ସମସ୍ୟା ଘେରରେ ସୀତାପଡ଼ି ଗ୍ରାମ: ବିଦ୍ୟୁତ ଆଲୁଅ ପାଲଟିଛି ସାତସପନ, ଡିବିରି ଆଲୁଅରେ ବିତୁଛି ଜୀବନ: ସବୁ ଦିନିଆ ରାସ୍ତା ନାହିଁ,

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କନ୍ଧମାଳ ଜିଲାରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠେ ଆଜି ମଧ୍ୟ ବିକାଶ ପାଲଟିଛି ସାତ ସପନ। ଏଭଳି ଏକ ଗ୍ରାମ ହେଉଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ ଅଧୀନସ୍ତ ରଡ଼ିଗୁମା ପଞ୍ଚାୟତର ସିତାପଡ଼ି ଗ୍ରାମ। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଉକ୍ତ ଗ୍ରାମ ସତେଯେମିତି ପରାଧିନ ଅବସ୍ଥାରେ ଥିବାଭଳି ମନେ ହେଉଛି। ନଦେଖିବା ଲୋକ ବିଶ୍ୱାସ କରିପାରିବ ନାହିଁ।କେଉଁ ଆବାହନ କାଳରୁ ଉକ୍ତ ଗ୍ରାମର ଅଧିବାସୀମାନେ ସିତାପଡ଼ି ଗ୍ରାମରେ ବସବାସ କରୁଛନ୍ତି। ଆଜି ପର‌୍ୟ୍ୟନ୍ତ ସୀତାପଡ଼ି ଗ୍ରାମକୁ ସବୁ ଦିନିଆ ରାସ୍ତା ନାହିଁ। ଅସରାଏ ବର୍ଷା ହୋଇଗଲେ ସିତାପଡ଼ି ଗ୍ରାମକୁ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇଥାଏ। ପାହାଡ଼ିଆ ପାଣି ଓ ବିଲପାଣି ରାସ୍ତାରେ ଜମାଟ ବାନ୍ଧୁଥିବା ଯୋଗୁଁ ରାସ୍ତାରେ ଯାତାୟତ ପାଇଁ ଅସୁବିଧା ହୋଇଥାଏ ବୋଲି ଗ୍ରାମବାସୀ କହିଛନ୍ତି। ଗମନା ଗମନର ସୁବିଧା ନଥିବା ଯୋଗୁଁ ସୀତାପଡ଼ି ଗ୍ରାମର ହିତାଧିକାରୀ ମାନେ ବର୍ଷା ଦିନରେ ନିଜର ରାସନ କାର୍ଡ଼ ପାଇଁ ହେଉ କିମ୍ବା ବୃଦ୍ଧ ଓ ବୃଦ୍ଧାମାନେ ଭତ୍ତା ପାଇଁ ମଧ୍ୟ ଆସିପାରନ୍ତି ନାହିଁ ବୋଲି ପ୍ରକାଶ କରିଛନ୍ତି। ପଞ୍ଚାୟତ ଠାରୁ ସିତାପଡ଼ି ଗ୍ରାମର ଦୂରତା ମାତ୍ର ୪ କିଲୋମିଟର ହୋଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ଉକ୍ତ ଗ୍ରାମକୁ ଗମନା ଗମନ ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବା ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୀତାପଡ଼ି ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ୍ ଆଲୁଅ ମଧ୍ୟ ପାଲଟିଛି ଉକ୍ତ ଗ୍ରାମପାଇଁ ସାତ ସପନ ଏବଂ ଡିବରି ଆଲୁଅରେ ବିତୁଛି ସେମାନଙ୍କ ଜୀବନ। ତେବେ ସୀତାପଡ଼ି ଗ୍ରାମରେ ୧୩ ଟି ପରିବାରର ମାତ୍ର ୪୫ ଜଣ ବସବାସ କରୁଥିବା ଯୋଗୁଁ ଆଜି ପର‌୍ୟ୍ୟନ୍ତ ଏହି ଗ୍ରାମର ଗ୍ରାମବାସୀଙ୍କୁ କୌଣସି ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇ ନାହିଁ ବୋଲି ଗ୍ରାମର ହେମନ୍ତ ମଲିକ, ସିମାଞ୍ଚଳ ମଲିକ, ଜୁଡ଼ୁ ମଲିକ, ଇଶ୍ୱର ବିନ୍ଧାଣୀ, ପାର୍ବତୀ ମଲିକ, ମମତା ମଲିକ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ସୀତାପଡ଼ି ଗ୍ରାମର ସମସ୍ୟା ସମ୍ପର୍କରେ ବର୍ଷ ବର୍ଷ ଧରି ଯେଉଁ ନିର୍ବାଚିତ ଲୋକ ପ୍ରତିନିଧି ନିର୍ବାଚିତ ହୋଇଥାନ୍ତି ସେମାନଙ୍କ ପାଖରେ ସେମାନେ ସେମାନଙ୍କର ଦୁଖ ବଖାଣିଥାନ୍ତି କିନ୍ତୁ କୌଣସି ପ୍ରକାର ଫଳମିଳେନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। କନ୍ଧମାଳ ଜିଲାର ଏହି ସୀତାପଡ଼ି ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ