣିବା ପରେ ଶାସନ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଛନ୍ତି । ତେଣୁ ଆଗାମୀ ପଂଚାୟତ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମାନଙ୍କୁ ଗ୍ରାମବାସୀ ମାନେ ଭୋଟ ଦେବା ପାଇଁ ଶ୍ରୀଧଳ ନିବେଦନ କରିଥିବା ବେଳେ ଆଗାମୀ ଦିନରେ ଯାତାୟତ ସମସ୍ୟାର ସମାଧାନ ପାଇଁ ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ପ୍ରଚାରରେ ତାଙ୍କ ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଅକ୍ଷୟ ସାମଲ, ସରପଞ୍ଚ ପ୍ରାର୍ଥୀ ରଶ୍ମିତା ସେଠୀ, ସମିତି ସଭ୍ୟା ପ୍ରାର୍ଥୀନୀ କନକଲତା ଖିଲାର, ମହିଳା ନେତ୍ରୀ ଜୟସ୍ମିତା ଗୋଛାୟତ, ଯୁବନେତା ମନୋରଞ୍ଜନ ମହାନ୍ତିଙ୍କ ସମେତ ବହୁ ଯୁବ କର୍ମୀ ମାନେ ଏଥିରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ