ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଞ୍ଚାୟତ ନିର୍ବାଚନ ଦିନକୁ ଦିନ ନିକଟତର ହେଉଥିବା ବେଳେ ପ୍ରାର୍ଥୀ ମାନଙ୍କ ପ୍ରଚାର ମଧ୍ୟ ବେଶ ସରଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମାନେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ଆଜି ବାଲିପୋଖରୀ ପଞ୍ଚାୟତ ଠାରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶ୍ରୀଧର ସ୍ୱାଇଁ ଓ ସମିତିସଭ୍ୟା ପ୍ରାର୍ଥୀନୀ ନୟନା ବେହେରା ୧୫ଗୋଟି ୱାର୍ଡକୁ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଏକ ବିବାଦୀୟ ସ୍ଥିତିରେ ବିଜେଡି ଥିବା ବେଳେ ବିଜେପି ପ୍ରାର୍ଥୀ ଏହାର ଫାଇଦା ନେବାକୁ ପୁରା ଜୋରରେ ଲାଗି ପଡିଛନ୍ତି। ବିଜେପିର କଂଗ୍ରେସ ହଟାଓ  ଅଭିଯାନ ଓ ସ୍ଥାନୀୟ ଶାସକ ଦଳର ବିଭିନ୍ନ ଦୁର୍ନୀତିକୁ ଆଧାର କରି ସରପଞ୍ଚ ପ୍ରାର୍ଥୀ ଶ୍ରୀ ସ୍ୱାଇଁ ଘରଘର ବୁଲି ପ୍ରଚାର କରୁଛନ୍ତି । ଏହାସହିତ ଦିନକୁ  ଦିନ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ସମର୍ଥକ ମାନଙ୍କ ସହିତ ଆହୁରି ପ୍ରଚାରକୁ ଜୋରଦାର କରିବେ ବୋଲି ସୂଚନା ଦେଇଛନ୍ତି। ଏଥିରେ ଯୁବ ବିଜେପି ନେତା ପ୍ରକାଶ ମହାପାତ୍ର, ନରନାରାୟଣ ପରିଡା, ଚିତ୍ତରଞ୍ଜନ ପତି, ରାମକୃଷ୍ଣ ମହାପାତ୍ର, ହେମନ୍ତ ଜେନା, ଗଣେଶ ମହାଳିକ, ଅନ୍ତର୍ଯ୍ୟାମୀ ନାୟକ ପ୍ରମୁଖ ସାମିଲ ହୋଇଛନ୍ତି। ସେହିଭଳି ବନ୍ଦାଳୋ-ମଢ଼ିଆଳି ଠାରେ ୨୨ନଂ ଜୋନ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ବଦ୍ରିନାରାୟଣ ରାଉତ ଆଜି ପ୍ରଚାରରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ସରପଞ୍ଚ ପ୍ରାର୍ଥୀ ବିଶ୍ଵନାଥ ସାହୁ ଓ ସମିତିସଭ୍ୟା ପ୍ରାର୍ଥୀନୀ ମଞ୍ଜୁଲତା ଜେନା ମଧ୍ୟ ପଞ୍ଚାୟତରେ ୧୧ଗୋଟି ୱାର୍ଡକୁ ବୁଲିବୁଲି ଜନମତକୁ ନିଜ ସପକ୍ଷରେ ଆଣିବା ପାଇଁ ଲାଗି ପଡିଛନ୍ତି। ମାରାଥନ ପ୍ରଚାରରେ ରବିନ୍ଦ୍ର ବେହେରା, ବିଜୟ ରଞ୍ଜନ ସାହୁ, ସନାତନ ସାହୁ, ତ୍ରିଲୋଚନ ଜେନା, ବିଶ୍ୱରଂଜନ ଜେନା, ରବିନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ